ରିଅଲ ଇଷ୍ଟେଟ୍‌ରେ ଫସିଛି ଲକ୍ଷେ କୋଟି

ଅସୁଲର ସମ୍ଭାବନା କମ୍‌, ଜବତ ହେଉଛି ଜମି, ଘର

ନୂଆଦିଲ୍ଲୀ: ବ୍ୟାଙ୍କ ଠାରୁ କୋଟି କୋଟି ଟଙ୍କାର ଋଣ ନେଇ ରିଅଲ୍‌ ଇଷ୍ଟେଟ୍‌ କଂପାନିଗୁଡ଼ିକ ଘର ତିଆରି କରିଛନ୍ତି। କିନ୍ତୁ ତାହାକୁ କିଣିବା ପାଇଁ ଗ୍ରାହକ ମିଳୁନାହାନ୍ତି। ଘର ବିକ୍ରି ହେଉନଥିବାରୁ କଂପାନିଗୁଡ଼ିକ ଋଣ ପରିଶୋଧ କରିପାରୁନାହାନ୍ତି। କିଛି ବର୍ଷ ହେଲାଣି ଦେଶରେ ଏଭଳି ସ୍ଥିତି ଲାଗି ରହିଛି। ରିଅଲ ଇଷ୍ଟେଟ୍‌ ଶିଳ୍ପକୁ ପ୍ରଦାନ କରାଯାଇଥିବା ପ୍ରାୟ ୧ ଲକ୍ଷ ୧୩ ହଜାର କୋଟି ଟଙ୍କା (୨୦ ବିଲିଅନ୍‌ ଡଲାର୍‌)ର ଋଣ ପ୍ରତି ବିପଦ ସୃଷ୍ଟି ହୋଇଛି। ଇସ୍ପାତ କଂପାନି ଓ ଅନ୍ୟ ବଡ଼ ଶିଳ୍ପ ସଂସ୍ଥାଗୁଡ଼ିକ ବିପୁଳ ପରିମାଣର ଋଣ ନେଇ ଫେରସ୍ତ ନକରିବାରୁ ଭାରତୀୟ ବ୍ୟାଙ୍କଗୁଡ଼ିକର ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି। ସେମାନଙ୍କ ଏନ୍‌ପିଏ ରାଶି ପରିମାଣ ୮ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ରିଅଲ ଇଷ୍ଟେଟ୍‌ ଶିଳ୍ପ ପାଇଁ ଏନ୍‌ପିଏ ପରିମାଣ ଆହୁରି ବଢ଼ିବାର ଆଶଙ୍କା ଦେଖାଦେଇଛି। ନିଜ ଋଣ ଅର୍ଥ ଫେରିପାଇବା ପାଇଁ ବ୍ୟାଙ୍କଗୁଡ଼ିକ ପକ୍ଷରୁ ରିଅଲ ଇଷ୍ଟେଟ୍‌ କଂପାନିଗୁଡ଼ିକ ପାଖରେ ଥିବା ଜମି ଓ ଅସମ୍ପୂର୍ଣ୍ଣ ଥିବା ପ୍ରକଳ୍ପଗୁଡ଼ିକୁ ଜବତ କରାଯାଉଛି। ସେଗୁଡ଼ିକୁ ବିକ୍ରି କରି ବ୍ୟାଙ୍କ ସେମାନଙ୍କ ଋଣ ଅର୍ଥ ଅସୁଲ କରିବା ଉପରେ ବିଚାର କରୁଛନ୍ତି। ଦେଶର ଦୁଇ ପ୍ରମୁଖ ରିଅଲ ଇଷ୍ଟେଟ୍‌ ସଂସ୍ଥା ଜେପି ଇନ୍‌ଫ୍ରାଟେକ୍‌ ଓ ୟୁନିଟେକ୍‌ କୋର୍ଟରେ ଲଢ଼େଇ କରୁଛନ୍ତି। ଗ୍ରାହକମାନେ ଏହି ଦୁଇ କଂପାନିକୁ କୋର୍ଟ ମଧ୍ୟକୁ ଟାଣି ଆଣିଛନ୍ତି। ପ୍ରତିଶ୍ରୁତି ମୁତାବକ ଏହି ଦୁଇ କଂପାନି ଗ୍ରାହକଙ୍କୁ ଘର ଦେଇପାରିନାହାନ୍ତି। ସେମାନଙ୍କ ପଛରେ ଉଭୟ ବ୍ୟାଙ୍କ ଓ ଗ୍ରାହକ ପଡ଼ିଯାଇଥିଲେ। ଏହି ଦୁଇ କଂପାନିର ସମ୍ପତ୍ତି ବିକ୍ରିରୁ ଯେଉଁ ଅର୍ଥ ମିଳିବ ତାହାକୁ ବ୍ୟାଙ୍କ ଓ ଗ୍ରାହକଙ୍କ ମଧ୍ୟରେ ବାଣ୍ଟିବା ପାଇଁ ବିଚାର କରାଯାଉଛି। ଚାରି ବର୍ଷ ପୂର୍ବେ ନୂଆ ଘର ଦାମ୍‌ ଯେତିକି ଥିଲା ଏବେ ତାହା ୨୦% କମିଗଲାଣି। ଘର ବିକ୍ରି ମଧ୍ୟ ୪୦% କମିଯାଇଛି। ଏଭଳି ମାନ୍ଦା ପରିସ୍ଥିତିରେ ବ୍ୟବସାୟରେ ତିଷ୍ଠି ରହିବାକୁ ରିଅଲ ଇଷ୍ଟେଟ୍‌ ସଂସ୍ଥାଗୁଡ଼ିକ ସଂଘର୍ଷ କରୁଛନ୍ତି। ଫସି ରହିଥିବା ଋଣଗୁଡ଼ିକୁ ଦୀର୍ଘଦିନ ପର୍ଯ୍ୟନ୍ତ ପାଖରେ ନରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଋଣ ଆଦାୟ କରିବାକୁ ପ୍ରୟାସ କର ଅନ୍ୟଥା କଂପାନିକୁ ବ୍ୟାଙ୍କରପ୍‌ସି କୋର୍ଟକୁ ଟାଣି ଆଣ ବୋଲି ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ବ୍ୟାଙ୍କରପ୍‌ସି କୋର୍ଟରେ ଋଣ ମାମଲାଗୁଡ଼ିକର ଶୀଘ୍ର ସମାଧାନ କରି ଋଣ ଖାତାକୁ ସ୍ୱଚ୍ଛ କରିବା ପାଇଁ ବ୍ୟାଙ୍କଗୁଡ଼ିକ ଉପରେ ଚାପ ପଡ଼ୁଛି।

ସମ୍ବନ୍ଧିତ ଖବର