ଭୁଲ ବିବୃତି ଦେଇ ଅଡ଼ୁଆରେ ପୀୟୂଷ: ନିଉଟନ୍‌ଙ୍କ ବଦଳରେ ଆଇନଷ୍ଟାଇନ୍‌ଙ୍କ ନାମ ନେଇ ଫସିଲେ

ନୂଆଦିଲ୍ଲୀ: ଦେଶରେ କାର ବିକ୍ରିରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ ନୂଆ ପିଢ଼ିର ଲୋକଙ୍କ ମାନସିକତାରେ ଆସିଥିବା ପରିବର୍ତ୍ତନ ଦାୟୀ। କାର୍ କିଣିବା ପରିବର୍ତ୍ତେ ଓଲା ଏବଂ ଉବରରେ ଯାତ୍ରା କରିବାକୁ ଗ୍ରାହକ ପସନ୍ଦ କରୁଥିବାରୁ ଦେଶରେ କାର୍ ବିକ୍ରି ହ୍ରାସ ପାଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ୨.୦ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ଚେନ୍ନାଇଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଏହାପରେ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା। ଲୋକଙ୍କ ମନରୁ ଏହି ଘଟଣା ନଯାଉଣୁ ଆଜି ପୁଣି ଆଉ ଜଣେ କେନ୍ଦ୍ରମନ୍ତ୍ରୀ ଭୁଲ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଛନ୍ତି। ମୋଦୀ ସରକାର ଭାରତର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନର ଅଭିବୃଦ୍ଧି ହାରରେ ଏହି ଲକ୍ଷ୍ୟ ହାସଲ କିଭଳି ସମ୍ଭବ ହେ‌ବ ବୋଲି ସାମ୍ବାଦିକ ପ୍ରଶ୍ନ କରିବାରୁ ଗୋୟଲ କହିଥିଲେ ଗଣିତ ଭିତରକୁ ଯାଅ ନାହିଁ। ମାଧ୍ୟାକର୍ଷଣ ଆବିଷ୍କାର କରିବାରେ ଆଇନଷ୍ଟାଇନଙ୍କୁ ଗଣିତ କେବେ ବି ସହାୟକ ହୋଇ ନଥିଲା ବୋଲି ସେ ମତ ଦେଇଛନ୍ତି। ମାଧ୍ୟକର୍ଷଣ ଆବିଷ୍କାର ନେଇ ମନ୍ତ୍ରୀ ଆଇନଷ୍ଟାଇନଙ୍କୁ ଶ୍ରେୟ ଦେବା ବିଷୟକୁ ଲୋକମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। ଆଇନଷ୍ଟାଇନ୍ ମାଧ୍ୟାକର୍ଷଣ ଆବିଷ୍କାର କଲେ ନିଉଟନ୍ କ’ଣ କରିଥିଲେ ବୋଲି ଟ୍ବିଟରରେ ପ୍ରଶ୍ନ ହୋଇଛି ।

ସମ୍ବନ୍ଧିତ ଖବର