ଡିସେମ୍ବରରେ ଆକ୍ସିସ୍‌୍‌ ବ୍ୟାଙ୍କରୁ ହଟିବେ ଶିଖା

ମୁମ୍ବାଇ: ଆକ୍ସିସ୍‌ ବ୍ୟାଙ୍କର ଏମ୍‌ଡି ଓ ସିଇଓ ପଦରୁ ଶିଖା ଶର୍ମା ହଟିବେ। ଚଳିତ ବର୍ଷ ଡିସେମ୍ବରରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ। ଏହା ପରେ ବ୍ୟାଙ୍କ ନୂଆ ସିଇଓ ସନ୍ଧାନ କରିବ।
ନିଜର କାର୍ଯ୍ୟକାଳକୁ ଡିସେମ୍ବର ଶେଷ କରିବାକୁ ନିଜେ ଶିଖା ବ୍ୟାଙ୍କର ବୋର୍ଡକୁ ଅନୁରୋଧ କରିଥିଲେ। ବୋର୍ଡ ତାଙ୍କ ଅନୁରୋଧକୁ ଗ୍ରହଣ କରିଛି। ଏ ବିଷୟରେ ବ୍ୟାଙ୍କ ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜକୁ ସୂଚନା ପ୍ରଦାନ କରାଯାଇଛି। ଚଳିତ ବର୍ଷ ଜୁନ୍‌ରେ ଶିଖାଙ୍କ କାର୍ଯ୍ୟକାଳର ନବୀକରଣ କରାଯାଇଥିଲା। ଏହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପ୍ରଶ୍ନ ଉଠାଇଥିଲା। ଏହା ପରଠାରୁ ଶିଖାଙ୍କ ଉପରେ ଚାପ ରହିଥିଲା।
୨୦୦୯ରେ ଶିଖାଙ୍କୁ ଆକ୍ସିସ୍‌ ବ୍ୟାଙ୍କର ସିଇଓ ଭାବେ ପ୍ରଥମ ନିଯୁକ୍ତି ମିଳିଥିଲା। ଏହା ପରଠାରୁ ତିନି ଥର ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଚତୁର୍ଥ ଥର ପାଇଁ ତାଙ୍କ କାର୍ଯ୍ୟକାଳକୁ ୨୦୨୧ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ମାତ୍ର ରିଜର୍ଭ ବ୍ୟାଙ୍କ ତାହାକୁ ସହଜରେ ହଜମ କରିପାରିନଥିଲା। ଶିଖାଙ୍କୁ ଚତୁର୍ଥ ସୁଯୋଗ ପ୍ରଦାନ କରିବା ସପକ୍ଷରେ ଆକ୍ସିସ୍‌ ବ୍ୟାଙ୍କ ନଥିଲା। ନୂତନ ସିଇଓ ସନ୍ଧାନ କରିବାକୁ ବ୍ୟାଙ୍କ ବୋର୍ଡ ମନସ୍ଥ କରିଥିଲା। ମାତ୍ର ଶିଖାଙ୍କୁ ନେବା ପାଇଁ ପିରାମଲ୍‌, ଟାଟା ଓ ବଜାଜ୍‌ ଗ୍ରୁପ୍‌ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ଆରମ୍ଭ ହେବା ପରେ ଆକ୍ସିସ୍‌ ବ୍ୟାଙ୍କ ତାଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦେଇଥିଲା। ଏନ୍‌ପିଏକୁ ନେଇ ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ରିଜର୍ଭ ବ୍ୟାଙ୍କକୁ ଭୁଲ ତଥ୍ୟ ଦିଆଯାଉଥିଲା। ସେଥିପାଇଁ ବ୍ୟାଙ୍କ ଉପରେ ଜରିମାନା ଲାଗୁ କରାଯାଇଛି।

ସମ୍ବନ୍ଧିତ ଖବର