ମୁକେଶଙ୍କ ଦୈନିକ ଆୟ ୩୦୦ କୋଟି

ନୂଆଦିଲ୍ଲୀ: ଭାରତର ଶୀର୍ଷ ଧନୀ ବ୍ୟକ୍ତି ମୁକେଶ ଅମ୍ବାନି ଦିନକୁ ୩୦୦ କୋଟି ରୋଜଗାର କରୁଛନ୍ତି। ଗତ ବର୍ଷେ ହେଲା ମୁକେଶଙ୍କ ଦୈନିକ ଆୟ ଏହି ହାରରେ ରହିଛି। ବାର୍‌କ୍ଲେଜ୍‌ ହୁରୁନ୍‌ ଲିଷ୍ଟ୍‍ ପକ୍ଷରୁ ୨୦୧୮ ବର୍ଷ ପାଇଁ ପ୍ରକାଶିତ ତାଲିକାରେ ଏହି ସୂଚନା ଦିଆଯାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶଙ୍କ ମୋଟ ସମ୍ପତ୍ତି ୩ ଲକ୍ଷ ୭୧ ହଜାର କୋଟି ଟଙ୍କା ରହିଛି। କ୍ରମାଗତଭାବେ ସପ୍ତମ ବର୍ଷ ପାଇଁ ମୁକେଶ ଦେଶର ଶୀର୍ଷ ଧନୀ ରହି ଆସିଛନ୍ତି। କମ୍ପାନିର ସେୟାର ମୂଲ୍ୟରେ ୪୫ ପ୍ରତିଶତରୁ ଅଧିକ ବୃୃଦ୍ଧି ଘଟିବା କାରଣରୁ ମୁକେଶଙ୍କ ସମ୍ପତ୍ତିରେ ଏହି ବୃଦ୍ଧି ଦେଖାଦେଇଛି।

କେବଳ ସେତିକି ନୁହେଁ ମୁକେଶଙ୍କ ତଳେ କ୍ରମାନ୍ଵୟରେ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଥିବା ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ଯେତିକି ଏକୁଟିଆ ମୁକେଶଙ୍କ ସମ୍ପତ୍ତି ତାହାଠାରୁ ଅଧିକ। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଏସ୍‌ପି ହିନ୍ଦୁଜା ଆଣ୍ଡ୍‌ ଫ୍ୟାମିଲି ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୧ ଲକ୍ଷ ୫୯ ହଜାର କୋଟି ଟଙ୍କା ରହିଛି। ସେହିଭଳି ତୃତୀୟ ସ୍ଥାନରେ ଏଲ୍‌. ଏନ୍‌. ମିତ୍ତଲ ରହିଥିବା ବେଳେ ତାଙ୍କ ସମ୍ପତ୍ତି ୧ ଲକ୍ଷ ୧୪ ହଜାର ୫୦୦ କୋଟି ଟଙ୍କା ରହିଛି। ଚତୁର୍ଥ ସ୍ଥାନରେ ଓ୍ଵିପ୍ରୋ ମୁଖ୍ୟ ଅଜିମ୍‌ ପ୍ରେମ୍‌ଜୀ ରହିଥିବା ବେଳେ ତାଙ୍କ ସମ୍ପତ୍ତି ୯୬ ହଜାର ୧୦୦ କୋଟି ଟଙ୍କା ରହିଛି। ଚଳିତବର୍ଷ ତାଲିକାର ପଞ୍ଚମ ସ୍ଥାନରେ ସନ୍‌ ଫାର୍ମାର ଦିଲ୍ଲୀପ ସାଂଘଭି ରହିଛନ୍ତି। ଗତବର୍ଷ ତୁଳନାରେ ଚଳିତବର୍ଷ ସାଂଘଭି ୩ଟି ସ୍ଥାନ ତଳକୁ ଖସି ଯାଇଛନ୍ତି। ସାଂଘଭିଙ୍କ ସମ୍ପତ୍ତି ୮୯,୭୦୦ କୋଟି ଟଙ୍କା ରହିଛି। ଷଷ୍ଠ ସ୍ଥାନରେ କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କର ଉଦୟ କୋଟାକ୍‌ ରହିଛନ୍ତି। ଉଦୟଙ୍କ ସମ୍ପତ୍ତି ୭୮,୬୦୦ କୋଟି ଟଙ୍କା ରହିଛି। ସପ୍ତମ ସ୍ଥାନରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସାଇରସ୍‌ ଏସ୍‌ ପୁନାଓ୍ଵାଲା ରହିଛନ୍ତି। ତାଙ୍କ ସମ୍ପତ୍ତି ୭୩ ହଜାର କୋଟି ଟଙ୍କା ରହିଛି। ପୁନାଓ୍ଵାଲାଙ୍କ ତଳକୁ ଅଷ୍ଟମ ସ୍ଥାନରେ ଆଦାନୀ ଏଣ୍ଟରପ୍ରାଇଜେସ୍‌ର ଗୌତମ ଆଦାନୀ ରହିଛନ୍ତି। ତାଙ୍କର ସମ୍ପତ୍ତି ୭୧,୨୦୦ କୋଟି ଟଙ୍କା ରହିଛି। ନବମ ସ୍ଥାନରେ ଯୁଗ୍ମ ଭାବେ ସାପୁର୍‌ଜି ପାଲୋଞ୍ଜି ଗ୍ରୁପ୍‌ର ସାଇରସ୍‌ ପାଲୋଞ୍ଜି ମିସ୍ତ୍ରୀ ଓ ସାପୁର୍‌ ପାଲୋଞ୍ଜି ମିସ୍ତ୍ରୀ ରହିଛନ୍ତି। ସେମାନଙ୍କ ସମ୍ପତ୍ତି ଯଥାକ୍ରମେ ୬୯,୪୦୦ କୋଟି ଟଙ୍କା ଲେଖାଏଁ ରହିଛି।

ସମ୍ବନ୍ଧିତ ଖବର