ଜିଏସ୍‌ଟିକୁ ପୂରିଲା ବର୍ଷେ: ଦେଇଛି କମ୍‌ ନେଇଛି ବେଶି

ଜିଏସ୍‌ଟି ଦିବସ ଭାବେ ପାଳନ ହେବ ଜୁଲାଇ ୧

ନୂଆଦିଲ୍ଲୀ: ଗତବର୍ଷ ଜୁଲାଇ ୧ ତାରିଖରୁ ଦେଶରେ ଜିଏସ୍‌ଟି କାର୍ଯ୍ୟକାରୀ ହୋଇଛି। ଚଳିତବର୍ଷ ଜୁଲାଇ ୧ରେ ଏହି ନୂଆ ଟିକସ ବ୍ୟବସ୍ଥାକୁ ବର୍ଷେ ପୂରଣ ହେଉଛି। ଏଥିପାଇଁ ସରକାର ଚଳିତବର୍ଷ ଜୁଲାଇ ୧କୁ ଜିଏସ୍‌ଟି ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅବସରରେ ଆୟୋଜିତ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ଜଣାଯାଇଛି।

ଭୁବନେଶ୍ୱର: ଦେଶରେ ସାମଗ୍ରୀ ଓ ସେବା ଟିକସ ବା ଜିଏସ୍‌ଟି କାର୍ଯ୍ୟକାରିତାକୁ ରବିବାର ବର୍ଷେ ପୂରଣ ହେଉଛି। ଦୀର୍ଘଦିନର କସରତ ଏବଂ ବାବବିବାଦ ମଧ୍ୟରେ ଜିଏସ୍‌ଟି କାର୍ଯ୍ୟକାରୀ ହୋଇଛି। ଦେଶକୁ ଗୋଟିଏ ଟିକସ ଏବଂ ଗୋଟିଏ ବଜାର କରିବା ଲକ୍ଷ୍ୟରେ କାର୍ଯ୍ୟକାରୀ କରାଯାଇଥିବା ଏହି ନୂଆ ଟିକସ ବ୍ୟବସ୍ଥା ଲୋକଙ୍କୁ ଯେଉଁଭଳି ଲାଭ ଦେବା କଥା ତାହା ଦେଇନାହିଁ। ବରଂ ଲୋକଙ୍କଠାରୁ ଜିଏସ୍‌ଟି ନେଇଛି ବେଶି ଏବଂ ଦେଇଛି କମ୍‌। ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ଏହା ନାନା ଅସୁବିଧାରେ ପକାଇଛି। ଦେଶରେ ଟିକସଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରାଜସ୍ୱ ଆଦାୟ ପରିମାଣ ବଢ଼ିଛି। ଟିକସ ଆଦାୟରେ ସ୍ୱଚ୍ଛତା ଆସିଛି ବୋଲି ସରକାର ଦାବି କରୁଥିଲେ ମଧ୍ୟ ଜିଏସ୍‌ଟି ବ୍ୟବସାୟୀମାନଙ୍କ ସମସ୍ୟା ବଢ଼ାଇ ଦେଇଛି। ଜିଏସ୍‌ଟି କାର୍ଯ୍ୟକାରୀ ହେଲେ ଦେଶରେ ବିଭିନ୍ନ ସାମଗ୍ରୀ ଓ ସେବାର ଦରଦାମ କମିବ ବୋଲି ଆଶା ସରକାର ଦେଖାଇଥିଲେ। ବର୍ଷେ ବିତି ଯାଇଥିଲେ ମଧ୍ୟ ଲୋକମାନେ ଦରଦାମ ହ୍ରାସର କୌଣସି ପ୍ରଭାବ ଏପର୍ଯ୍ୟନ୍ତ ଅନୁଭବ କରିପାରି ନାହାନ୍ତି। ବରଂ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବଢ଼ି ଯାଇଛି। ଟେଲିଫୋନ୍‌ଠାରୁ ଆରମ୍ଭ କରି ବିଭିନ୍ନ ସେବା ମଧ୍ୟ ମହଙ୍ଗା ହୋଇଯାଇଛି।

ଜିଏସ୍‌ଟି କାର୍ଯ୍ୟକାରୀ ହେଲେ ବ୍ୟବସାୟୀମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। କୌଣସି କାର୍ଯ୍ୟାଳୟରେ ସେମାନଙ୍କୁ ଲାଞ୍ଚ ଦେବାକୁ ପଡ଼ିବ ନାହିଁ। ଘରେ ବସି କମ୍ପ୍ୟୁଟରରେ ସେମାନେ ଟିକସ ପ୍ରଦାନ କରିବା ସହିତ ରିଟର୍ଣ୍ଣ ଫାଇଲ କରିପାରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ସରକାର ଅଜାଡ଼ି ଦେଇଥିଲେ। କିନ୍ତୁ ଜିଏସ୍‌ଟି କାର୍ଯ୍ୟକାରୀ ହେବାର ଦୀର୍ଘଦିନ ପର୍ଯ୍ୟନ୍ତ ଆଇଟି ଭିତ୍ତିଭୂମିକୁ ସରକାର ଠିକ୍‌ କରିପାରିଲେ ନାହିଁ। ଯାହାଫଳରେ ରିଟର୍ଣ୍ଣ ଫାଇଲ କରିବା ଏବଂ ପଞ୍ଜୀକରଣ କରିବା ନେଇ ବ୍ୟବସାୟୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି। ତଳସ୍ତରର ଅଧିକାରୀମାନଙ୍କର ଜିଏସ୍‌ଟି ସମ୍ପର୍କରେ ଆବଶ୍ୟକ ଜ୍ଞାନ ରହୁନାହିଁ। ଫଳରେ ସେମାନେ ବ୍ୟବସାୟୀ ଉପଯୁକ୍ତ ସହାୟତା ଦେଇପାରୁ ନାହାନ୍ତି।

ବ୍ୟବସାୟୀଙ୍କ ମୁନାଫାଖୋର ମନୋବୃତ୍ତି ଉପରେ ରୋକ ଲଗାଇବା ପାଇଁ ଜିଏସ୍‌ଟି ଆଇନରେ ଆଣ୍ଟି ପ୍ରଫିଟିୟରିଂ କ୍ଲଜ୍‌ ରହିଥିଲେ ମଧ୍ୟ ଏହା କାମରେ ଆସୁନାହିଁ। ବ୍ୟବସାୟୀମାନେ ଗ୍ରାହକଙ୍କୁ ଟିକସ ହ୍ରାସର ଲାଭ ପ୍ରଦାନ କରୁଛନ୍ତି କି ନାହିଁ ତାହା ଯାଞ୍ଚ କରାଯାଉ ନାହିଁ। ଅଭିଯୋଗ ଆସିଲେ କର୍ତ୍ତୃପକ୍ଷ ପଦକ୍ଷେପ ନେବେ ବୋଲି କହିଦେଇ ହାତଝାଡ଼ି ବସି ପଡ଼ୁଛନ୍ତି। ଟିକସ ଠକେଇ ମଧ୍ୟ କମିଯିବ ବୋଲି ଯାହା କୁହାଯାଉଥିଲା ତାହା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ନିକଟରେ ଧରା ପଡ଼ିଥିବା ୨ ହଜାର କୋଟି ଟଙ୍କାର ଟିକସ ଫାଙ୍କି ଏହାର ଜ୍ୱଳନ୍ତ ଉଦାହରଣ। ନକଲି ଇନ୍‌ଭଏସ୍‌ ମଧ୍ୟ ବ୍ୟବହୃତ ହେଉଛି। ଏପରିକି କେତେକ ରପ୍ତାନିକାରୀ ରପ୍ତାନି ନକରି ନକଲି ଇନ୍‌ଭଏସ୍‌ରେ ଟ୍ୟାକ୍ସ କ୍ରେଡିଟ୍‌ ମାଗୁଛନ୍ତି। ବେଆଇନ ରିଫଣ୍ଡ ଦାବି ବି ବଢ଼ିଛି। ଜିଏସ୍‌ଟି ବ୍ୟବସ୍ଥାରେ ସେହିଭଳି ଟିକସ ପ୍ରଦାନ ଠିକ୍‌ ଭାବେ ହେଉନାହିଁ। ପ୍ରାୟ ୧ କୋଟି ୧୧ ଲକ୍ଷ ସଂସ୍ଥା ଏହି ନୂଆ ଟିକସ ବ୍ୟବସ୍ଥାରେ ପଞ୍ଜୀକୃତ ହୋଇଥିଲେ ମଧ୍ୟ ଏମାନଙ୍କ ମଧ୍ୟରୁ ମାତ୍ର ୧% ସଂସ୍ଥା ୮୦ ଭାଗ ଟିକସ ଦେଉଛନ୍ତି।

କେତୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ଜୁଲାଇ ୧, ୨୦୧୭: ଦେଶରେ ବିଧିବଦ୍ଧ ଭାବେ ଜିଏସ୍‌ଟି କାର୍ଯ୍ୟକାରୀ ହେଲା।
ଅଗଷ୍ଟ,୨୦୧୭: ଜିଏସ୍‌ଟି ପରିଷଦର ୨୦ତମ ବୈଠକରେ କେତେକ ଟ୍ରାକ୍ଟର ଯନ୍ତ୍ରାଂଶର ଜିଏସଟିକୁ ୨୮%ରୁ ୧୮%କୁ ଏବଂ ବୟନ ଶିଳ୍ପ ସାମଗ୍ରୀର ଜବ୍‌ କାମରେ ଜିଏସ୍‌ଟି ହାରକୁ ୧୮%ରୁ ୫%କୁ କମାଇ ଦିଆଗଲା।

ନଭେମ୍ବର ୨୦୧୭: ନଭେମ୍ବରରେ ଗୌହାଟିଠାରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦର ୨୩ତମ ବୈଠକରେ ଟିକସ ହାରରେ ବଡ଼ ଧରଣର ପରିବର୍ତ୍ତନ ଅଣାଯାଇଥିଲା। ୨୮ ପ୍ରତିଶତ ଟିକସ ବର୍ଗରେ କେବଳ ୫୦ଟି ସାମଗ୍ରୀ ରଖାଯାଇ ୧୭୮ଟି ସାମଗ୍ରୀକୁ ୧୮ ପ୍ରତିଶତକୁ କମାଇ ଦିଆଯାଇଥିଲା।

ଡିସେମ୍ବର ୨୦୧୭: ଇ-େଓ୍ଵ ବିଲ୍‌ ବ୍ୟବସ୍ଥାକୁ ଦେଶବ୍ୟାପୀ କାର୍ଯ୍ୟକାରୀ କରିବାକୁ ଜିଏସ୍‌ଟି ପରିଷଦର ମଞ୍ଜୁରି ।

ଜାନୁଆରି ୨୦୧୮: କମ୍ପୋଜିସନ୍‌ ସ୍କିମ୍‌ ଅଧୀନକୁ ଆସୁଥିବା ନିର୍ମାତାମାନଙ୍କ ପାଇଁ ନିୟମ କୋହଳ କରାଗଲା। ଏଥିସହିତ ଜିଏସ୍‌ଟି ପରିଷଦ ଏହାର ୨୫ତମ ବୈଠକରେ ୨୯ଟି ସାମଗ୍ରୀ ଓ ୫୩ଟି ବର୍ଗର ସେବାର ଟିକସ ହାରରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଲା।

ଫେବ୍ରୁଆରି ୨୦୧୮: ତତ୍କାଳୀନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ୍‌ ପେଟ୍ରୋଲିୟମ ଉତ୍ପାଦକୁ ଜିଏସ୍‌ଟି ଅଧୀନକୁ ଆଣିବା ଲାଗି ପରାମର୍ଶ ଦେଇଥିଲେ। ଏଥିସହିତ ଜିଏସଟିରେ ଟିକସ ହାରକୁ ଗୋଟିଏ କରିବା ଲାଗି ପରାମର୍ଶ ଦେଇଥିଲେ।

ମାର୍ଚ୍ଚ ୨୦୧୮: ପ୍ରସ୍ତାବିତ ଇ-େଓ୍ଵ ବିଲ୍‌ ନିୟମକୁ ସରଳ କରାଗଲା। ରାଜ୍ୟ ମଧ୍ୟରେ ୫୦ ହଜାର ଟଙ୍କାର ମାଲ୍‌ ପରିବହନ ପାଇଁ ଇ-େଓ୍ଵ ବିଲ୍‌ର ଅନାବଶ୍ୟକ ବୋଲି କୁହାଗଲା।

ଏପ୍ରିଲ ୨୦୧୮: ଦେଶରେ ରାଜ୍ୟ ରାଜ୍ୟ ମଧ୍ୟରେ ଇ-େଓ୍ଵ ବିଲ୍‌ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେଲା। କିନ୍ତୁ ରାଜ୍ୟ ଭିତରେ ଇ-େଓ୍ଵ ବିଲ୍‌କୁ ପର୍ଯ୍ୟାୟକ୍ରମେ ଏପ୍ରିଲ ୧୫ ତାରିଖରୁ କାର୍ଯ୍ୟକାରୀ କରାଗଲା।

ଜୁନ୍‌ ୨୦୧୮: ଦେଶରେ ଜିଏସ୍‌ଟିର ସଫଳ କାର୍ଯ୍ୟକାରିତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା। ସଂଘୀୟ ଏକତାର ଏହା ଏକ ବଳିଷ୍ଠ ଉଦାହରଣ ବୋଲି ମୋଦି ମତଦେଲେ।

ରାଜ୍ୟରେ ୨,୩୯,୪୭୪ ଟିକସଦାତା
ଜିଏସ୍‌ଟି କାର୍ଯ୍ୟକାରୀ ହେବା ପରେ ରାଜ୍ୟରେ ଟିକସଦାତାଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ଗତ ଜୁନ୍‌ ୨୯ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ପଞ୍ଜୀକୃତ ଟିକସଦାତାଙ୍କ ସଂଖ୍ୟା ୨,୩୯,୯୩୪କୁ ବୃଦ୍ଧି ପାଇଛି। ତେବେ ଏମାନଙ୍କ ମଧ୍ୟରେ ନୂଆ ଜିଏସ୍‌ଟି ଟିକସଦାତାଙ୍କ ସଂଖ୍ୟା ୧ ଲକ୍ଷ ୧ ହଜାର ୬୩୫ ଜଣ ବୋଲି ଜଣାଯାଇଛି।

ପ୍ରାକ୍‌ ଜିଏସ୍‌ଟି ତୁଳନାରେ ୧୪% ରାଜସ୍ୱ କମିଛି
ଜିଏସ୍‌ଟି କାର୍ଯ୍ୟକାରୀ ହେବା ପରେ ଓଡ଼ିଶାର ରାଜସ୍ୱ ଆଦାୟ ୧୪ ପ୍ରତିଶତ ହ୍ରାସ ଘଟିଛି। ଅର୍ଥାତ ପ୍ରାକ୍‌ ଜିଏସ୍‌ଟି ବ୍ୟବସ୍ଥାରେ ରାଜ୍ୟ ସରକାର ଯେତିକି ରାଜସ୍ୱ ପାଉଥିଲେ ଜିଏସ୍‌ଟିରେ ତା ତୁଳନାରେ ୧୪ ପ୍ରତିଶତ କମ୍‌ ରାଜସ୍ୱ ପାଉଛନ୍ତି ବୋଲି ଜଣେ ବରିଷ୍ଠ ଟିକସ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି।

ମାସିକ ହାରାହାରି ୭୦% ରିଟର୍ଣ୍ଣ ଫାଇଲ
ଜିଏସ୍‌ଟି କାର୍ଯ୍ୟକାରୀ ହେବା ପରଠାରୁ ରାଜ୍ୟରେ ରିଟର୍ଣ୍ଣ ଫାଇଲ ହାରାହାରି ୭୦ ପ୍ରତିଶତ ରହିଛି। କେଉଁମାସରେ ଏହା ୭୦ ପ୍ରତିଶତରୁ ଅଧିକ ରହୁଥିବା ବେଳେ ଆଉ କେଉଁମାସରେ ଏହା ୭୦ ପ୍ରତିଶତରୁ କମ୍‌ ରହୁଛି। ତେବେ ହାରହାରି ଜିଏସ୍‌ଟି ରିଟର୍ଣ୍ଣ ଦାଖଲ ମାସିକ ୭୦ ପ୍ରତିଶତ ରହିଛି ବୋଲି ଜଣାଯାଇଛି।

୯ ମାସରେ ରାଜ୍ୟକୁ ମିଳିଛି ୨୨୪୫ କୋଟି
ଜିଏସ୍‌ଟିରେ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥା ରହିଛି। ୨୦୧୭-୧୮ ପାଇଁ ରାଜ୍ୟ ସରକାର ୧୪,୩୫୧ କୋଟି ଟଙ୍କାର ଟିକସ ଆଦାୟ କରିବାକୁ ଲକ୍ଷ୍ୟ ରଖିଥିଲେ। ଜିଏସ୍‌ଟି କାର୍ଯ୍ୟକାରୀ ହେବା ଦିନଠାରୁ ଅର୍ଥାତ ୨୦୧୭ ଜୁଲାଇ ପହିଲାରୁ ୨୦୧୮ ମାର୍ଚ୍ଚ ୩୧ ମଧ୍ୟରେ ୧୦୭୬୪ କୋଟି ଟଙ୍କା ଆଦାୟ ହେବ ବୋଲି ଆକଳନ କରାଯାଇଥିଲା। ଏଥିରୁ ସରକାର ଭାଟ୍‌ ଓ ଅନ୍ୟାନ୍ୟ ଟିକସ ବାବଦରେ ୮୪୩୭ କୋଟି ଟଙ୍କା ଆଦାୟ କରିଛନ୍ତି। ଗତ ଆର୍ଥିକ ବର୍ଷର ୯ ମାସ ପାଇଁ ସରକାର ଜିଏସ୍‌ଟି କ୍ଷତିପୂରଣ ବାବଦରେ କେନ୍ଦ୍ରକୁ ୨୩୨୭ କୋଟି ଟଙ୍କାର ପ୍ରସ୍ତାବ ଦେଇଥିଲେ। ଏଥିରୁ କେନ୍ଦ୍ର ଗତ ମାର୍ଚ୍ଚ ପର୍ଯ୍ୟନ୍ତ ୨୨୪୫ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ଆଉ ୮୨ କୋଟି ଟଙ୍କା ଦେବାକୁ ବାକି ଅଛି ବୋଲି ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିିଛନ୍ତି।

ମତାମତ
ଜିଏସ୍‌ଟି କାର୍ଯ୍ୟକାରୀ ହେବାର ପ୍ରଥମ ୩/୪ ମାସ ଭିତରେ ଯେଉଁ ସମସ୍ୟା ରହିଥିଲା ତାହା କିଛି ମାତ୍ରାରେ ଏବେ କମିଛି। କିନ୍ତୁ ତାହା ସନ୍ତୋଷଜନ ସ୍ତରକୁ ଆସିପାରି ନାହିଁ। ଆଣ୍ଟି ପ୍ରଫିଟିୟରିଂ ଅଥରିଟି ନିଜଆଡ଼ୁ ତା କାର୍ଯ୍ୟ କରୁନାହିଁ। ଗ୍ରାହକଙ୍କ ଅଭିଯୋଗକୁ ଅପେକ୍ଷା କରୁଛି। ସେହିଭଳି ଜିଏସ୍‌ଟି ଫଳରେ ଦରଦାମ କମିଥିବା ନେଇ ଲୋକମାନେ ସେମିତି କିଛି ଅନୁଭବ କରିପାରୁ ନାହାନ୍ତି। ଆଇଟି ବ୍ୟବସ୍ଥାରେ ଏତେ ଅସୁବିଧା ରହିଛି ଯେ ବ୍ୟବସାୟୀମାନେ ରିଟର୍ଣ୍ଣ ଫାଇଲ୍‌ ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଏସ୍‌ଟି ପରିଷଦ ବାରମ୍ବାର ନିୟମ ବଦଳାଇ ଚାଲିଛି। ମୋଟାମୋଟି ଭାବେ ବ୍ୟବସ୍ଥାକୁ ଏପର୍ଯ୍ୟନ୍ତ ଠିକ୍‌ କରାଯାଇ ପାରିନାହିଁ।

ବିଧୁଭୂଷଣ ନାୟକ, ଚାଟାର୍ଡ ଆକାଉଂଟାଂଟ୍‌, ଭୁବନେଶ୍ୱର
ଜିଏସ୍‌ଟି ଦ୍ୱାରା ଭଲ କିଛି ହୋଇନାହିଁ। ବରଂ ଅର୍ଥନୈତିକ କାର୍ଯ୍ୟକଳାପ ସଙ୍କୁଚିତ ହୋଇଛି। ଛୋଟ ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାମଗ୍ରୀ ଓ ସେବାର ଦରଦାମ କମିନାହିଁ। ବରଂ ଔଷଧ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବଢ଼ିଛି। ଅର୍ଥନୀତି ଓ ସାଧାରଣ ଲୋକଙ୍କ ପାଇଁ ଜିଏସ୍‌ଟି ବିପର୍ଯ୍ୟୟ ସଦୃଶ ହୋଇଛି।

ସନ୍ତୋଷ କୁମାର ମହାପାତ୍ର, ସ୍ତମ୍ଭକାର
ଉତ୍‌ଥାନ ପତନ ଭିତର ଦେଇ ଜିଏସ୍‌ଟି ଚାଲିଛି। ପ୍ରଥମେ ଜିଏସ୍‌ଟି ଯୋଗୁଁ ବ୍ୟବସାୟ ମାନ୍ଦା ଥିଲା। ଏବେ ସେଥିରେ କିଛିଟା ସୁଧାର ଆସିଛି। ତେବେ ଅନେକ ଗୁଡ଼ିଏ ଅସୁବିଧା ରହିଛି। ଆଇଟି ଭିତ୍ତିଭୂମି ଠିକ୍‌ ନରହିବା ଯୋଗୁଁ ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିଭଳି ଅଫିସରମାନଙ୍କର ମଧ୍ୟ ଜିଏସଟି ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ରହୁନାହିଁ। ଯାହାଫଳରେ ସେମାନଙ୍କଠାରୁ କୌଣସି ସମାଧାନ ମିଳି ପାରୁନାହିଁ। ତେବେ ଏସବୁ ସମସ୍ୟା ଆଗାମୀ ଦିନରେ ଦୂର ହୋଇଯିବ ବୋଲି ଆଶା କରାଯାଉଛି।

ସୁଧାକର ପଣ୍ଡା, ସାଧାରଣ ସମ୍ପାଦକ, ଓଡ଼ିଶା ବ୍ୟବସାୟୀ ମହାସଂଘ
ପ୍ରଥମ ବର୍ଷ ଜିଏସ୍‌ଟି କାର୍ଯ୍ୟକାରିତା ସନ୍ତୋଷଜନକ ରହିଛି। ଯେକୌଣସି ଜିନିଷ ନୂଆ ଆରମ୍ଭ ହେଲେ ପ୍ରଥମେ କିଛିଟା ଅସୁବିଧା ରହିଥାଏ। ସେ ଦୃଷ୍ଟିରେ ପ୍ରଥମ ବର୍ଷ ବ୍ୟବସାୟୀ ଓ ଗ୍ରାହକଙ୍କୁ କିଛିଟା କଷ୍ଟ ଅନୁଭବ କରିବାକୁ ପଡ଼ିଛି। ଡିଲରମାନଙ୍କ ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ ଆଡଜଷ୍ଟ ହେବା ପାଇଁ ସମୟ ଲାଗୁଛି। ଫଳରେ ବ୍ୟବସାୟୀଙ୍କ ପୁଞ୍ଜି ସରକାରୀ ବ୍ୟବସ୍ଥାରେ ପଡ଼ି ରହିଯାଉଛି।

ସଞ୍ଜୟ ଲାଠ, ସାଧାରଣ ସମ୍ପାଦକ
ଉତ୍କଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ୍‌
ଜିଏସ୍‌ଟି କାର୍ଯ୍ୟକାରୀ ହେବାର ୧ ବର୍ଷ ପରେ ମଧ୍ୟ ଗୃହ ନିର୍ମାଣ କ୍ଷେତ୍ର ଅସୁବିଧା ଦେଇ ଗତି କରୁଛି। ଗ୍ରାହକଙ୍କୁ ଇନ୍‌ପୁଟ କ୍ରେଡିଟ୍‌ ଟ୍ୟାକ୍ସ ଫେରାଇବା ନେଇ କୌଣସି ସ୍ପଷ୍ଟତା ଆସିନାହିଁ। ବାରମ୍ବାର ଟିକସ ହାର ପରିବର୍ତ୍ତନ ଏବଂ ଉପଯୁକ୍ତ ସ୍ପଷ୍ଟତା ଅଭାବରୁ ନିର୍ମାଣ କ୍ଷେତ୍ର ପ୍ରଭାବିତ ହୋଇଛି। ଇନ୍‌ପୁଟ୍‌ ଜିଏସ୍‌ଟିକୁ ସ୍ଥାନାନ୍ତର କରିବା ପରିବର୍ତ୍ତେ ସିଧାସଳଖ ଟିକସ ଆଦାୟର ବ୍ୟବସ୍ଥା କରା ଯାଇଥିଲେ ଉଭୟ ଗ୍ରାହକ ଓ ଗୃହନିର୍ମାତାଙ୍କ ପାଇଁ ଏହା ଲାଭବାନ ହୋଇଥାନ୍ତା। ସରକାର ଆଗାମୀ ଦିନରେ ଏଥିପ୍ରତି ଯତ୍ନବାନ ହେବେ ବୋଲି ଆଶା ରଖାଯାଇଛି।
ଡିଏସ୍‌ ତ୍ରିପାଠୀ
କ୍ରେଡାଇ

ସମ୍ବନ୍ଧିତ ଖବର