ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର ପେନ୍ସନ୍ଭୋଗୀମାନେ ସର୍ବନିମ୍ନ ମାସିକ ପେନ୍ସନ୍ ରାଶି ପରିମାଣ ୭୫୦୦ ଟଙ୍କା କରିବାକୁ ଦାବି କରିଛନ୍ତି।
ବର୍ତମାନ ଇପିଏଫ୍ଓର ପେନ୍ସନ୍ଭୋଗୀଙ୍କ ସର୍ବନିମ୍ନ ମାସିକ ପେନ୍ସନ୍ ହେଉଛି ୧୦୦୦ ଟଙ୍କା। ଇପିଏଫ୍ଓର ଶହ ଶହ ପେନ୍ସନ୍ଭୋଗୀ ଏବଂ ସଦସ୍ୟମାନେ ରାମଲିଳା ମଇଦାନ୍୍ଠାରୁ ଆରମ୍ଭ କରି ଜନ୍ତର ମନ୍ତ୍ର ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସମ୍ମାନ ଓ ହକ୍ ପାଇବା ପାଇଁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ୨୨ଟି ରାଜ୍ୟର ଶହ ଶହ ଲୋକ ଯୋଗ ଦେଇ ନିଜର ପେନ୍ସନ୍ ହକ୍ ଦାବି କରିଛନ୍ତି ବୋଲି ଅଲ ଇଣ୍ଡିଆ ଇପିଏସ୍-୯୫ ପେନ୍ସନର୍ସ ସଂଘର୍ଷ ସମିତି ପକ୍ଷରୁ କୁହାଯାଇଛି। ଦିଲ୍ଲୀରେ ଥିବା ଇପିଏଫ୍ କାର୍ଯ୍ୟାଳୟ ସାମ୍ନାରେ ମଧ୍ୟ ପେନ୍ସନ୍ଭୋଗୀ ଏବଂ ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସମିତିର ଜାତୀୟ ଆବାହକ ଅଶୋକ ରାଉତ କହିଛନ୍ତି ଯେ ଯଦି ସେମାନେ ଆମର ଦାବି ପୂରଣ ନକରିବେ ତେବେ ସବୁ ମନ୍ତ୍ରୀ, ସାଂସଦ ଏବଂ ବିଧାୟକଙ୍କୁ ଭେଟିବୁ। ଜାତୀୟ ସ୍ତରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଦରଦାମ ସ୍ଥିତିକୁ ଦୃଷ୍ଟିରେ ରଖି ପେନ୍ସନ୍ ପରିମାଣ ବଢ଼ାଇବା ପୂର୍ବରୁ ଅନ୍ତରୀଣ ରିହାତି ଭାବେ ପେନ୍ସନ୍ଭୋଗୀମାନଙ୍କୁ ମାସକୁ ୫୦୦୦ ଟଙ୍କା ସହିତ ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ସମିତି ପକ୍ଷରୁ ଦାବି କରାଯାଇଛି। ଇପିଏସ୍-୯୫ର ପେନ୍ସନ୍ଭୋଗୀମାନଙ୍କୁ ମାଗଣା ମେଡିକାଲ୍ ସୁବିଧା ପ୍ରଦାନ କରିବାକୁ ମଧ୍ୟ ସମିତି ପକ୍ଷରୁ ଦାବି କରାଯାଇଛି। ଇପିଏଫ୍ଓର ଇପିଏସ୍-୯୫ ଅଧୀନରେ ୬୦ ଲକ୍ଷରୁ ଅଧିକ ପେନ୍ସନ୍ଭୋଗୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ପାଖାପାଖି ୪୦ ଲକ୍ଷ ଲୋକ ମାସକୁ ୧୫୦୦ ଟଙ୍କାର ପେନ୍ସନ୍ ପାଉଛନ୍ତି। ଅନ୍ୟମାନେ ମାସକୁ ୨୦୦୦-୨୫୦୦ ଟଙ୍କାର ପେନ୍ସନ୍ ପାଉଛନ୍ତି।
ଇପିଏସ୍-୯୫ ହେଉଛି ଇପିଏଫ୍ଓର ପେନ୍ସନ୍ ସ୍କିମ୍। କର୍ମଚାରୀଙ୍କ ପିଏଫ୍ ଖାତାରେ ନିଯୁକ୍ତିଦାତା ଜମା କରୁଥିବା ଅବଦାନର ୮.୩୩% ଅର୍ଥରାଶି ଇପିଏସ୍ ଖାତାରେ ଜମା ହୋଇଥାଏ। ବର୍ତ୍ତମାନ ଯେଉଁ ନିୟମ ରହିଛି ସେହି ଅନୁସାରେ ଜଣେ କର୍ମଚାରୀଙ୍କ ଇପିଏସ୍ ଖାତାରେ ମାସକୁ ସର୍ବାଧିକ ୧୨୫୦ ଟଙ୍କା ଜମା ହୋଇପାରିବ। କାରଣ ଇପିଏସ୍ ପାଇଁ ସର୍ବୋଚ୍ଚ ଦରମା ସୀମା ହେଉଛି ୧୫୦୦୦ ଟଙ୍କା। ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନେ ଯେତେ ଟଙ୍କାର ଦରମା ପାଇଲେ ମଧ୍ୟ ଇପିଏସ୍ ଅବଦାନ ପାଇଁ ସେମାନଙ୍କ ଦରମାକୁ ସର୍ବାଧିକ ୧୫ ହଜାର ଟଙ୍କା ବୋଲି ବିଚାର କରାଯିବ।