ଡେଲିଭରି ଷ୍ଟେସନ୍ ସଂଖ୍ୟା ବଢ଼ାଇଲା ଆମାଜନ୍

ଭୁବନେଶ୍ବର: ଦେଶର ଅଗ୍ରଣୀ ଇ-କମର୍ସ ସଂସ୍ଥା ଆମାଜନ୍ ଇଣ୍ଡିଆ ପକ୍ଷରୁ ଓଡ଼ିଶାରେ ଏହାର ‌ଡେଲିଭରି ନେଟ୍‌ୱର୍କକୁ ସମ୍ପ୍ରସାରିତ କରାଯାଇଛି। ରାଜ୍ୟରେ କଂପାନିର ଡେଲିଭରି ଷ୍ଟେସନ୍ ସଂଖ୍ୟା ୨୦ରେ ପହଞ୍ଚିଛି। ଏହା ଦ୍ବାରା ରାଜ୍ୟର ଗ୍ରାହକମାନେ ଶୀଘ୍ର ବିଭିନ୍ନ ଜିନିଷର ଡେଲିଭରି ପାଇପାରିବେ ବୋଲି କଂପାନିର ନିର୍ଦେଶକ (ଲାଷ୍ଟ୍‌ ମାଇଲ୍‌ ଡେଲିଭରି) ଅବନିସ ସିଂହ କହିଛନ୍ତି।
ସେ କହିଲେ, ପୂର୍ବରୁ ଓଡ଼ିଶାରେ ଆମର ୧୦ଟି ଡେଲିଭରି ଷ୍ଟେସନ୍‌ ଥିଲା। ସେଥିରେ ଦୁଇ ଗୁଣ ବୃଦ୍ଧି କରାଯାଇଛି। ରାଜ୍ୟର ପ୍ରତିଟି ପିନ୍‌ କୋଡ୍‌ରେ କଂପାନି ଡେଲିଭରି ଦେଉଛି। ଷ୍ଟୋର୍‌ ପ୍ରୋଗ୍ରାମ୍‌ ଅଧିନରେ କଂପାନି ଓଡ଼ିଶାର ୧୦ଟି ସହରର ୩୦୦ରୁ ଅଧିକ ଷ୍ଟୋର୍‌କୁ ସାମିଲ କରିଛି। ଏହି ପ୍ରୋଗ୍ରାମରେ ଆମାଜନ୍ ରାଜ୍ୟର ଛୋଟ ଷ୍ଟୋର୍‌ଗୁଡ଼ିକୁ ସାମଗ୍ରୀ ଡେଲିଭରି କରିବାର ସୁଯୋଗ ପ୍ରଦାନ କରୁଛି। ଏହା ଦ୍ବାରା ସେମାନଙ୍କ ଆୟରେ ବହୁତ ଭଲ ଉନ୍ନତି ହୋଇଥିବା ସେ କହିଛନ୍ତି। ସାରା ଦେଶରେ ୪ ଲକ୍ଷରୁ ଅଧିକ ବିକ୍ରେତା ଆମାଜନ୍ ସହିତ ଯୋଡ଼ି ହୋଇଥିବା ବେଳେ ସେଥି ମଧ୍ୟରୁ ୨୩୦୦ ହେଉଛନ୍ତି ଓଡ଼ିଶାର ବିକ୍ରେତା। କଂପାନି ୮୫% ବିକ୍ରି ମୋବାଇଲ୍‌ ଫୋନ୍ ଜରିଆରେ ହେଉଛି ଓ ଏହାର ଆପ୍ ଡାଉନ୍‌ଲୋଡ୍‌ ପରିମାଣ ୧୦ କୋଟିରୁ ଅଧିକ ହୋଇଗଲାଣି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର