କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥାଙ୍କ ପାଇଁ ନୂଆ ନୀତି ଘୋଷଣା କରିବ ନାଲ୍‌କୋ

ଭୁବନେଶର: ନାଲ୍‌କୋ ପକ୍ଷରୁ ଖୁବଶୀଘ୍ର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା (ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ପାଇଁ ନୂଆ ନୀତି ଘୋଷଣା କରାଯିବ। ଓସ୍‌ମି ପକ୍ଷରୁ ଇଡ୍‌କଲ୍‌ ଅଡିଟୋରିୟମ୍‌ରେ ଆୟୋଜିତ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ମିଟ୍‌ ୨୦୧୮ର ଦ୍ୱିତୀୟ ଦିନରେ ଅତିଥି ଭାବେ ଯୋଗ ଦେଇ ନାଲ୍‌କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ଏହି ସୂଚନା ଦେଇଛନ୍ତି। ଡକ୍ଟର ଚାନ୍ଦ କହିଲେ, ଆମେ ଆମର ଆଲୁମିନିୟମ୍‌କୁ ଏମ୍‌ଏସ୍‌ଏମ୍‌ଇ ମାନଙ୍କୁ ପ୍ରଦାନ କରିବୁ ଯାହା ବ୍ୟବହାର କରି ସେମାନେ ବିଭିନ୍ନ ପ୍ରକାର ଫିନିସଡ୍‌ ଗୁଡସ୍‌ ପ୍ରସ୍ତୁତ କରିବେ। ସେମାନଙ୍କ ସହିତ ନାଲ୍‌କୋ ୩୦ ବର୍ଷର ବୁଝାମଣା କରିବ। ଫଳରେ ସେମାନଙ୍କୁ କୌଣସି ପ୍ରକାର କଞ୍ଚାମାଲ୍‌ ସମସ୍ୟା ହେବ ନାହିଁ। ଏହି ନୀତିର ରୂପରେଖ ପ୍ରସ୍ତୁତ ହୋଇଯାଇଛି। ଆଗାମୀ ୧୫ ଦିନ କିମ୍ବା ମାସେ ଭିତରେ ତାହାକୁ ଘୋଷଣା କରାଯିବ। ସେ ଆଉ ମଧ୍ୟ କହିଛନ୍ତି ଯେ ନାଲ୍‌କୋ ଉଦ୍ୟୋଗୀ ସୃଷ୍ଟି କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଉଛି। ଉଚ୍ଚ ମାନର ଆଲୁମିନିୟମ୍‌ ଉତ୍ପାଦ ପ୍ରସ୍ତୁତ କରିବା ପାଇଁ ଏହା ଏୟାରବସ୍‌ ଓ ବୋଇଙ୍ଗ ଭଳି ସଂସ୍ଥା ସହିତ ଆଲୋଚନା କରିଛି। ଆଲ୍‌ମେକ୍ସ ନାମକ କଂପାନି ଏଥିପାଇଁ ପ୍ରଯୁଚ୍ଛି ଯୋଗାଇଦେବ। ଏହି ପ୍ରକଳ୍ପ ପାଇଁ ଜଣେ କିମ୍ବା ଦୁଇ ଜଣ ଓଡ଼ିଆ ଉଦ୍ୟୋଗୀଙ୍କୁ ପାର୍ଟନର୍‌ ଭାବେ ଗ୍ରହଣ କରିବାକୁ ନାଲ୍‌କୋ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ଯାହାକୁ ଏହି କଂପାନିଗୁଡ଼ିକ ଗ୍ରହଣ କରିଛନ୍ତି ବୋଲି ଡକ୍ଟର ଚାନ୍ଦ କହିଛନ୍ତି।

ସମ୍ବନ୍ଧିତ ଖବର