ମୋନିକା ‘ଫିକି ଓଡ଼ିଶା ରାଜ୍ୟ ପରିଷଦ’ର ସହ-ଅଧ୍ୟକ୍ଷା

ଶୁଭ୍ରକାନ୍ତ ଅଧ୍ୟକ୍ଷ ଭାବେ ପୁନଃ ମନୋନୀତ, ଅଭିଜିତ ମଧ୍ୟ ସହ-ଅଧ୍ୟକ୍ଷ

ଭୁବନେଶ୍ବର: ଶିଳ୍ପ ସଂଘ ଫିକିର ଓଡ଼ିଶା ରାଜ୍ୟ ପରିଷଦର ସହ ଅଧ୍ୟକ୍ଷା (କୋ-ଚେୟାର୍‌) ଭାବେ ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକଙ୍କୁ ମନୋନିତ କରାଯାଇଛି। ସେ ଫିକି ମିଡିଆ ଆଣ୍ଡ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ସ୍କିଲ୍‌ସ କାଉନ୍‌ସିଲ୍‌ର ପରିଚାଳନା ପରିଷଦର ସଦସ୍ୟା ଭାବେ କାମ କରୁଛନ୍ତି। ଭାରତୀୟ ରେଡ଼ିଓ ଅପରେଟର୍ସ ସଂଘର ପରିଚାଳନା ପରିଷଦରେ ମଧ୍ୟ ତାଙ୍କ ନାମ ରହିଛି। ଆଣବିକ ଜୀବବିଜ୍ଞାନରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିଥିବା ଶ୍ରୀମତୀ ପଟ୍ଟନାୟକ ଦିଲ୍ଲୀରୁ ଇଣ୍ଟରନ୍ୟାସନାଲ୍ ଆଣ୍ଡ୍‌ ଡୋମେଷ୍ଟିକ୍ ମାର୍କେଟିଂରେ ସ୍ନାତକୋତ୍ତର ଶିକ୍ଷା ମଧ୍ୟ ହାସଲ କରିଛନ୍ତି। ଏହି ନୂଆ ଦାୟିତ୍ବକୁ ନେଇ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ‘ଫିକି ସହିତ ପାଞ୍ଚ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଜଡ଼ିତ ଅଛି। କିନ୍ତୁ, ଏବେ ରାଜ୍ୟ ସ୍ତରୀୟ ଟିମ୍‌ର ଅଂଶ ହୋଇଛି। ମୁଁ ଭାବୁଛି ଓଡ଼ିଶାର ଶିଳ୍ପ ସଂସ୍ଥାଙ୍କ ପାଇଁ ବହୁତ କିଛି ଯୋଗଦାନ କରିପାରିବି। ଫିକି ଓଡ଼ିଶା ରାଜ୍ୟ ପରିଷଦରେ ଇମ୍ଫାର ପରିଚାଳନା ନିର୍ଦେଶକ ଶୁଭ୍ରକାନ୍ତ ପଣ୍ଡାଙ୍କୁ ପୁନର୍ବାର ଅଧ୍ୟକ୍ଷ ଦାୟିତ୍ବ ପ୍ରଦାନ କରାଯାଇଛି। ୨୦୧୮-୧୯ରେ ଶ୍ରୀ ପଣ୍ଡା ଫିକିକୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ମଞ୍ଚରେ ସଫଳତାର ସହିତ ପ୍ରତିନିଧିତ୍ବ କରାଇଥିଲେ। ବୋଷ୍ଟନ ବିଶ୍ବବିଦ୍ୟାଳୟର କ୍ବେଷ୍ଟ୍ରମ୍ ସ୍କୁଲ୍ ଅଫ୍ ବିଜନେସ୍‌ରେ ପାଠ ପଢ଼ିଥିବା ଶ୍ରୀ ପଣ୍ଡା ଅନେକ ପୁରସ୍କାର ଏବଂ ସମ୍ମାନ ହାସଲ କରିଛନ୍ତି। ସେହିପରି ବେଦାନ୍ତ ଝାରସୁଗୁଡ଼ାର ସିଇଓ ଅଭିଜିତ ପତିଙ୍କୁ ଫିକି ଓଡ଼ିଶା ପରିଷଦର ସହ-ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ନୂତନ ଭାବେ ମନୋନିତ ହୋଇଥିବା ଓଡ଼ିଶା ରାଜ୍ୟ ପରିଷଦର ସମସ୍ତ କର୍ମକର୍ତ୍ତାଙ୍କୁ ଫିକିର ଜାତୀୟ ସଭାପତି ସନ୍ଦୀପ ସୋମାନି ସ୍ବାଗତ କରିଛନ୍ତି।

ସମ୍ବନ୍ଧିତ ଖବର