ବିଶ୍ୱବିଦ୍ୟାଳୟ ଅଧ୍ୟାପକଙ୍କୁ ଉପହାର: ୨୦୧୬ ଜାନୁଆରି ପହିଲାରୁ ମିଳିବ ସପ୍ତମ ବେତନ ଆୟୋଗ ଦରମା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ସପ୍ତମ ବେତନ କମିସନର ସୁପାରିସ ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ବିଶ୍ୱବିଦ୍ୟାଳୟ, ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ଅଧ୍ୟାପକମାନଙ୍କୂ ବର୍ଦ୍ଧିତ ହାରରେ ଦରମା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବିଶ୍ୱବିଦ୍ୟାଳୟ ଅଧ୍ୟାପକମାନଙ୍କ ପାଇଁ ଏହି ନିଷ୍ପତ୍ତି ଦୀପାବଳି ଉପହାର ସ୍ୱରୂପ ହୋଇଛି। କେନ୍ଦ୍ର କ୍ୟାବିନେଟ୍‌ର ଏହି ନିଷ୍ପତ୍ତି ଫଳରେ ୩୨୯ଟି ରାଜ୍ୟସ୍ତରୀୟ ବିଶ୍ୱବିଦ୍ୟାଳୟ ଏବଂ ୧୨,୯୧୨ଟି କଲେଜର ସହାୟକ ଏବଂ ସହଯୋଗୀ ଅଧ୍ୟାପକମାନେ ୨୦୧୬ ଜାନୁଆରି ପହିଲାରୁ ସପ୍ତମ ବେତନ ଆୟୋଗ ସୁପାରିସ ଅନୁଯାୟୀ ବେତନ ପାଇବେ। ସେହିଭଳି କେନ୍ଦ୍ର ସରକାରଙ୍କ ପାଣ୍ଠିରେ ପରିଚାଳିତ ସମସ୍ତ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଏବଂ ୪୩ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନେ ଉପକୃତ ହେବେ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଏଥିସହିତ ଆଇଆଇଟି, ଆଇଆଇଏସ୍‌ସି, ଆଇଆଇଏମ୍‌, ଆଇଆଇଏସ୍‌ଇଆର୍‌, ଆଇଆଇଆଇଟି, ଏନ୍‌ଆଇଟିଆଇଇ ଆଦି ୧୧୯ଟି ବୈଷୟିକ ଶିକ୍ଷାନୁଷ୍ଠାନର ଅଧ୍ୟାପକମାନେ ମଧ୍ୟ ବର୍ଦ୍ଧିତ ହାରରେ ଦରମା ପାଇବେ। ଅଧ୍ୟାପକମାନଙ୍କ ସର୍ବନିମ୍ନ ବେତନ ୨୨ ପ୍ରତିଶତରୁ ୨୮ ପ୍ରତିଶତ ମଧ୍ୟରେ ବୃଦ୍ଧି ଘଟିବ ବୋଲି ସରକାର କହିଛନ୍ତି। ଏହି ବୃଦ୍ଧି ୧୦ ହଜାର ଟଙ୍କାରୁ ୫୦ ହଜାର ଟଙ୍କା ମଧ୍ୟରେ ରହିବ ବୋଲି ଏକ ସୂତ୍ରରୁ ଜଣାଯାଇଛି।

କ୍ୟାବିନେଟ୍‌ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଜାଭଡେକର କହିଛନ୍ତି, ଆଜିର ନିଷ୍ପତ୍ତି ଫଳରେ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ୭ ଲକ୍ଷ ୫୮ ହଜାର ଅଧ୍ୟାପକ ଲାଭବାନ ହେବେ। ଏହାଦ୍ୱାରା ଶିକ୍ଷାକ୍ଷେତ୍ରରେ ଚାକିରି କରିବା ଲାଗି ପ୍ରତିଭାବାନ ବ୍ୟକ୍ତିମାନେ ଆକୃଷ୍ଟ ହେବେ ବୋଲି ସେ କହିଛନ୍ତି।

ୟୁଜିସି ଏବଂ କେନ୍ଦ୍ରୀୟ ଅନୁଦାନରେ ପରିଚାଳିତ ଶିକ୍ଷାନୁଷ୍ଠାନ ଗୁଡ଼ିକର ଅଧ୍ୟାପକମାନେ ମଧ୍ୟ ସଂଶୋଧିତ ହାରରେ ଦରମା ପାଇବେ। ଏଥିଯୋଗୁଁ କେନ୍ଦ୍ର ସରକାରଙ୍କୁ ବର୍ଷକୁ ପ୍ରାୟ ୯୮୦୦ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ପଡ଼ିବ। ରାଜ୍ୟ ସରକାରଙ୍କ ପାଣ୍ଠିରେ ପରିଚାଳିତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ କାର୍ଯ୍ୟରତ ଅଧ୍ୟାପକମାନଙ୍କ ବର୍ଦ୍ଧିତ ବେତନକୁ ସମ୍ପୃକ୍ତ ରାଜ୍ୟ ସରକାର ମଞ୍ଜୁରି ଦେବା ପରେ ତାହାକୁ କାର୍ଯ୍ୟକାରୀ କରାଯିବ। ରାଜ୍ୟ ସରକାରଙ୍କ ସଂଶୋଧିତ ବେତନ ବାବଦ ଅତିରିକ୍ତ ବୋଝ କେନ୍ଦ୍ର ସରକାର ବହନ କରିବେ।

ସେହିଭଳି ଦକ୍ଷତା ବିକାଶ ମିସନ୍‌କୁ ସୁଦୃଢ଼ କରିବା ଲାଗି ମଧ୍ୟ ଆଜି କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଜୀବିକା ପ୍ରୋତ୍ସାହନ ଲାଗି ଦକ୍ଷତା ଆହରଣ ଏବଂ ଜ୍ଞାନ ସଚେତନତା(ସଂକଳ୍ପ) ଏବଂ ଶିଳ୍ପ କ୍ଷେତ୍ରରେ ମୂଲ୍ୟ ଯୋଗ ପାଇଁ ଦକ୍ଷତାର ସୁଦୃଢ଼ୀକରଣ( ଷ୍ଟ୍ରାଇଭ୍‌) ନାମରେ ଦୁଇଟି ନୂଆ ଯୋଜନା ଆରମ୍ଭ କରାଯାଇଛି। ଏଥିସହିତ ଅନ୍‌-ଜବ୍‌ ଟ୍ରେନିଂ ପାଇଁ ଭାରତରୁ ଜାପାନକୁ ୩ ଲକ୍ଷ କୁଶଳୀ ଯୁବକ ଯିବେ। ୩ରୁ ୫ ବର୍ଷ ପାଇଁ ଏମାନଙ୍କୁ ପଠାଯିବ। ଏମାନଙ୍କ ତାଲିମ ଖର୍ଚ୍ଚ ଜାପାନ ବହନ କରିବ। ବୈଷୟିକ ଇଣ୍ଟର୍ଣ୍ଣ ତାଲିମ କାର୍ଯ୍ୟକ୍ରମ ପାଇଁ ଭାରତ ଏବଂ ଜାପାନ ମଧ୍ୟରେ ଏମ୍‌ଓସି ( ମେମୋରାଣ୍ଡମ୍‌ ଅଫ୍‌ କୋଅପରେସନ୍‌) ସ୍ୱାକ୍ଷର ହେବ। ଏହି ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛି। ଚଳିତମାସ ୧୬ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩ ଦିନିଆ ଜାପାନ ଗସ୍ତରେ ଯିବେ। ସେହି ସମୟରେ ଏମ୍‌ଓସି ସ୍ୱାକ୍ଷର ହେବା ଆଶା ରହିଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କ୍ୟାବିନେଟ୍‌ ବୈଠକ ପରେ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ୫୦ ହଜାର ଜାପାନରେ ନିଯୁକ୍ତି ମଧ୍ୟ ପାଇପାରନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଜାପାନ ସରକାରଙ୍କ ନୀତି ଅନୁଯାୟୀ ତାଲିମ ନେବା ପାଇଁ ଯିବାକୁ ଥିବା ଯୁବକମାନଙ୍କୁ ଚୟନ କରାଯିବ।

କ୍ୟାବିନେଟ୍‌ ନିଷ୍ପତ୍ତି
ଲାଭବାନ ହେବେ ୭.୫୮ ଲକ୍ଷ ଅଧ୍ୟାପକ
ସର୍ବନିମ୍ନ ବେତନ ୨୨ରୁ ୨୮ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବ
୨୦୧୬ ଜାନୁଆରି ପହିଲାରୁ ପିଛିଲା ଭାବେ ଲାଗୁ
ଯୁବବର୍ଗର ଦକ୍ଷତା ବୃଦ୍ଧି ପାଇଁ ୨ ନୂଆ ଯୋଜନା
ବୈଷୟିକ ତାଲିମ ପାଇଁ ଜାପାନ ଯିବେ ଲକ୍ଷେ ଯୁବକ

ସମ୍ବନ୍ଧିତ ଖବର