ଆୟକର ବିଭାଗକୁ ୧୦ ଲକ୍ଷ ଜରିମାନା

ସୁପ୍ରିମ୍‌ କୋର୍ଟ ପଚାରିଲେ ‘ଏହା କଣ ଭୋଜି କରିବା ଜାଗା’

ନୂଆଦିଲ୍ଲୀ: ଦେଶର ସବୋର୍ଚ୍ଚ ଅଦାଲତ ଆୟକର ବିଭାଗକୁ କଡ଼ା ସମାଲୋଚନା କରିଛନ୍ତି। ଏକ ମାମଲାକୁ ନେଇ ଉତ୍ତର ଦେବାରେ ଦୀର୍ଘ ଦିନ ବିଳମ୍ବ କରିବା ଓ ଶେଷରେ ବିଭ୍ରାନ୍ତିକର ବିବୃତି ଦେଇଥିବାରୁ ଅଦାଲତ ବିରକ୍ତ ହୋଇଛନ୍ତି। ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ ଆୟକର ବିଭାଗର ଏଭଳି ଖାମଖିଆଲି ମନୋଭାବକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। କହିଥିଲେ ତୁମେ ସୁପ୍ରିମ କୋର୍ଟଙ୍କୁ ଏକ ଭୋଜି କରିବା ଜାଗା ବୋଲି ଭାବି ପାରିବ ନାହିଁ ଓ ସେଭଳି ବ୍ୟବହାର ମଧ୍ୟ କରିପାରିବ ନାହିଁ। ଖଣ୍ଡପୀଠ ପକ୍ଷରୁ ଆୟକର ବିଭାଗ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି। ୪ ସପ୍ତାହ ଭିତରେ ଏହି ଜରିମାନା ରାଶି ସୁପ୍ରିମକୋର୍ଟଙ୍କ ଲିଗାଲ ସର୍ଭିସେସ୍‌ କମିଟି ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅର୍ଥ ନାବାଳକଙ୍କ ବିଚାର ପ୍ରକ୍ରିୟାରେ ବ୍ୟବହାର କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି। ଆୟକର ବିଭାଗ ଜରିଆରେ ଏହି ମାମଲାକୁ କେନ୍ଦ୍ର ସରକାର ଯେଉଁଭଳି ସାଧାରଣ ଢଙ୍ଗରେ ଗ୍ରହଣ କରିଥିଲେ ତାହାକୁ ନେଇ କୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ବିଚାରପତି ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ବିଚାରପତି ଏସ୍‌ ଅବଦୁଲ୍‌ ନାଜିର ଓ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବା ବେଳେ ଜାଣିବାକୁ ପାଇଥିଲେ ଯେ, ଆୟକର ବିଭାଗ ପକ୍ଷରୁ ୫୯୬ ଦିନ ବିଳମ୍ବରେ ଜବାବ ଦାଖଲ କରାଯାଇ ଥିଲା। ଯେଉଁ ଉତ୍ତର ଦିଆଯାଇଥିଲା ତାହା ଅସମ୍ପୂର୍ଣ୍ଣ ଓ ଅବୁଝା ରହିଥିଲା। ଗାଜିଆବାଦ ଆୟକର ଆୟୁକ୍ତଙ୍କ ଦ୍ୱାରା ଦାଖଲ କରାଯାଇ ଥିବା ଏକ ମାମଲା ୨୦୧୨ରୁ ପଡ଼ି ରହିଛି ବୋଲି ବିଭାଗ ପକ୍ଷରୁ ଯେଉଁ ଉତ୍ତର ରଖାଯାଇଥିଲା ତାହା ମିଥ୍ୟା ଥିଲା। ଅଦାଲତ କହିଥିଲେ ଯେ, ଏହି ମାମଲାର ବିଚାର ୨୦୧୨ ସେପ୍ଟେମ୍ବରରୁ ଶେଷ ହୋଇଯାଇଛି। ମାମଲାଟିକୁ ଖାରଜ କରିବା ସହିତ ବିଭାଗର ଏଭଳି ବେପରୁଆ ମନୋଭାବକୁ ଖଣ୍ଡପୀଠ ତୀବ୍ର ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର