ଅର୍ଥନୀତିରେ ବିପ୍ଳବ

0 234

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଆର୍ଥିକ କ୍ଷେତ୍ରରେ କେତୋଟି ପଦକ୍ଷେପ ଗ୍ରହଣ କରିଥିଲେ ଯାହା ଭାରତ ଅର୍ଥନୀତିର ଭାଗ୍ୟ ଓ ଭବିଷ୍ୟତକୁ ବଦଳାଇ ଦେଇଥିଲା। ୧୯୯୧ ମସିହାରେ ପି ଭି ନରସିଂହରାଓ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଆର୍ଥିକ ସଂସ୍କାରକୁ ବାଜପେୟୀ ତାଙ୍କ ସରକାର ଅମଳରେ ଖାଲି ଜାରି ରଖି ନଥିଲେ ତାହାକୁ ଆହୁରି ତ୍ୱରାନ୍ଵିତ କରିଥିଲେ। ଏହାଦ୍ୱାରା ସରକାର ଓ ଅର୍ଥନୀତି ଉପରେ ନିବେଶକଙ୍କ ଭରସା ବୃଦ୍ଧି ପାଇଥିଲା। ୨୦୦୪ ମସିହାରେ ସେ ଯେତେବେଳେ କ୍ଷମତାରୁ ଗଲେ ଏବଂ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ଦେଶର ଆର୍ଥକ ସ୍ଥିତି ଅନ୍ୟନ୍ତ ଭଲ ଥିଲା। ସେହି ସମୟରେ ଦେଶର ଜିଡିପି ଅଭିବୃଦ୍ଧି ହାର ୮ ପ୍ରତିଶତ ଥିଲା। ମୁଦ୍ରାସ୍ଫୀତି ହାର ୪ ପ୍ରତିଶତରୁ କମ୍‌ ଥିଲା। ଏଠାରେ ବାଜପେୟୀଙ୍କ ଅମଳରେ ନିଆଯାଇଥିବା ୫ଟି ବଡ଼ ପଦକ୍ଷେପ ଦେଶର ଅର୍ଥନୀତିରେ ବିପ୍ଳବ ଆଣିଥିଲା

୧. ସ୍ୱର୍ଣ୍ଣ ଚତୁର୍ଭୁଜ ଏବଂ ଗ୍ରାମୀଣ ସଡ଼କ ଯୋଜନା: ବାଜପେୟୀଙ୍କ ସବୁଠୁ ବଡ଼ ଅବଦାନ ହେଲା ଦେଶର ସଡ଼କ ବିକାଶ। ଦେଶର ୪ଟି ମହାନଗରକୁ ଉନ୍ନତ ସଡ଼କରେ ଯୋଡ଼ିବା ପାଇଁ ସେ ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନା ଆରମ୍ଭ କରିଥିଲେ। ଏତଦ୍‌ବ୍ୟତୀତ ଗ୍ରାମାଞ୍ଚଳରେ ସଡ଼କ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ମଧ୍ୟ ଆରମ୍ଭ କରିଥିଲା। ଆମେରିକାରେ ସଡ଼କ ବିକାଶ ଯୋଗୁଁ ସେଠାରେ ଦେଖାଦେଇଥିବା ଆର୍ଥିକ ଅଭିବୃଦ୍ଧିରୁ ପ୍ରେରଣା ଲାଭ କରି ବାଜପେୟୀ ଭାରତରେ ଏହି ଯୋଜନା ଆରମ୍ଭ କରିଥିଲେ ବୋଲି କୁହାଯାଏ।

୨.ସର୍ବ ଶିକ୍ଷା ଅଭିଯାନ
ବାଜପେୟୀ ସରକାର ୨୦୦୧ ମସିହାରେ ଦେଶରେ ସର୍ବ ଶିକ୍ଷା ଅଭିଯାନ ଆରମ୍ଭ କରିଥିଲେ। ୬ରୁ ୧୪ ବର୍ଷର ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ଏହା ଆରମ୍ଭ କରାଯାଇଥିଲା। ଏହି ଯୋଜନା କାର୍ଯ୍ୟକାରୀ ହେବାର ୪ ବର୍ଷ ମଧ୍ୟରେ ଦେଶରେ ସ୍କୁଲ ଆସୁନଥିବା ପିଲାଙ୍କ ସଂଖ୍ୟାରେ ୬୦ ପ୍ରତିଶତ ହ୍ରାସ ଘଟିଥିଲା।

୩.ଘରୋଇକରଣ
ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ବ୍ୟବସାୟ ଏବଂ ଶିଳ୍ପ କ୍ଷେତ୍ରରେ ସରକାରଙ୍କ ଭୂମିକାକୁ କମ୍‌ କରିବାକୁ ପ୍ରୟାସ କରିଥିଲେ। ଏଥିପାଇଁ ଦେଶରେ ପୁଞ୍ଜି ପ୍ରତ୍ୟାହାର ପ୍ର୍ରକ୍ରିୟାକୁ ତ୍ୱରାନ୍ଵିତ କରିଥିଲେ। ଏଥିପାଇଁ ସ୍ୱତନ୍ତ୍ର ଭାବେ ପୁଞ୍ଜି ପ୍ରତ୍ୟହାର ମନ୍ତ୍ରାଳୟ ଏବଂ ପୁଞ୍ଜି ପ୍ରତ୍ୟାହାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ଗଠନ କରିଥିଲେ। ଭାରତ ଆଲୁମିନିୟମ କମ୍ପାନି (ବାଲ୍‌କୋ), ହିନ୍ଦୁସ୍ଥାନ ଜିଙ୍କ୍‌, ଇଣ୍ଡିଆ ପେଟ୍ରୋକେମିକାଲ୍ସ କର୍ପୋରେସନ ଲିମିଟେଡ ଏବଂ ବିଦେଶ ସଞ୍ଚାର ନିଗମ ଲିମିଟେଡ (ଭିଏସ୍‌ଏନ୍‌ଏଲ୍‌) ଆଦି ସଂସ୍ଥାରୁ ତାଙ୍କ ଅମଳରେ ପୁଞ୍ଜି ପ୍ରତ୍ୟାହାର କରାଯାଇଥିଲା।

୪.ବିତ୍ତୀୟ ଉତ୍ତରଦାୟିତ୍ୱ ଆଇନ
ବିତ୍ତୀୟ ନିଅଣ୍ଟ ହ୍ରାସ କରିବା ପାଇଁ ବାଜପେୟୀ ସରକାର ବିତ୍ତୀୟ ଉତ୍ତରଦାୟିତ୍ୱ ଆଇନ ପ୍ରଣୟନ କରିଥିଲେ। ୨୦୦୦ ମସିହାରେ ସରକାରୀ ସଞ୍ଚୟ ଜିଡିପିର -୦.୮ ପ୍ରତିଶତ ଥିବାବେଳେ ନୂଆ ବ୍ୟବସ୍ଥା ଯୋଗୁଁ ୨୦୦୫ ଆର୍ଥିକ ବର୍ଷ ବେଳକୁ ସରକାରୀ ସଞ୍ଚୟ ଜିଡିପିର ୨.୩ ପ୍ରତିଶତକୁ ବୃଦ୍ଧି ପାଇଥିଲା।

୫.ଟେଲିକମ୍‌ କ୍ରାନ୍ତି
ବାଜପେୟୀ ସରକାରଙ୍କ ଅମଳରେ ନୂଆ ଦୂରସଞ୍ଚାର ନୀତି ପ୍ରସ୍ତୁତ ହୋଇଥିଲା। ଏଥିଯୋଗୁଁ ଟେଲିକମ୍‌ କ୍ଷେତ୍ରରେ ବିପ୍ଳବ ଆସି ପାରିଥିଲା। ଟେଲିକମ୍‌ କମ୍ପାନି ଗୁଡ଼ିକ ପାଇଁ ରହିଥିବା ସ୍ଥାୟୀ ଲାଇସେନ୍ସ ଶୁଳ୍କ ବ୍ୟବସ୍ଥାକୁ ହଟାଇ ଦିଆଯାଇ ରାଜସ୍ୱ ଆବଣ୍ଟନ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଭାରତ ସଞ୍ଚାର ନିଗମ ଲିମିଟେଡକୁ ଭାରତ ସରକାରଙ୍କ ଟେଲିକମ୍‌ ବିଭାଗରୁ ପୃଥକ୍‌ କରାଯାଇଥିଲା। ସେହିଭଳି ଅନ୍ତର୍ଜାତୀୟ ଟେଲିଫୋନ୍‌ ସେବା କ୍ଷେତ୍ରରେ ଭିଏସ୍‌ଏନ୍‌ଏଲ୍‌ର ରହିଥିବା ଏକଚାଟିଆ ଅଧିକାରରେ ମଧ୍ୟ ପୂର୍ଣ୍ଣଛେଦ ପଡ଼ିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.