ଜାନୁୟାରୀରୁ କାର୍‌ ଦର ବଢାଇବ ଟାଟା ମୋଟର୍ସ

ନୂଆଦିଲ୍ଲୀ- ଟୟୋଟା ଓ ହୋଣ୍ଡା ପରେ ଭାରତୀୟ ଅଟୋମୋବାଇଲ କମ୍ପାନି ଟାଟା ମୋଟର୍ସ ମଧ୍ୟ ନିଜର ବିଭିନ୍ନ ମଡେଲ କାର୍‌ର ଦର ବଢାଇବାକୁ ଘୋଷଣା କରିଛି । ବିଭିନ୍ନ ମଡେଲର ମୂଲ୍ୟ ପ୍ରାୟ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଆସନ୍ତା ଜାନୁୟାରୀଠାରୁ ଏହି ଦରବୃଦ୍ଧି ଲାଗୁ ହେବ ।

କଞ୍ଚାମାଲ ଓ ଅନ୍ୟାନ୍ୟ ଅନୁଷଙ୍ଗିକ ବ୍ୟୟବୃଦ୍ଧି ପାଇଥିବାରୁ ଦର ବୃଦ୍ଧି କରାଯାଇଥିବା କମ୍ପାନି ପକ୍ଷରୁ କୁହାଯାଇଛି । ଏ ସଂପର୍କରେ ସୂଚନା ଦେଇ କମ୍ପାନିର ସଭାପତି, ଯାତ୍ରୀବାହୀ ବ୍ୟବସାୟ ବିଭାଗ, ମୟଙ୍କ ପାରିକ୍‌ କହିଛନ୍ତି ଯେ ବଦଳୁଥିବା ବଜାର ପାଣିପାଗ, କଞ୍ଚାମାଲ ଓ ଅନ୍ୟାନ୍ୟ ଅନୁଷଙ୍ଗିକ ବ୍ୟୟବୃଦ୍ଧି ଓ କେତେକ ବାହ୍ୟ ଅର୍ଥନୈତିକ ପ୍ରଭାବ ଯୋଗୁଁ କମ୍ପାନି ଦରବୃଦ୍ଧି କରିବାକୁ ବାଧ୍ୟ ହୋଇଛି । ଆଗାମୀ ଦିନରେ କମ୍ପାନି ନିଜର ଅଭିବୃଦ୍ଧି ବଜାୟ ରଖିବ । କମ୍ପାନିର ସଫଳ ମଡେଲ ଯଥା ଟିଆଗୋ, ହେକ୍ସା, ଟିଗର୍‌ ଓ ନିକଟରେ ଲଞ୍ଚ କରାଯାଇଥିବା ନେକ୍ସନ ଆଦି ମଡେଲ ଦ୍ୱାରା କମ୍ପାନି ନିଜର ଅଭିବୃଦ୍ଧି ବଜାୟ ରଖିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଟୟୋଟା ଓ ହୋଣ୍ଡା ଆସନ୍ତା ଜାନୁୟାରୀ ମାସରୁ ଦର ବଢାଇବେ ବୋଲି କିଛିଦିନ ତଳେ ଘୋଷଣା କରିଥିଲେ । ଟୟୋଟା ଜାନୁୟାରୀରୁ ନିଜର ବିଭିନ୍ନ ମଡେଲର ଦର ପ୍ରାୟ ୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କହିଥିବାବେଳେ ହୋଣ୍ଡା ମଧ୍ୟ ନିଜର ବିଭିନ୍ନ ମଡେଲର ମୂଲ୍ୟ ୨୫ ହଜାର ଟଙ୍କା ବା ୧ରୁ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ବିଷୟ ଘୋଷଣା କରିଥିଲା ।

ସମ୍ବନ୍ଧିତ ଖବର