କଳାଟଙ୍କା ଖୋଜିବାକୁ ୧୭ ସୂତ୍ର, ଆୟକର ଅଧିକାରୀଙ୍କୁ ଦିଆଗଲା ତାଲିକା

ନୂଆଦିଲ୍ଲୀ: ବିମୁଦ୍ରୀକରଣ ବେଳେ ଦେଶରେ ଲୋକମାନଙ୍କୁ ପାଖାପାଖି ୨ ମାସ ପାଇଁ ବ୍ୟାଙ୍କରେ ଅଚଳ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ଜମା କରିବା ଲାଗି ସୁଯୋଗ ଦିଆଯାଇଥିଲା। ସେହି ସମୟରେ ଲୋକମାନେ କେତେ କଳାଟଙ୍କା ବ୍ୟାଙ୍କରେ ଜମା କରିଛନ୍ତି ତାହାକୁ ଏବେ ସରକାର ଯାଞ୍ଚ କରିବେ। ଆୟକର ବିଭାଗର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା ସିବିଡିଟି ପକ୍ଷରୁ ଏକ ୧୭ ଦଫା ବିଶିଷ୍ଟ ତାଲିକା ପ୍ରସ୍ତୁତ କରାଯାଇଛି। ଆୟକର ବିଭାଗର ପ୍ରମୁଖ ମୁଖ୍ୟ ଆୟକର କମିସନର ଏବଂ ପ୍ରମୁଖ ମହାନିର୍ଦ୍ଦେଶକମାନଙ୍କୁ ଏ ନେଇ ନିର୍ଦ୍ଦେଶନାମା ପଠାଯାଇଛି। ଏଥିରେ କୁହାଯାଇଛି, ବିମୁଦ୍ରୀକରଣ ବେଳର ଜମାରାଶିକୁ ଯେଉଁ ଟିକସ ଆକଳନ ଅଧିକାରୀମାନେ ଯାଞ୍ଚ କରୁଛନ୍ତି ସେମାନଙ୍କ ପାଇଁ ଏକ ଚେକଲିଷ୍ଟ୍ ପ୍ରସ୍ତୁତ କରାଯାଇଛି। ଜମାରେ ଯଦି କିଛି ବ୍ୟତିକ୍ରମ ଦେଖାଦିଏ ତାହେଲେ ତାହାର ପୁନଃ ଅନୁଧ୍ୟାନ କରାଯିବ।

ବିଶେଷତଃ ଏହି ପଦକ୍ଷେପ ମାଧ୍ୟମରେ ଆୟକର ବିଭାଗ ଏହାର ଯାଞ୍ଚ ପରିସରକୁ ବ୍ୟାପକ କରିବ। ବିମୁଦ୍ରୀକରଣ ବେଳେ ଯେଉଁମାନେ ଆୟବହିର୍ଭୁତ ଟଙ୍କା ବ୍ୟାଙ୍କରେ ଜମା କରିଛନ୍ତି ତାହାକୁ ଧରାଯିବ। ଟିକସ ଅଧିକାରୀମାନଙ୍କୁ ଦିଆଯାଇଥିବା ୧୭ ଦଫା ସମ୍ବଳିତ ନିର୍ଦ୍ଦେଶନାମାକୁ ଆୟକର ବିଭାଗର ସର୍ଭରରେ ପୁନଃଶ୍ଚ ଅପଡେଟ୍ କରାଯିବ। ଏହି ଯୋଜନାରେ ୨୦୧୬ ନଭେମ୍ବର ୯ ତାରିଖରୁ ୨୦୧୬ ଡିସେମ୍ବର ୩୧ ମଧ୍ୟରେ ବ୍ୟାଙ୍କରେ ରଖାଯାଇଥିବା ସମସ୍ତ ହିସାବ ବହିର୍ଭୁତ ନଗଦ ଅର୍ଥ ଜମାର ଯାଞ୍ଚ କରାଯିବ। ୧୭ ଦଫା ବିଶିଷ୍ଟ ଚେକ୍‌ଲିଷ୍ଟରେ ଯେଉଁ ବିଷୟ ଯାଞ୍ଚ ପାଇଁ ରହିଛି ସେଗୁଡ଼ିକ ମଧ୍ୟରେ ରିଟର୍ଣ୍ଣ ଦାଖଲ, ୨୦୧୬-୧୭ରେ ସଂପୃକ୍ତ ବ୍ୟକ୍ତିଙ୍କ ମୋଟ ଆୟ, ଟିକସଦାତାଙ୍କ ମୋଟ ଆୟ (ଆୟକର ବାବଦ ଛାଡ଼କୁ ବାଦ ଦେଇ) ଏବଂ ମୋଟ ଆୟ (ଆୟକର ବାବଦ ଛାଡ଼କୁ ବାଦ୍ ଦେଇ)ର କେତେ ପ୍ରତିଶତ ନଗଦ ଅର୍ଥ ଜମା କରାଯାଇଛି ଆଦି ବିଷୟ ରହିଛି। ଜମାକାରୀ ତାଙ୍କ ବିମୁଦ୍ରୀକରଣ ବେଳର ଜମା ସମ୍ପର୍କରେ ଯେଉଁ ଉତ୍ତର ରଖିଥିବେ ଆୟକର ଅଧିକାରୀ ୧୭ ଦଫା ଚେକ୍‌ଲିଷ୍ଟ ଆଧାରରେ ସେଗୁଡ଼ିକୁ ମିଳାଯିବ ଏବଂ ‌‌‌କେତେ ପରିମାଣର ହିସାବ ବହିର୍ଭୁତ ଅର୍ଥରାଶି ଜମା ହୋଇଛି ତାହାର ଆକଳନ କରାଯିବ।

ଯାଞ୍ଚ ତାଲିକାରେ ଜମାକାରୀ ଦେଇଥିବା ଉତ୍ତର ଗ୍ରହଣଯୋଗ୍ୟ, ଆଂଶିକ ଗ୍ରହଣଯୋଗ୍ୟ କିମ୍ବା ଗ୍ରହଣଯୋଗ୍ୟ ନୁହେଁ ତାହା ଉଲ୍ଲେଖ କରାଯିବ। ଏଥିସହିତ ଜମା କରାଯାଇଥିବା ଅର୍ଥରାଶି ଜମି ବିକ୍ରି, ଜମି ବିକ୍ରି ବାବଦ ଅଗ୍ରିମ କିମ୍ବା ଅନ୍ୟ କୌଣସି ବାବଦରେ ତାହା ଉଲ୍ଲେଖ କରାଯିବ। ଉଲ୍ଲେଖଯୋଗ୍ୟ ଯେ, ୨୦୧୬ ନଭେମ୍ବର ୮ ତାରିଖରେ‌ ପ୍ରଧାନମନ୍ତ୍ରୀ ହଠାତ୍ ଅର୍ଥନୀତିରେ ପ୍ରଚଳନ ଥିବା ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିଦେଇଥିଲେ। ଏହାପରେ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ କରାଯାଇଥିଲା। ଲୋକମାନଙ୍କୁ ବ୍ୟାଙ୍କରେ ସେମାନଙ୍କ ଅଚଳ ନୋଟ୍ ଜମା କରିବା ପାଇଁ ୨୦୧୬ ଡିସେମ୍ବର ୩୧ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା।

ସମ୍ବନ୍ଧିତ ଖବର