ବ୍ୟାଙ୍କସେବା ଅଚଳ, ଏପରିକି ଏଟିଏମ ସିକ୍ୟୁରିଟି ଗାର୍ଡମାନେ ବି ଧର୍ମଘଟ କରୁଛନ୍ତି

ନୂଆଦିଲ୍ଲୀ : “ଗତ ଥର ଆମର ୧୫ ପ୍ରତିଶତ ଦରମା ବୃଦ୍ଧି ହୋଇଥିଲା, ଏଥର ମାତ୍ର ୨ ପ୍ରତିଶତ ବୃଦ୍ଧି କରିବାକୁ ନିଆଯାଇଥିବା ନିଷ୍ପତ୍ତି ଚଲିବ ନାହିଁ ।” ଏହି ଦାବି ନେଇ ଦେଶବ୍ୟାପୀ ଥିବା ୧୦ ଲକ୍ଷରୁ ଅଧିକ ବ୍ୟାଙ୍କ କର୍ମଚାରୀ ଆଜିଠାରୁ ଦୁଇଦିିନିଆ ବ୍ୟାଙ୍କ ଧର୍ମଘଟ କରିଛନ୍ତି । ଦେଶରେ ବ୍ୟାଙ୍କମାନଙ୍କ ଆର୍ଥିକ ଅବସ୍ଥା ଏବେ ଭଲ ନାହିଁ, ଅଧିକାଂଶ ବ୍ୟାଙ୍କର ଅନାଦେୟ ଋଣ ପରିମାଣ ବେଶ ବଢିଯାଇଛି । ଏପରିସ୍ଥିତିରେ ଅଧିକ ଦରମା ବଢାଇବା ସମ୍ଭବ ନୁହେଁ ବୋଲି ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।

ଏହା ଫଳରେ ସାରା ଦେଶରେ ବ୍ୟାଙ୍କ କାରବାର ଅଚଳ ହୋଇପଡିଛି । ମାସ ଶେଷ ହୋଇଥିବାରୁ ଲୋକମାନେ ଦରମା ପାଇବାକୁ ଅପେକ୍ଷା କରିଥିବାବେଳେ ଏହି ଧର୍ମଘଟ ସମସ୍ୟାରେ ପକାଇଦେଇଛି । ଦରମା ବୃଦ୍ଧିକୁ ନେଇ ବ୍ୟାଙ୍କ ପରିଚାଳନା ଓ ବ୍ୟାଙ୍କ କର୍ମଚାରୀ ସଂଘ ମଧ୍ୟରେ ଗତ କିଛି ଦିନ ଧରି ଚାଲିଥିବା କଥାବାର୍ତ୍ତା ସଫଳ ନହେବାରୁ ବ୍ୟାଙ୍କ କର୍ମଚାରୀ ସଂଘମାନଙ୍କ ମିଳିତ ସାମୁଖ୍ୟ ୟୁଏଫବିୟୁ ପକ୍ଷରୁ ଧର୍ମଘଟ ଡକରା ଦିଆଯାଇଛି । ତେବେ ଲୋକମାନଙ୍କର ଯେପରି କୌଣସି ଅସୁବିଧା ନ ହୁଏ, ତାହାକୁ ଦୃଷ୍ଟିରେ ରଖି ଏଟିଏମ ଗୁଡ଼ିକରେ ଯଥେଷ୍ଟ ଟଙ୍କା ଭର୍ତ୍ତି କରାଯାଇଛି ବୋଲି ବ୍ୟାଙ୍କମାନଙ୍କ ପକ୍ଷରୁ କୁହାଯାଇଛି । କିନ୍ତୁ ଏଟିଏମର ସୁରକ୍ଷା କର୍ମଚାରୀମାନେ ମଧ୍ୟ ଏହି ଧର୍ମଘଟରେ ଯୋଗ ଦେଇଥିବାରୁ ଏଟିଏମଗୁଡିକ ମଧ୍ୟ ସ୍ଥିତିକୁ ସମ୍ଭାଳି ପାରିବ କି ନା ତାହାକୁ ନେଇ ସଂଦେହ ଦେଖାଦେଇଛି ।

ସମ୍ବନ୍ଧିତ ଖବର