ବିରୋଧୀ କହିଲେ ଆହୁରି କମାଅ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ତେଲ ଦରରେ ହ୍ରାସ ଘୋଷଣା କରିବାର କିଛି ସମୟ ପରେ ବିରୋଧୀ ଦଳ ସରକାରଙ୍କ ଏଭଳି ପଦକ୍ଷେପକୁ ତୀବ୍ର ସମାଲୋଚନା କରିଛନ୍ତି। ତେଲ ଦର ଆହୁରି କମାଅ ବୋଲି ସେମାନେ ଦାବି କରିଛନ୍ତି। ତେଲ ଦରକୁ ୨୦୧୪ ସ୍ତରକୁ କମାଅ ବୋଲି କଂଗ୍ରେସ ପକ୍ଷରୁ ସରକାରଙ୍କୁ ଚ୍ୟାଲେଞ୍ଜ କରାଯାଇଛି। କଂଗ୍ରେସର ବରିଷ୍ଠ ନେତା ସରକାରଙ୍କୁ ତାତ୍ସଲ୍ୟ କରି କହିଛନ୍ତି ଯେ, ତେଲ ରାଜସ୍ବ ଉପରେ ନିର୍ଭରଶୀଳ ସରକାର ବହୁ ବିଳମ୍ବରେ‌ ଲୋଙ୍କ ଉପରେ ପଡ଼ିଥିବା ବୋଝ ବିଷୟରେ ଜାଣିପାରିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି ଯେ, ମୋଦୀ ସରକାର ୧୦ ଟଙ୍କାର ଟିକସ ବଢ଼ାଇଥିଲେ, ଅଢ଼େଇ ଟଙ୍କା କମାଇଲେ। ଏହା ସମ୍ପୂର୍ଣ୍ଣ ପ୍ରତାରଣା ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ବାମୀ କହିଛନ୍ତି ଯେ, ଆମେ ବହୁ ପୂର୍ବରୁ ତେଲ ଦର ଦୁଇ ଟଙ୍କା କମାଇସାରିଛୁ।

ଦର କମିବା ପରେ ଆଉ କେତେ ଟିକସ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ଦେଢ଼ ଟଙ୍କା ହ୍ରାସ ଘୋଷଣା କରିଛନ୍ତି। ଏହି ହ୍ରାସ ଫଳରେ ଗ୍ରାହକଙ୍କୁ ତେଲ ବାବଦରେ କେତେ ଟିକସ ଦେବାକୁ ହେବ ତାହା ଜାଣିବା ଲାଗି ଉତ୍ସୁକତା ଦେଖାଦେଇଛି। ସୂଚନା ଅନୁଯାୟୀ, ପେଟ୍ରୋଲ ଉପରେ ଗ୍ରାହକଙ୍କଠାରୁ ସରକାର ‌ ଉତ୍ପାଦନ ଶୁଳ୍କ ବାବଦରେ ୧୯ ଟଙ୍କା ୪୮ ପଇସା ଆଦାୟ କରି ଆସୁଥିବା ବେଳେ ଏବେ ୧୭ ଟଙ୍କା ୯୮ ପଇସା ଆଦାୟ କରିବେ। ତେବେ ବ୍ରାଣ୍ଡେଡ ପେଟ୍ରୋଲ ଉପରେ ଗ୍ରାହକମାନେ ପୂର୍ବରୁ ଉତ୍ପାଦନ ଶୁଳ୍କ ବାବଦରେ ୨୦ ଟଙ୍କା ୬୬ ପଇସା ଦେଉଥିବାବେଳେ ଏବେ ୧୮ ଟଙ୍କା ୧୬ ପଇସା ଦେବେ। ସେହିଭଳି ଡିଜେଲ ଉପରେ ଲିଟର ପିଛା ଉତ୍ପାଦନ ଶୁଳ୍କ ୧୫ ଟଙ୍କା ୩୩ ପଇସା ଥିବାବେଳେ ଏବେ ଏହା ୧୩ ଟଙ୍କା ୮୩ ପଇସାକୁ କମି ଆସିଛି। ତେବେ ବ୍ରାଣ୍ଡେଡ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ଲିଟର ପିଛା ୧୭ ଟଙ୍କା ୬୯ ପଇସାରୁ ୧୬ ଟଙ୍କା ୧୯ ପଇସାକୁ କମିଆସିଛି। ଏହା ବାଦ ଡିଲର୍‌କମିସନ ଓ ରାଜ୍ୟଗୁଡ଼ିକ ଭାଟ୍ ଲାଗୁ କରୁଛନ୍ତି।

ଡିଲର କମିସନ
ତେଲ ବିକ୍ରି କରୁଥିବା ଡିଲରମାନଙ୍କୁ କମିସନ ମିଳିଥାଏ। ଗତବର୍ଷ ଅଗଷ୍ଟରେ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ କର୍ମଚାରୀଙ୍କ ମଜୁରି ବୃଦ୍ଧି ଓ ଅନ୍ୟାନ୍ୟ କାରଣ ଯୋଗୁ ଡିଲର କମିସନରେ ୫୫% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ବିଭିନ୍ନ ସ୍ଥାନରେ ଏହି କମିସନ ଭିନ୍ନ ଭିନ୍ନ ରହିଥାଏ। ଲିଟର ପିଛା ପେଟ୍ରୋଲ ପାଇଁ ଡିଲର କମିସନ ୩ ଟଙ୍କାରୁ ୩ ଟଙ୍କା ୬୫ ପଇସା ମଧ୍ୟରେ ରହିଥିବାବେଳେ ଡିଜେଲରେ ୨ ଟଙ୍କାରୁ ୨ ଟଙ୍କା ୬୨ ପଇସା ପର୍ଯ୍ୟନ୍ତ ଡିଲର କମିସନ ପ୍ରଦାନ କରାଯାଇଥାଏ। ଏହି ଡିଲର କମିସନ ବାବଦ ବୋଝ ମଧ୍ୟ ଗ୍ରାହକମାନେ ବହନ କରିଥାନ୍ତି। ଭାଟ୍‌ କେନ୍ଦ୍ର ସରକାରଙ୍କ ଉତ୍ପାଦନ ଶୁଳ୍କ ଏବଂ ଡିଲରମାନଙ୍କ ଡିଲର କମିସନ ବାଦ୍ ଗ୍ରାହକଙ୍କଠାରୁ ପେଟ୍ରୋଲ ଓ ଡିଜେଲ ଉପରୁ ସ୍ଥାନୀୟ ଟିକସ ଆକାରରେ ଭାଟ୍ ଆଦାୟ କରିଥାନ୍ତି। ଏହି ଭାଟ୍ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ହାରରେ ଆଦାୟ କରାଯାଇଥାଏ। ଏଥିଯୋଗୁ‌ ବିଭିନ୍ନ ରାଜ୍ୟରେ ତେଲ ଦରରେ ଭିନ୍ନତା ପରିଲକ୍ଷିତ ହୋଇଥାଏ। ଓଡ଼ିଶା ସରକାର ଏବେ ପେଟ୍ରୋଲ ଏବଂ ଡିଜେଲ ଉପରୁ ୨୬ ପ୍ରତିଶତ ହାରରେ ଭାଟ୍ ଆଦାୟ କରୁଛନ୍ତି।

ସମ୍ବନ୍ଧିତ ଖବର