କେବେ କମିବ ପେଟ୍ରୋଲ,ଡିଜେଲ ଦର? ନଭେମ୍ବର ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ

ନୂଆଦିଲ୍ଲୀ: ବଢିଚାଲିଥିବା ତେଲଦରକୁ ନେଇ ଏବେ ସାରାଦେଶରେ ଅସନ୍ତୋଷ ବଢୁଛି । ଆଜି ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ଟପିଯାଇଛି । ମୁମ୍ବଇରେ ତ ଆଉ କିଛି ଦିନ ମଧ୍ୟରେ ପେଟ୍ରୋଲ ୯୦ ଛୁଇଁବା ଆଶଙ୍କା କରାଯାଉଛି । କେବେ ତେଲ ଦର କମିବ, ଏହାକୁ ଏବେ ସମସ୍ତେ ଅପେକ୍ଷା କରିଛନ୍ତି । ବିଶେଷଜ୍ଞଙ୍କ ମତରେ ନିକଟ ଭବିଷ୍ୟତରେ ଦେଶରେ ତେଲ ଦର କମିବାର ସମ୍ଭାବନା କମ । କାରଣ ଏବେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତେଲଦର ଅଧିକ ରହିଛି, ତା ସହିତ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଯାଇଛି । କିନ୍ତୁ ଏହା ମଧ୍ୟରେ ଟିକିଏ ଆଶାର ଆଲୋକ ରହିଛି । ଆଗକୁ ଡିସେମ୍ବରରେ ୩ଟି ବଡ଼ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ । ତାହା ପୂର୍ବରୁ ସରକାର ତେଲଦର ବୃଦ୍ଧି ଉପରେ ବିରାମ ଲଗାଇପାରନ୍ତି । ଗତ ମଇ ମାସରେ ଅନୁଷ୍ଠିତ କର୍ଣ୍ଣାଟକ ନିର୍ବାଚନର ପ୍ରାୟ ୧୫ ଦିନ ପୂର୍ବରୁ ତେଲଦର ବୃଦ୍ଧି ଅଟକି ଯାଇଥିଲା । ତେଲ କମ୍ପାନିମାନେ ଦର ହ୍ରାସବୃଦ୍ଧି କରୁଥିବା ସରକାର କହୁଥିଲେ ମଧ୍ୟ ଏକଥା କାହାକୁ ଅଛପା ନାହିଁ ଯେ ସରକାରଙ୍କ ଇଙ୍ଗିତରେ କମ୍ପାନିମାନେ ତେଲଦର ବଢାଇନଥିଲେ । ଆଗକୁ ୩ଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ନିର୍ବାଚନ ଥିବାରୁ କେନ୍ଦ୍ରର ବିଜେପି ସରକାର ଲୋକମାନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହିଁବେ ନାହିଁ । ଏଣୁ ନଭେମ୍ବର ବେଳକୁ ତେଲଦର ବୃଦ୍ଧି ଉପରେ ଅଙ୍କୁଶ ଲାଗିପାରେ ।

ସମ୍ବନ୍ଧିତ ଖବର