ଚୀନ୍ ଆମଦାନିରେ ହାୱଲା କାରବାର ସନ୍ଦେହ

ତଦନ୍ତ ଦାବି କଲା ଭାରତୀୟ ବ୍ୟବସାୟୀ ମହାସଂଘ

ନୂଆଦିଲ୍ଲୀ: ଚୀନରୁ ଭାରତକୁ ଆମଦାନି ହେଉଥିବା ସାମଗ୍ରୀରେ ହାୱଲା କାରବାର ହେଉଛି। ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ଏହି ସନ୍ଦେହ ବ୍ୟକ୍ତ କରିବା ସହିତ ଏହାର ତଦନ୍ତ ଦାବି କରିଛି। ଚୀନରୁ ହେଉଥିବା ସାମଗ୍ରୀ ଆମଦାନିରେ ବିପୁଳ ପରିମାଣର ହାୱଲା କାରବାର ହେଉଥିବାରୁ ଭାରତ ସରକାରଙ୍କୁ ମଧ୍ୟ ବ୍ୟାପକ ମାତ୍ରାରେ ରାଜସ୍ବ ହରାଇବାକୁ ପଡ଼ୁଛି। ଏପରିକି ଏହି ହାୱଲା ଅର୍ଥକୁ ପାକିସ୍ତାନକୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ସ୍ଥାନାନ୍ତର ହେଉଥିବା ନେଇ ସଂଘ ଅଭିଯୋଗ କରିଛି। ଦେଶର ନିରପତ୍ତା ଦୃଷ୍ଟିରୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଭାରତୀୟ ବନ୍ଦର ଗୁଡ଼ିକରେ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିବା ଲାଗି କୁହାଯାଇଛି। ହାୱଲା କାରବାର କରୁଥିବା ଏହି ଅଧିକାରୀମାନେ କିଏ ଏବଂ ଏହା କିଭଳି ହେଉଛି ତାହାର ଖୋଳତାଡ଼ କରିବା ଲାଗି ସଂଘ ଦାବି କରିଛି। ଆତଙ୍କବାଦ ବିରୋଧରେ ଭାରତ କରୁଥିବା ଲଢ଼େଇକୁ ଚୀନ ସହଯୋଗ କରୁନାହିଁ। ଆତଙ୍କବାଦୀମାନଙ୍କୁ କେହି ଜଣେ ପାଣ୍ଠି ଯୋଗାଉଛି। ତେଣୁ ଚୀନରୁ ଭାରତକୁ ଆସୁଥିବା ସାମଗ୍ରୀର ମୂଲ୍ୟକୁ ଜାଣିଶୁଣି କମ୍ ରଖାଯାଉଛି ବା ଅଣ୍ଡର ଇନଭଏସ୍ କରାଯାଉଛି କି ? ହାୱଲା କାରବାର ସହିତ ଏହି ଅଣ୍ଡର ଇନଭଏସର କୌଣସି ସମ୍ପର୍କ ରହିଛି କି? ବୋଲି ସଂଘ ପ୍ରଶ୍ନ ଉଠାଇଛି।

ସିଏଆଇଟିର ରାଷ୍ଟ୍ରୀୟ ସଭାପତି ବି ସି ଭରତିଆ ଏବଂ ସାଧାରଣ ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି, କମ୍ ସୀମା ଶୁଳ୍କ ଏବଂ କମ୍ ଆଇଜିଏସଟି ଦେବା ଲାଗି ଭାରତ ଆମଦାନି କରୁଥିବା ଅନେକ ସାମଗ୍ରୀର ପ୍ରକୃତ ମୂଲ୍ୟକୁ ଜାଣିଶୁଣି କମ୍ ରଖାଯାଉଛି। ଚୀନରୁ ଆମଦାନି ହେଉଥିବା ସାମଗ୍ରୀ ସହିତ ଦସ୍ତାବିଜ୍‌ର ଯାଞ୍ଚ ଆବଶ୍ୟକତା ରହିଛି। ଏପରିକି ସଂଘ ସନ୍ଦେହ କରିଛି ଯେ, କେତେଜଣ ଅଧିକାରୀଙ୍କ ସହ ଅସାଧୁ ମେଣ୍ଟ କରାଯାଇ ଏଭଳି କାରବାର କରାଯାଉଛି। ସାମଗ୍ରୀ ଗୁଡ଼ିକ ଭାରତକୁ ରପ୍ତାନି ଉଦ୍ଦେଶ୍ୟରେ ଯେତେବେଳେ ଚୀନର ବନ୍ଦରକୁ ଆସେ ସେତେବେଳେ ସେଗୁଡ଼ିକର ମୂଲ୍ୟ କମ୍ ଦର୍ଶାଯାଇଥାଏ। ଫଳରେ ସୀମା ଶୁଳ୍କ ବି କମ୍ ଦେବାକୁ ପଡ଼ିଥାଏ। ସେହିଭଳି କମ୍ ଆଇଜିଏସଟି ମଧ୍ୟ ଦେବାକୁ ପଡ଼ିଥାଏ। ଅନ୍ୟ ଏକ ଆଶ୍ଚର୍ଯ୍ୟର ବିଷୟ ହେଲା ଅଧିକାଂଶ କ୍ଷେତ୍ରରେ ଯେତେବେଳେ ଚୀନରୁ ସାମଗ୍ରୀ ଆମଦାନି ହୁଏ ସେତେବେଳେ କେହି ଆଇଜିଏସଟି ଦାବି କରନ୍ତି ନାହିଁ। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଆମଦାନି ହେଉଥିବା ସେହିସବୁ ସାମଗ୍ରୀ କଳାବଜାରରେ ବିକ୍ରି ହେଉଛି। ଚୀନରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ସୀମା ଶୁଳ୍କ ଏବଂ ଆଇଜିଏସଟି ଉପଯୁକ୍ତ ମାତ୍ରାରେ ଆଦାୟ କରାଗଲେ ଏହାର ମୂଲ୍ୟ ଅଧିକ ରହିବ ବୋଲି ସିଏଆଇଟି କହିଛି।

ସୀମା ଶୁଳ୍କ ଗୁଇନ୍ଦା ଅଧିକାରୀ ନିଯୁକ୍ତ କରିବ ଭାରତ
ନୂଆଦିଲ୍ଲୀ: କଳାଟଙ୍କା, ବାଣିଜ୍ୟ ସମ୍ପର୍କିତ ମନି ଲଣ୍ଡରିଂ ଏବଂ ଅନ୍ୟାନ୍ୟ ଆର୍ଥିକ ଜାଲିଆତିକୁ ରୋକିବା ଲାଗି ଚୀନରେ ଭାରତ ସୀମା ଶୁଳ୍କ ଗୁଇନ୍ଦା ଅଧିକାରୀ ନିଯୁକ୍ତ କରିବ। ବେଜିଂସ୍ଥିତ ଭାରତୀୟ ଦୂତାବାସ ଓ ଗୁଆଙ୍ଗଝୁସ୍ଥିତ ବାଣିଜ୍ୟ ଦୂତାବାସ ପାଇଁ ଦୁଇଟି ବିଦେଶୀ ସୀମାଶୁଳ୍କ ଗୁଇନ୍ଦା ନେଟୱାର୍କ (କଏନ୍‌) ପଦବି ସୃଷ୍ଟି କରାଯାଇଛି। ଅର୍ଥ ମନ୍ତ୍ରାଳୟର ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଅଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଅଧିକାରୀମାନେ ସାଧାରଣତଃ ସଂଗ୍ରହ କରୁଥିବା ସୂଚନାକୁ ଭାରତୀୟ ଗୁଇନ୍ଦା ଏଜେନ୍ସିକୁ ପଠାଇଥାନ୍ତି। ଫଳରେ ବାଣିଜ୍ୟ ସଂକ୍ରାନ୍ତ ମନି ଲଣ୍ଡରିଂ ରୋକିବାରେ ଏହି ଅଧିକାରୀମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାନ୍ତି। ପୂର୍ବରୁ ଭାରତ ପକ୍ଷରୁ ନେପାଳ, ସିଙ୍ଗାପୁର, ବ୍ରସେଲ୍ସ, ଆମେରିକା ଏବଂ ବ୍ରିଟେନ ଭଳି ସ୍ଥାନ ଓ ଦେଶରେ ଗୁଇନ୍ଦା ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଭାରତ ପକ୍ଷରୁ ଗୁଇନ୍ଦା ଅଧିକାରୀ ନିଯୁକ୍ତ କରାଯିବା ପରେ ଦୁଇ ଦେଶ ମଧ୍ୟରେ ହେଉଥିବା ଅନେକ ବେଆଇନ କାରବାରକୁ ରୋକାଯାଇପାରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର