ଏଫଡିଆଇ ଆଣିବାରେ ୧୪ ନମ୍ବର ସ୍ଥାନରେ ଓଡ଼ିଶା : ବାଣିଜ୍ୟ ମନ୍ତ୍ରାଳୟ ରିପୋର୍ଟ

ଭୁବନେଶ୍ୱର : କେବଳ ଇଜ୍‌ ଅଫ ଡୁଇଙ୍ଗ ବିଜନେସ ନୁହେଁ, ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ମଧ୍ୟ ଓଡ଼ିଶା ପଛେଇଯାଇଛି । କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ବିଦେଶୀ ପୁଞ୍ଜିନିବେଶ ରିପୋର୍ଟରେ ଓଡ଼ିଶା ସାରା ଦେଶରେ ୧୪ ତମ ସ୍ଥାନରେ ରହିଛି । ଓଡ଼ିଶା ତଳେ ପାଟନା, ଗୌହାଟୀ ଓ ଜମ୍ମୁ ଓ କାଶ୍ମୀର ରହିଛନ୍ତି । ରିପୋର୍ଟରେ ପ୍ରଥମ ୫ଟି ସ୍ଥାନରେ ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡୁ ଓ ଗୁଜରାଟ ରହିଛନ୍ତି ।

ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ବିଗତ ୫ଟି ଆର୍ଥିକ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ୨୦୧୭-୧୮ରେ ଭାରତକୁ ଆସିଥିବା ଏଫଡିଆଇ ପରିମାଣ ମାତ୍ର ୩ ପ୍ରତିଶତ ବୃଦ୍ଧି ପାଇ ୪୪.୮୫ ବିଲିୟନ ଡଲାରରେ ପହଞ୍ଚିଛି, ଯାହାକି ୨୦୧୬-୧୭ ଆର୍ଥିକ ବର୍ଷରେ ୪୩.୪୭ ବିଲିୟନ ଡଲାର ଥିଲା । ପୁଞ୍ଜି ଆକୃଷ୍ଟ କରିବାରେ ଦେଶର ପ୍ରମୁଖ ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ ଓ ଆନ୍ଧ୍ରକୁ ଆସିଥିବା ବିଦେଶୀ ପୁଞ୍ଜିନିବେଶ ପରିମାଣ ଗତ ଆର୍ଥିକ ବର୍ଷରେ ହ୍ରାସ ପାଇଥିବାବେଳେ କର୍ଣ୍ଣାଟକ, ଦିଲ୍ଲୀ ଓ ତାମିଲନାଡୁକୁ ଆସିଥିବା ଏଫଡିଆଇ ପରିମାଣ ବୃଦ୍ଧି ପାଇଛି । ୨୦୧୬-୧୭ରେ ମହାରାଷ୍ଟ୍ରକୁ ୧ ଲକ୍ଷ ୩୧ ହଜାର କୋଟି ଟଙ୍କାର ବିଦେଶୀ ପୁଞ୍ଜିନିବେଶ ଆସିଥିବାବେଳେ ୨୦୧୭-୧୮ରେ ତାହା ୮୬,୨୪୪ କୋଟି ଟଙ୍କାକୁ ହ୍ରାସ ପାଇଛି । ସେହିପରି ୨୦୧୬-୧୭ରେ କର୍ଣ୍ଣାଟକକୁ ୧୪,୩୦୦ କୋଟି ଟଙ୍କାର ଏଫଡିଆଇ ଆସିଥିବାବେଳେ ୨୦୧୭-୧୮ରେ ତାହା ୫୫,୩୩୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ୧୪ ନମ୍ବର ସ୍ଥାନରେ ଥିବା ଓଡ଼ଶାକୁ ୨୦୧୭-୧୮ରେ ମାତ୍ର ୪୧୫ କୋଟି ଟଙ୍କାର ଏଫଡିଆଇ ଆସିଥିଲା, ଯାହାକି ୨୦୧୬-୧୭ରେ ୮୩ କୋଟି ଟଙ୍କା ଥିଲା ।

ସମ୍ବନ୍ଧିତ ଖବର