ରାଜ୍ୟରେ ମୋବାଇଲ୍ ଗ୍ରାହକ ସଂଖ୍ୟା୮ ଲକ୍ଷ କମିଲା

ବିଏସ୍‌ଏନ୍‌ଏଲ୍‌, ଜିଓ ଗ୍ରାହକ ଯୋଡ଼ିଲେ ଅନ୍ୟ କଂପାନି ହରାଇଲେ

ଭୁବନେଶ୍ବର: ଗତ ମାର୍ଚ ମାସରେ ରାଜ୍ୟରେ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ବଡ଼ ଧରଣର ହ୍ରାସ ହୋଇଛି। ମୋବାଇଲ୍‌ ନେଟ୍‌ୱର୍କକୁ ୮ ଲକ୍ଷ ୨୮ ହଜାର ଗ୍ରାହକ ବାହାରି ଯାଇଛନ୍ତି। ଗତ ଫେବ୍ରୁଆରି ମାସରେ ଓଡ଼ିଶାରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୫ ଲକ୍ଷ ଥିଲା। ଏହାର ମାସକ ପରେ ଅର୍ଥାତ ଗତ ମାର୍ଚରେ ଏହି ସଂଖ୍ୟା ୮ ଲକ୍ଷ ୨୮ ହଜାର ୧୧୧ ହ୍ରାସ ପାଇ ୩ କୋଟି ୨୬ ଲକ୍ଷକୁ ଖସିଆସିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି।
ଓଡ଼ିଶା‌ରେ ମାର୍ଚରେ ସରକାରୀ କଂପାନି ବିଏସ୍‌ଏନ୍‌ଏଲ୍‌ ୪୬୮୬୯ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ରିଲାଏନ୍ସ ଜିଓ ୩ ଲକ୍ଷ ୯୬ ହଜାର ୯୦୮ ଜଣ ନୂଆ ଗ୍ରାହକ ଯୋଡ଼ଛି। ଏହି ମାସରେ ଏୟାରଟେଲ୍‌ ରାଜ୍ୟରେ ୯ ଲକ୍ଷ ୩୫ ହଜାର ୮୧୮ ଜଣ ଗ୍ରାହକଙ୍କୁ ହରାଇଥିବା ବେଳେ ଭୋଡାଫୋନ୍ ଆଇଡିଆ ୨ ଲକ୍ଷ ୯୬ ହଜାର ୬୬୧ ଜଣ ଗ୍ରାହକଙ୍କୁ ହରାଇଛି। ଟ୍ରାଇ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଜଣାପଡ଼ିଛି ଯେ, ଦେଶରେ ପ୍ରଥମ ଥର ପାଇଁ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା କମିଛି। ସାରା ଦେଶରେ ଗତ ଫେବ୍ରୁଆରିରେ ୧୧୬ କୋଟି ୩୬ ଲକ୍ଷ ମୋବାଇଲ୍ ଗ୍ରାହକ ଥିଲେ। ସେମାନଙ୍କ ସଂଖ୍ୟା ଗତ ମାର୍ଚ ବେଳକୁ ୧୧୬ କୋଟି ୧୮ ଲକ୍ଷକୁ ଖସିଆସିଛି। ଜାତୀୟ ସ୍ତରରେ ଜିଓ ଏକମାତ୍ର କଂପାନି ଯାହାର ଗ୍ରାହକ ସଂଖ୍ୟା ମାର୍ଚରେ ୯୫ ଲକ୍ଷ ବଢ଼ିଛି। ଏୟାରଟେଲ୍‌ର ୧.୫୧ କୋଟି, ଭୋଡାଫୋନ୍‌ର ୧.୪୫ କୋଟି ଓ ବିଏସ୍ଏନ୍‌ଏଲ୍‌ ୫.୬ ଲକ୍ଷ ଗ୍ରାହକ ହରାଇଛନ୍ତି। ଦେଶରେ ଗୋଟିଏ ମାର୍ସରେ ୨ କୋଟି ୧୮ ଲକ୍ଷ ମୋବାଇଲ୍ ଗ୍ରାହକ କମିଯାଇଛନ୍ତି। ମାର୍ଚରେ ଓଡ଼ିଶାରେ ୧.୧ ଲକ୍ଷ ଗ୍ରାହକ ମୋବାଇଲ୍‌ ନମ୍ବର ପୋର୍ଟ ବା ଏମ୍‌ଏନ୍‌ପି କରିବାକୁ ଆବେଦନ କରିଥିଲେ। ଏଥିରୁ ଏହା ଜଣାପଡ଼ୁଛି ଯେ, ମୋବାଇଲ୍‌ କଂପାନିଗୁଡ଼ିକ ଯେଉଁ ୮ ଲକ୍ଷ ୨୮ ହଜାର ଗ୍ରାହକ ହରାଇଛନ୍ତି, ସେମାନେ ସବୁଦିନ ପାଇଁ ମୋବାଇଲ୍‌ ନେଟୱର୍କକୁ ବାହାରିଯାଇଛନ୍ତି। ଯେଉଁ ନୂଆ ଗ୍ରାହକ ସାମିଲ ହୋଇଛନ୍ତି ସେମାନେ ନୂଆ ସିମ୍ କିଣିଛନ୍ତି। ଆଜିକାଲି ଲୋକମାନେ ଡୁଆଲ୍ ସିମ୍ ଫୋନ୍ ବ୍ୟବହାର କରୁଥିବାରୁ ସେଥିରେ ଦୁଇଟି ଲେଖାଏଁ ମୋବାଇଲ୍‌ ନମ୍ବର ରହୁଛି। ଏହା ମଧ୍ୟ ସମ୍ଭାବନା ରହୁଛି ଯେ, ଅନେକ ଗ୍ରାହକ ନିଜର ଦ୍ବିତୀୟ ବା ଗୌଣ ସିମ୍‌କୁ ସବୁ ଦିନ ପାଇଁ ବନ୍ଦ କରିଦେଇଛନ୍ତି ଏବଂ କେବଳ ମୁଖ୍ୟ ସିମ୍‌କୁ ବ୍ୟବହାର କରୁଛନ୍ତି। କେତେକ ମୋବାଇଲ୍‌ ଅପରେଟର ସର୍ବନିମ୍ନ ରିଚାର୍ଜ ନିୟମ ଲାଗୁ କରିବା ପରେ ଦ୍ବିତୀୟ ସିମ୍‌ର ବ୍ୟବହାର ଦ୍ରୁତ ଗତିରେ ହ୍ରାସ ପାଇଥିଲା। ତାହାର ପ୍ରଭାବରେ ମାର୍ଚରେ ମୋବାଇଲ୍ ଗ୍ରାହକ ସଂଖ୍ୟା କମିଥାଇପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର