ଆଉ ଜଣେ ଅର୍ଥନୀତିଜ୍ଞଙ୍କ ଇସ୍ତଫା

ନୂଆଦିଲ୍ଲୀ: ଗତକାଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଉର୍ଜିତ ପଟେଲ୍‌ ଇସ୍ତଫା ଦେଇଥିବା ବେଳେ ଆଜି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରୁ ସୁର୍ଜିତ ଭଲ୍ଲା ଇସ୍ତଫା ପ୍ରଦାନ କରିଛନ୍ତି। ସେ ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ କାମ କରୁଥିଲେ। ନିଜ ଇସ୍ତଫା ବିଷୟରେ ସେ ଟୁଇଟ୍ କରି ଜଣାଇଛନ୍ତି। ସେ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନ‌ୈତିକ ପରାମର୍ଶଦାତା ପରିଷଦରୁ ମୁଁ ଡିସେମ୍ବର ୧ରେ ଇସ୍ତଫା ପ୍ରଦାନ କରିଛି। ମୋ ପୁସ୍ତକ ‘ସିଟିଜେନ୍ ରାଜ୍: ଭାରତୀୟ ନିର୍ବାଚନ ୧୯୫୨-୨୦୧୯’ ଉପରେ ଅଧିକ ମନୋନିବେଶ କରିବା ପାଇଁ ମୁଁ ଏଭଳି ନିଷ୍ପତ୍ତି ନେଇଛି। ତାଙ୍କ ଇସ୍ତଫାକୁ ସରକାର ଗ୍ରହଣ କରିନେଇଛନ୍ତି। ଶ୍ରୀ ଭଲ୍ଲା ଜଣେ ଅର୍ଥନୀତିଜ୍ଞ ହୋଇଥିବା ବେଳେ ସମ୍ବାଦପତ୍ର ସ୍ତମ୍ଭକାର ଭାବେ ମଧ୍ୟ କାମ କରୁଛନ୍ତି। ନେଟୱର୍କ୧୮ ଗ୍ରୁପ୍‌ର ସେ ପରାମର୍ଶଦାତା ମଧ୍ୟ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୭ ସେପ୍ଟେମ୍ବରରେ ପାଞ୍ଚ ଜଣିଆ ସଦସ୍ୟ ବିଶିଷ୍ଟ ଅର୍ଥନୈତିକ ପରାମର୍ଶଦାତା ପରିଷଦ ଗଠନ କରିଥିଲେ। ଏହାର ମୁଖ୍ୟ ହେଉଛନ୍ତି ନିତି ଆୟୋଗ ସଦସ୍ୟ ବିବେକ ଦେବରାୟ। ଅନ୍ୟ ସଦସ୍ୟମାନେ ହେଉଛନ୍ତି ରଥିନ୍ ରୟ, ଅସିମା ଗୋୟଲ, ସମିକା ରବି ଓ ରତନ ୱଟଲ୍। ଭଲ୍ଲା ଇସ୍ତଫା ପ୍ରଦାନ କରିବା ପୂର୍ବରୁ ନିଯୁକ୍ତି ସମ୍ପର୍କିତ ଏକ ରିପୋର୍ଟ ଉପରେ କାମ କରିଥିଲେ।
ଉଲ୍ଲେଖଯୋଗ୍ୟ, ଭଲ୍ଲାଙ୍କ ପୂର୍ବରୁ ନିତି ଆୟୋଗର ମୁଖ୍ୟ ଭା‌େବ କାମ କରିଥିବା ଅରବିନ୍ଦ ପାନଗାରିୟା, ଦେଶର ପୂର୍ବତନ ମୁଖ୍ୟ ଅର୍ଥନୈୖତିକ ପରାମର୍ଶଦାତା (ସିଇଏ) ଅରବିନ୍ଦ ସୁବ୍ରମଣିଅନ୍ ଇସ୍ତଫା ପ୍ରଦାନ କରିଥିଲେ। ଗତକାଲି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଉର୍ଜିତ ପଟେଲ୍ ଇସ୍ତଫା ଦେଇଥିଲେ।

ସମ୍ବନ୍ଧିତ ଖବର