ଭୁବନେଶ୍ୱରରେ ପ୍ରଥମଥର ପାଇଁ ପେଟ୍ରୋଲ ଦର ୮୦ ଟପିଲା, ମାଲକାନଗିରିରେ ଟ.୮୩.୯୫

ଭୁବନେଶ୍ୱର: ସଧାରଣ ଲୋକ ଯେତେ ହିନସ୍ତା ହୁଅନ୍ତୁ, ବିରୋଧୀ ଦଳ ଯେତେ ହୋ ହାଲ୍ଲା କରନ୍ତୁ ବା ସରକାର ଯେତେ ଚିନ୍ତା ପ୍ରକଟ କରନ୍ତୁ, ତେଲଦର କିନ୍ତୁ ପ୍ରତିଦିନ ବଢିଚାଲିଛି । ଆଜି ରାଷ୍ଟ୍ରାୟତ ତେଲ କମ୍ପାନିମାନେ ପେଟ୍ରୋଲ ଲିଟର ପିଛା ୨୮ ପଇସା ଓ ଡିଜେଲ ୨୨ ପଇସା ବଢାଇଛନ୍ତି ଏହା ଫଳରେ ଦେଶର ଅଧିକାଂଶ ସ୍ଥାନରେ ଏବେ ପେଟ୍ରୋଲ ଦର ୮୦ ଟଙ୍କା ଉପରକୁ ପହଞ୍ଚିଯାଇଛି । ଏପରିକି ମୁମ୍ବାଇରେ ପେଟ୍ରୋଲ ୯୦ ଟଙ୍କା ନିକଟବର୍ତ୍ତି ହୋଇଛି ।

କେବଳ ରାଜଧାନୀ ଦିଲ୍ଲୀରେ ନୁହେଁ, ଆମ ରାଜ୍ୟରେ ମଧ୍ୟ ପେଟ୍ରୋଲ ଦର ୮୦ ଟପିଛି । ଭୁବନେଶ୍ୱରରେ ଏହା ଟ.୮୦.୧୩ ରେ ପହଞ୍ଚିଛି । ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦର ସର୍ବାଧିକ ୮୩ ଟଙ୍କା ୯୫ ପଇସା ଛୁଇଁଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୩୮ ପଇସା ବୃଦ୍ଧି ପାଇ ଟ.୮୮.୬୭ ରେ ପହଞ୍ଚିଛି । କେବଳ ପେଟ୍ରୋଲ ନୁହେଁ, ଡିଜେଲ ଦର ମଧ୍ୟ ବଢିଚାଲିଛି । ଆଜି ଡିଜେଲ ଲିଟର ପିଛା ପ୍ରାୟ ୨୨ ପଇସା ବୃଦ୍ଧି ପାଇଛି । ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ଡିଜେଲ ଲିଟର ପିଛା ଟ.୭୩.୩୦ ରେ ପହଞ୍ଚିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ଟ.୭୮.୬୫ରେ ପହଞ୍ଚିଛି । ଅଳ୍ପ କେତୋଟି ଦିନକୁ ଛାଡି ଦେଲେ, ଗତ ଅଗଷ୍ଟ ୧୬ ତାରିଖ ପରଠାରୁ କ୍ରମାଗତ ଭାବେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ବୃଦ୍ଧି ଓ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଫଳରେ ଦେଶରେ ତେଲ ମହଙ୍ଗା ହୋଇଚାଲିଛି ।

ସମ୍ବନ୍ଧିତ ଖବର