ସବ୍‌ସିଡି ରାଶି କମାଅ

ଓ୍ଵାସିଂଟନ୍‌: ଭାରତୀୟ ଅର୍ଥନୀତିର ୩ଟି କ୍ଷେତ୍ରରେ ଢାଞ୍ଚାଗତ ସଂସ୍କାର ଆଣିବା ଲାଗି ଅନତର୍ଜାତୀୟ ମୁଦ୍ରାପାଣ୍ଠି ସରକାରଙ୍କୁ ପରାମର୍ଶ ଦେଇଛି। ସେଗୁଡ଼ିକ ମଧ୍ୟରେ ଗୋଟିଏ ହେଲା କର୍ପୋରେଟ ଏବଂ ବ୍ୟାଙ୍କ କ୍ଷେତ୍ରର ଦୁର୍ବଳତାକୁ ସୁଧାରିବା। ଦ୍ୱିତୀୟଟି ହେଲା ରାଜସ୍ୱ କ୍ଷେତ୍ରରେ ଅଧିକରୁ ଅଧିକ ପଦକ୍ଷେପ ନେଇ ବିତ୍ତୀୟ ଶୃଙ୍ଖଳାକୁ ବଜାୟ ରଖିବା ଏବଂ ତୃତୀୟଟି ହେଲା ଶ୍ରମ ଓ ଉତ୍ପାଦ ବଜାରର ଦକ୍ଷତାରେ ଉନ୍ନତି ଆଣିବା।
ଆଇଏମ୍‌ଏଫ୍‌ର ଏସିଆ ପ୍ରଶାନ୍ତମହାସାଗରୀୟ ଅଞ୍ଚଳ ପାଇଁ ନିଯୁକ୍ତ ଉପ ନିର୍ଦ୍ଦେଶକ କେନିଥ୍‌ କାଙ୍ଗ୍‌ କହିଛନ୍ତି, ଏସିଆର ଅର୍ଥନୈତିକ ପରିଦୃଶ ଭଲ ରହିଛି। ତେଣୁ ଜଟିଳ ସଂସ୍କାର କାର୍ଯ୍ୟକାରୀ କରିବା ପାଇଁ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଯୋଗ ରହିଛି ବୋଲି ସେ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
କାଙ୍ଗ୍‌ କହିଛନ୍ତି ଢାଞ୍ଚାଗତ ସୁଧାର ପ୍ରସଙ୍ଗରେ ଭାରତ ଉପରୋକ୍ତ ୩ଟି ପ୍ରସଙ୍ଗକୁ ଗୁରୁତ୍ୱ ଦେବା ଉଚିତ। ପ୍ରଥମତଃ କର୍ପୋରେଟ ଏବଂ ବ୍ୟାଙ୍କ କ୍ଷେତ୍ରର ଆର୍ଥିକ ସ୍ଥିତି ସୁଦୃଢ଼ କରିବାକୁ ହେବ। ଉଲ୍ଲେଖଯୋଗ୍ୟ ଯେ ବ୍ୟାଙ୍କ ଗୁଡ଼ିକର ଅନାଦାୟ ଋଣ ସମସ୍ୟା ବଢ଼ିଯାଇଛି। ଏ ବାବଦରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକର ଋଣ ପରିଶୋଧ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ହେବ। ଏଥିସହିତ ସରକାରୀ ବ୍ୟାଙ୍କ ଗୁଡ଼ିକୁ ଅଧିକ ପୁଞ୍ଜି ଯୋଗାଇ ଦେବାର ଆବଶ୍ୟକତା ମଧ୍ୟ ରହିଛି। ଦ୍ୱିତୀୟ ବିଷୟଟି ହେଲା ବିଭିନ୍ନ ପ୍ରକାର ରାଜସ୍ୱ ପଦକ୍ଷେପ ଗ୍ରହଣ କରି ଭାରତ ଏହାର ବିତ୍ତୀୟ ଶୃଙ୍ଖଳାକୁ ବଜାୟ ରଖିବା ଉଚିତ। ଏଥିରେ ସରକାରଙ୍କୁ ସବ୍‌ସିଡି ରାଶି ଆହୁରି କମାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଭିତ୍ତିଭୂମି ବିକାଶରେ ଯେଉଁସବୁ ଅସୁବିଧା ରହିଛି ତାହାକୁ ଦୂର କରିବା ଲାଗି ମଧ୍ୟ କୁହାଯାଇଛି। ଏଥିରେ ଶ୍ରମ ଏବଂ ଉତ୍ପାଦ ବଜାରରେ ଦକ୍ଷତା ବୃଦ୍ଧି ଲାଗି ପରାମର୍ଶ ଦିଆଯାଇଛି। ସେହିଭଳି କୃଷି କ୍ଷେତ୍ରରେ ମଧ୍ୟ ସଂସ୍କାରକୁ ବ୍ୟାପକ କରିବାକୁ କୁହାଯାଇଛି।
ଶ୍ରମ ବଜାରରେ ସଂସ୍କାର ଆଣିବା ପାଇଁ ବଜାର ନିୟାମକ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ କୁହାଯାଇଛି। ଏହାହେଲେ ନିବେଶ ଏବଂ ନିଯୁକ୍ତି ଲାଗି ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ। ଦେଶରେ ଶ୍ରମ ଆଇନ ସଂଖ୍ୟାକୁ ହ୍ରାସ କରିବାକୁ ମଧ୍ୟ କୁହାଯାଇଛି। ଏବେ ଭାରତରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସ୍ତରରେ ପ୍ରାୟ ୨୫୦ଟି ଶ୍ରମ ଆଇନ ରହିଛି। ଏଥିସହିତ ଭାରତରେ ରହିଥିବା ଲିଙ୍ଗଗତ ପାର୍ଥକ୍ୟକୁ ହ୍ରାସ କରିବା ଲାଗି ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ମହିଳାଙ୍କ ପାଇଁ ଦେଶରେ ନିଯୁକ୍ତି ସୁଯୋଗ ଦେଖାଦେବ ବୋଲି ଆଇଏମ୍‌ଏଫ୍‌ କହିଛି।

ସମ୍ବନ୍ଧିତ ଖବର