ଟଙ୍କା ମୂଲ୍ୟ ଆହୁରି କମିଲା

ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ଟଙ୍କା ଏହାର ଦୁର୍ବଳ ପ୍ରଦର୍ଶନ ଜାରି ରଖିଛି। ବୁଧବାର ଡଲାର ଦର ୭୧ ଟଙ୍କା ୭୫ ପଇସା ଥିଲା। ଆଜି ଟଙ୍କା ମୂଲ୍ୟରେ ୨୫ ପଇସାର ଅବନତି ହୋଇଛି। ଆଜି ଏକ ଡଲାର ମୂଲ୍ୟ ୭୨ ଟଙ୍କାକୁ ହ୍ରାସ ପାଇଛି। ଏକ ସମୟରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୨ ଟଙ୍କା ୧୧ ପଇସା ସ୍ତରକୁ ଖସିଯାଇଥିଲା। ଭାରତୀୟ ରଜିର୍ଭ ବ୍ୟାଙ୍କ ହସ୍ତକ୍ଷେପ କରିବା ପରେ ଆହୁରି ଦୁର୍ବଳ ହେବାରୁ ଟଙ୍କା ରକ୍ଷା ପାଇଯାଇଥିଲା। ବିଗତ ସାତ ଦିନ ହେଲାଣି ଟଙ୍କା ମୂଲ୍ୟରେ ଏଭଳି ଅବନତି ଜାରି ରହିଛି। ଗତ ୧୧ଟି କାରବାର ଦିନରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୩% ହ୍ରାସ ପାଇଲାଣି। ଚଳିତ ବର୍ଷର ଏପର୍ଯ୍ୟନ୍ତ ସ୍ଥିତିକୁ ଯଦି ବିଚାରକୁ ନିଆଯିବ ତେବେ ଡଲାର ତୁଳନାରେ ଟଙ୍କା ୧୨% ଦୁର୍ବଳ ହୋଇଛି ବୋଲି କୁହାଯାଇପାରିବ। ଶେଷ ଥର ପାଇଁ ଉପା ସରକାରଙ୍କ ଅମଳରେ ୨୦୧୩ରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ୨୦୧୩ର ଜାନୁଆରିରୁ ଅଗଷ୍ଟ ଭିତରେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୨୩% ଅବନତି ହୋଇଥିଲା। ସେତେବେଳେ ଡଲାରର ମୂଲ୍ୟ ୬୯ ଟଙ୍କା ହୋଇଯାଇଥିଲା। ଅଶୋଧିତ ତୈଳର ଚଢ଼ା ଦର, ଆମେରିକା-ଚୀନ୍‌ ବାଣିଜ୍ୟ ଯୁଦ୍ଧ ଓ ଇରାନ ଉପରେ ଆମେରିକା ଅର୍ଥନୈତିକ କଟକଣା ଲଗାଇବାକୁ ଯାଉଥିବାରୁ ସାରା ଦୁନିଆରେ ଡଲାର ମହଙ୍ଗା ହେଉଛି। କିନ୍ତୁ ଭାରତୀୟ ଟଙ୍କା ଯେଉଁ ହାରରେ ଦୁର୍ବଳ ହେଉଛି ତାହା ଅର୍ଥନୀତିଜ୍ଞ ଏବଂ ମୁଦ୍ରା ବଜାର ବିଶେଷଜ୍ଞମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଟଙ୍କା ଦୁର୍ବଳ ହେବା ସୂଚନା ପ୍ରଯୁକ୍ତି କଂପାନିଗୁଡ଼ିକୁ ସୁହାଇବ। ସେମାନଙ୍କ ଆୟ ବଢ଼ିବ। କିନ୍ତୁ ବିଦେଶରେ ପିଲାଙ୍କୁ ପାଠପଢ଼ାଉଥିବା ଓ ବିଦେଶ ବୁଲିବାକୁ ବାହାରିଥିବା ଲୋକମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ।

ସରକାର ବେଫିକର
ଡଲାର ତୁଳନାରେ ଟଙ୍କା ମୂଲ୍ୟ ବହୁ ପରିମାଣରେ ହ୍ରାସ ପାଉଥିଲେ ମଧ୍ୟ ସରକାର କିମ୍ବା ରିଜର୍ଭ ବ୍ୟାଙ୍କ କେହି ଏହାକୁ ଗୁରୁତ୍ୱର ସହ ନେଉନାହାନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଗତକାଲି କହିଥିଲେ ଟଙ୍କା ମୂଲ୍ୟରେ ଘଟୁଥିବା ହ୍ରାସକୁ ନେଇ ଚିନ୍ତିତ ହେବାର କୌଣସି କାରଣ ନାହିଁ। ସେହିଭଳି ବାଣିଜ୍ୟ ସଚିବ ଅନୁପ ଓ୍ଵାଧଓ୍ଵନ୍‌ ମଧ୍ୟ କହିଥିଲେ ବାହ୍ୟ କାରଣ ପାଇଁ ଟଙ୍କା ଦୁର୍ବଳ ହେଉଛି। ଟଙ୍କା ମୂଲ୍ୟ ହ୍ରାସ ମଧ୍ୟ ଭାରତର ରପ୍ତାନିକାରୀଙ୍କୁ ସହାୟକ ହେଉଛି। ଅର୍ଥମନ୍ତ୍ରୀ ଏବଂ ବାଣିଜ୍ୟ ସଚିବଙ୍କ ଏଭଳି ମନ୍ତବ୍ୟ ସମେତ ରିଜର୍ଭ ବ୍ୟାଙ୍କର ହାଲୁକା ପଦକ୍ଷେପ ଏହି ବାର୍ତ୍ତା ଦେଉଛି ଯେ ଏହା ଏକ ବଡ଼ ସମସ୍ୟା ନୁହେଁ। ସରକାର ଏବଂ ରିଜର୍ଭ ବ୍ୟାଙ୍କର ଏଭଳି ଆଚରଣ ଅର୍ଥନୀତିଜ୍ଞ ଏବଂ ମୁଦ୍ରା ବଜାର ବିଶେଷଜ୍ଞମାନଙ୍କୁ ମଧ୍ୟ ଚକିତ କରିଛି। ଡଲାର ତୁଳନାରେ ଟଙ୍କା ତଳକୁ ଖସିବା ଦ୍ୱାରା ଅର୍ଥନୀତି ପାଇଁ ଏକାଧିକ ସମସ୍ୟା ସୃଷ୍ଟି ହେବାକୁ ଯାଉଛି। ଭାରତକୁ ଏହାର ବୈଦେଶିକ ଋଣ ବାବଦରେ ଅଧିକ ଅର୍ଥ ପଇଠ କରିବାକୁ ପଡ଼ିବ। ସେହିଭଳି ଭାରତର ପୁଞ୍ଜି ବଜାରରେ ଅର୍ଥ ଖଟାଇଥିବା ନିବେଶକମାନେ ମଧ୍ୟ କ୍ଷତି ସହିବା କାରଣରୁ ଅନ୍ୟ ବଜାରକୁ ପଳାଇବା ଆରମ୍ଭ କରିଦେଇଛନ୍ତି। ଟଙ୍କା ଦୁର୍ବଳ ହୋଇଥିବାରୁ ସରକାରଙ୍କ ବିତ୍ତୀୟ ନିଅଣ୍ଟ୍‌ ଓ ଚଳନ୍ତୀ ଜମା ନିଅଣ୍ଟ୍‌ ଲକ୍ଷ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି। ଯଦି ବିଦେଶୀ ନିବେଶକମାନେ ଦେଶରୁ ପଳାୟନ କରିବେ ତେବେ ଅର୍ଥନୀତିର ଅବସ୍ଥା ଆହୁରି ସଙ୍ଗିନ ହୋଇପଡ଼ିବାର ଆଶଙ୍କା ରହିଛି। ଟଙ୍କା ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଏତେ ଶୀଘ୍ର କୌଣସି ପଦକ୍ଷେପ ନେବା ଭଳି ମନେ ହେଉନାହିଁ। ରିଜର୍ଭ ବ୍ୟାଙ୍କ ଜରିଆରେ ଯାହା କିଛି ପଦକ୍ଷେପ ଗ୍ରହଣ କରାଯିବ।

ରିଜର୍ଭ ବ୍ୟାଙ୍କ କ’ଣ କରେ
ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ବିଦେଶୀ ମୁଦ୍ରାର ବିଶାଳ ଭଣ୍ଡାର ରହିଛି। ସେଥିରେ ଆମେରିକୀୟ ଡଲାର ଅଧିକ ରଖାଯାଇଛି। ଯେହେତୁ ବିଶ୍ୱ ସ୍ତର କାରବାରରେ ଡଲାର ଅଧିକ ଗ୍ରହଣୀୟ ସେଥିପାଇଁ ଏହାର ଚାହିଦା ସବୁ ବେଳେ ଅଧିକ ରହୁଛି। ଆମଦାନିକାରୀ ଓ ବ୍ୟାଙ୍କଗୁଡ଼ିକ ଡଲାର ଜରିଆରେ ଆନ୍ତର୍ଜାତିକ ବଜାରରେ କାରବାର କରିଥାନ୍ତି। ସାଧାରଣତଃ ମୁଦ୍ରା ବିନିମୟ ବଜାରରୁ ସେମାନେ ଡଲାର କିଣିଥାନ୍ତି। ଯେତେବେଳେ ବଜାରରେ ଡଲାର ମୂଲ୍ୟ ଏକ ନିର୍ଦିଷ୍ଟ ସ୍ତରରୁ ଅଧିକ ହୋଇଯାଏ, ସେହି ସମୟରେ ରିଜର୍ଭ ବ୍ୟାଙ୍କ ନିଜ ଆଡ଼ୁ ହସ୍ତକ୍ଷେପ କରନ୍ତି। ନିଜ ପାଖରେ ଥିବା ଡଲାରକୁ ରିଜର୍ଭ ବ୍ୟାଙ୍କ ବଜାରରେ ବିକ୍ରି କରିଥାଏ। ଫଳରେ ଡଲାର ଚାହିଦା ହ୍ରାସ ପାଏ ଓ ତାହାର ଦର ମଧ୍ୟ କମିଯାଏ। ଡଲାର ମୂଲ୍ୟକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ପାଇଁ ୨୦୧୩ରେ ରିଜର୍ଭ ବ୍ୟାଙ୍କ ୨୪୦୦ କୋଟି ଡଲାର ବିକ୍ରି କରିଥିଲା। ଟଙ୍କାକୁ ଡଲାର ତୁଳନାରେ ସୁଦୃଢ଼ କରିବା ପାଇଁ ଆଜି ରିଜର୍ଭ ବ୍ୟାଙ୍କ ୨ ବିଲିଅନ୍‌ ଡଲାର ବିକ୍ରି କରିଥିବା ଜଣାପଡ଼ିଛି।

୨୦୧୩ ସହ ୨୦୧୮ର ତୁଳନା
ବିତ୍ତୀୟ ନିଅଣ୍ଟ
୨୦୧୩ରେ ବିତ୍ତୀୟ ନିଅଣ୍ଟ ଜିଡିପିର ୪.୮%ରେ ରହିଥିଲା। କିନ୍ତୁ ୨୦୧୮ ଏହା ଜିଡିପିର ପ୍ରାୟ ୩.୫%ରେ ରହିଛି।
ଚଳନ୍ତି ଖାତା ନିଅଣ୍ଟ
୨୦୧୩ରେ ଦେଶର ଚଳନ୍ତି ଖାତା ନିଅଣ୍ଟ ଜିଡିପିର ୩.୪%ରେ ରହିଥିଲା ବେଳେ ୨୦୧୮ରେ ଏହା ଜିଡିପିର ୨% ମଧ୍ୟରେ ରହିଛି।
ଅଶୋଧିତ ତେଲ ଦର
୨୦୧୩ ଫେବ୍ରୁଆରିରୁ ଅଗଷ୍ଟ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୦୭ ଡଲାର ପାଖାପାଖି ରହିଥିଲା। ଚଳିତବର୍ଷ ସେପ୍ଟେମ୍ବର ମଧ୍ୟରେ ଅଶୋଧିତ ତେଲର ହାରାହାରି ଦର ବ୍ୟାରେଲ ପିଛା ୭୫ ଡଲାର ମଧ୍ୟରେ ରହିଛି।
ବୈଦେଶିକ ମୁଦ୍ରା ଭଣ୍ଡାର
୨୦୧୩ ମସିହା ସେପ୍ଟେମ୍ବର ମାସ ବେଳକୁ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟ ୨୮୫ ବିଲିଅନ ଡଲାରରେ ରହିଥିଲା। କିନ୍ତୁ ଏବେ ଏହା ୪୧୫ ବିଲିଅନ ଡଲାର ପାଖାପାଖି ରହିଛି।
ଅଭିବୃଦ୍ଧି
୨୦୧୩ ମସିହାରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଖସୁଥିବାବେଳେ ଏବେ ଏହା ଉପରକୁ ଉଠୁଛି।

ସମ୍ବନ୍ଧିତ ଖବର