ଡିସେମ୍ବରରୁ ଡ୍ରୋନ୍‌ର ବାଣିଜ୍ୟିକ ବ୍ୟବହାର

ନୂଆଦିଲ୍ଲୀ,: କେନ୍ଦ୍ର ସରକାର ଡ୍ରୋନ୍‌ ନୀତି ଘୋଷଣା କରିଛନ୍ତି। ଡିସେମ୍ବରରୁ ଡ୍ରୋନ୍‌ର ବାଣିଜ୍ୟିକ ବ୍ୟବହାର ଆରମ୍ଭ କରିବାକୁ ଏଥିରେ ବ୍ୟବସ୍ଥା କରାଯାଇଛି। ତେବେ ଏଥିପାଇଁ କିଛିଟା ସର୍ତ୍ତ ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଡ୍ରୋନ୍‌ ପରିଚାଳନା କରୁଥିବା ବ୍ୟକ୍ତିଙ୍କ ନଜରରେ ହିଁ ଡ୍ରୋନ୍‌ ରହିବ। ଭବିଷ୍ୟତରେ ଏହି ସର୍ତ୍ତ କୋହଳ ହେବାର ସମ୍ଭାବନା ରହିଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଓଜନକୁ ନେଇ ଡ୍ରୋନ୍‌କୁ ୫ଟି ବର୍ଗରେ ଭାଗ କରାଯାଇଛି। ୨୫୦ ଗ୍ରାମ୍‌ରୁ ୧୫୦ କେଜି ଓଜନ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଡ୍ରୋନ୍‌ ରହିଛି। ୨୫୦ ଗ୍ରାମ୍‌ରୁ ୨ କେଜି ବିଶିଷ୍ଟ ଡ୍ରୋନ୍‌କୁ ଖେଳନା ଭାବେ ବ୍ୟବହାର କରାଯାଏ। ଅନ୍ୟ ସବୁ ଓଜନିଆ ଡ୍ରୋନ୍‌କୁ ପଞ୍ଜୀକରଣ କରିବାକୁ ପଡ଼ିବ ଓ ସେହି ସବୁ ଡ୍ରୋନ୍‌କୁ ଏକ ସ୍ୱତନ୍ତ୍ର ପରିଚୟ ନମ୍ବର ପ୍ରଦାନ କରାଯିବ। ଦଶମ ପାସ କରିଥିବା, ଇଂରାଜୀ ଭାଷାରେ ଜ୍ଞାନ ଥିବା ଓ ୧୮ ବର୍ଷରୁୁ ଅଧିକ ହୋଇଥିବା ବ୍ୟକ୍ତିଙ୍କୁ ଡ୍ରୋନ୍‌ ଲାଇସେନ୍ସ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର