ପେଟ୍ରୋଲ ୧୦ ପଇସା, ଡିଜେଲ ୮ ପଇସା କମିଲା

ଭୁବନେଶ୍ୱର: ସରକାରୀ ତେଲ କମ୍ପାନି ଗୁଡ଼ିକ ତୃତୀୟ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ କରିଛନ୍ତି। ଦୀର୍ଘ ୧୬ ଦିନ ଧରି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିବା ପରେ ଦେଶରେ ବିରୋଧୀ ଦଳ ଗୁଡ଼ିକ ପକ୍ଷରୁ ଏହାକୁ ନେଇ ତମ୍ବିତୋଫାନ ହୋଇଥିଲା। ତେଲ ଦର ହ୍ରାସ ପାଇଁ ସରକାର କୌଣସି ବାଟ ମଧ୍ୟ ବାହାର କରିଲେ ନାହିଁ। କିନ୍ତୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିବା ଫଳରେ ଦେଶରେ ଗତ ୩ ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଉଛି। କିନ୍ତୁ ଯେଉଁ ମାତ୍ରାରେ ବୃଦ୍ଧି ପାଉଥିଲେ ସେହି ମାତ୍ରାରେ ହ୍ରାସ ପାଉନାହିଁ। ଗତ ୩୦ ତାରିଖରେ ପ୍ରଥମ ଦିନ ଭାରତୀୟ ତୈଳ ନିଗମ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୧ ପଇସା ଲେଖାଏଁ ହ୍ରାସ କରିଥିଲା। ଦ୍ୱିତୀୟ ଦିନ ପାଇଁ ୩୧ ତାରିଖରେ ପେଟ୍ରୋଲ ୩ ପଇସା ଏବଂ ଡିଜେଲ ୨ ପଇସା କମିଥିବାବେଳେ ତୃତୀୟ ଦିନ ପାଇଁ ଜୁନ୍‌ ୧ରେ ପେଟ୍ରୋଲ ୧୦ ପଇସା ଏବଂ ଡିଜେଲ ୮ ପଇସା ହ୍ରାସ ଘଟିଛି। ତିନିଦିନକୁ ମିଶାଇଲେ ପେଟ୍ରୋଲ ଲିଟର ପିଛା ୧୪ ପଇସା ଏବଂ ଡିଜେଲ ଲିଟର ପିଛା ୧୧ ପଇସା ହ୍ରାସ ଘଟିଛି। କିନ୍ତୁ କର୍ଣ୍ଣାଟକ ନିର୍ବାଚନ ପରେ ୧୬ ଦିନରେ ପେଟ୍ରୋଲ ଦର ଲିଟର ପିଛା ୩ ଟଙ୍କା ୫୯ ପଇସା ଏବଂ ଡିଜେଲ ଦର ୩ ଟଙ୍କା ୪୨ ପଇସା ବୃଦ୍ଧି ପାଇଥିଲା।

ସମ୍ବନ୍ଧିତ ଖବର