‘୨୦୩୧ରେ ଉତ୍କଟ ଦାରିଦ୍ର୍ୟର ଅନ୍ତ ହେବ’

ନୂଆଦିଲ୍ଲୀ: ଦ୍ରୁତ ଗତିରେ ଅର୍ଥନୀତି ଆଗକୁ ବଢ଼ିବ। ଅଧିକ ଲୋକ ସହରରେ ବାସ କରିବେ। ମଧ୍ୟବିତ୍ତଙ୍କ ସଂଖ୍ୟା ବଢ଼ିବ। ଏହା ଦ୍ବାରା ୨୦୨୧ ବେଳକୁ ଦେଶର ଉତ୍କଟ ଦାରିଦ୍ର୍ୟ ଭିତରେ ବାସ କରୁଥିବା ଲୋକଙ୍କ ସଂଖ୍ୟା ବହୁତ କମିଯିବ। ଏହାର ୧୦ ବର୍ଷ ପରେ ଅର୍ଥାତ ୨୦୩୧ରେ ଉତ୍କଟ ଦାରିଦ୍ର୍ୟର ଅନ୍ତ ହେବ। ଦେଶର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଫେସବୁକ୍‌ରେ ଏହା ଲେଖିଛନ୍ତି। ବିଶ୍ବବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ୨୦୧୧ରେ ଭାରତର ୨୧%ଙ୍କ ଅବସ୍ଥା ଏଭଳି ଥିଲା ଯେଉଁମାନେ ଦିନକୁ ୧.୯୦ ଡଲାର ଖର୍ଚ କରିବାକୁ ସକ୍ଷମ ନଥିଲେ। ଜେଟ୍‌ଲି ଲେଖିଛନ୍ତି ଯେ, ବିଗତ ତିନି ଦଶନ୍ଧୀରେ ଅର୍ଥନୀତି‌ରେ ଅନେକ ଅଗ୍ରଗତି ହୋଇଛି ଏବଂ ଏହାର ଲାଭ ପ୍ରତିଟି ବର୍ଗର ନାଗରିକଙ୍କ ପାଖରେ ପହଞ୍ଚିଛି। ଏହି ବର୍ଷଗୁଡ଼ିକରେ ରାଜ୍ୟଗୁଡ଼ିକ ଅଧିକ ରାଜସ୍ବ ଆୟ କରିଥିବାରୁ ଦାରିଦ୍ର୍ୟ ଦୂରୀକରଣ, ନିଯୁକ୍ତି ସୃଷ୍ଟି କରିବା, ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା‌ରେ ଉନ୍ନତି ଆଣିବା ଦିଗରେ ସେମା‌ନେ ଅଧିକ ମନୋନିବଶେ କରି କାମ କରିଛନ୍ତି। ଚଳିତ ବର୍ଷର ସାଧାରଣ ନିର୍ବାଚନରେ ନିଯୁକ୍ତି ତଥ୍ୟ ଏବଂ ଅର୍ଥନୀତିର ସ୍ଥିତି ଏକ ପ୍ରମୁଖ ପ୍ରସଙ୍ଗ ଭାବେ ଉଭା ହୋଇଛି। ଏନ୍‌ଡିଏ ସରକାରଙ୍କ ତରଫରୁ ଅର୍ଥନୀତିର ଯେଉଁ ଗୋଲାପୀ ଚିତ୍ର ଉପସ୍ଥାପନ କରାଯାଉଛି ତାହାକୁ କଂଗ୍ରେସ ପକ୍ଷରୁ ପ୍ରତ୍ୟାଖ୍ୟାନ କରିଦିଆଯାଇଛି। ଜାତୀୟ ନମୁନା ସର୍ବେକ୍ଷଣ ସଂଗଠନ (ଏନ୍‌ଏସ୍‌ଏସ୍‌ଓ)ର ଲିକ୍ ‌ହୋଇଯାଇଥିବା ରିପୋର୍ଟରେ ଦେଶର ବେକାରୀ ହାର ୪୫ ବର୍ଷ ଭିତରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା କୁହାଯାଉଛି। ତାହାକୁ ମଧ୍ୟ କଂଗ୍ରେସ ଚଳିତ ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ କରିଛି।

ସମ୍ବନ୍ଧିତ ଖବର