‘କରୋନା ମୁକାବିଲା ଲାଗି ବିଶ୍ବ ଜିଡିପିର ୧୦% ଦରକାର’ ବିଶ୍ବ ଜିଡିପି ଅଭିବୃଦ୍ଧି ୧% ହ୍ରାସ ପାଇବ

ନୂଆଦିଲ୍ଲୀ: କୋଭିଡ୍‌-୧୯ ଭୂତାଣୁର ପ୍ରଭାବକୁ ପ୍ରତିହତ କରିବାକୁ ହେଲେ ବିଶ୍ବ ଜିଡିପିର ୧୦% ଅର୍ଥ ଆବଶ୍ୟକ ବୋଲି ଜାତିସଂଘ କହିଛି। ଏହା ବ୍ୟତୀତ ଅସ୍ଥିର ହୋଇପଡ଼ୁଥିବା ଅର୍ଥନୀତିରେ ସ୍ଥିରତା ଆଣିବା ଲାଗି ସେହି ଦେଶର ଋଣ ପୁର୍ନଗଠନ କରିବାକୁ ପଡ଼ିବ ଏବଂ ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କାରବାରରେ ଯେଉଁ କଟକଣା ସବୁ ରହିଛି ତାହାକୁ ହଟାଇବାକୁ ପଡ଼ିବ ବୋଲି ଜାତିସଂଘ ଏହାର ମାର୍ଚ୍ଚ ରିପୋର୍ଟରେ ଜଣାଇଛି।

ବିଦେଶରେ ରହି ସ୍ବଦେଶକୁ ଟଙ୍କା ପଠାଇବାରେ ଯେଉଁ ଖର୍ଚ୍ଚ ହେଉଛି ତାହାକୁ ଶୂନ ପର୍ଯ୍ୟନ୍ତ ହ୍ରାସ କରିବାକୁ ପଡ଼ିବ। ଏହା ବ୍ୟତୀତ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି, ବିଶ୍ବ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିବାକୁ ହେବ ବୋଲି ଜାତିସଂଘ ଜଣାଇଛି। ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ଓ ପାଣିପାଗ ପରିବର୍ତ୍ତନକୁ ନେଇ ସ୍ବାକ୍ଷରିତ ହୋଇଥିବା ପ୍ୟାରିସ୍‌ ବୁଝାମଣାକୁ କରୋନା ସଙ୍କଟ ପ୍ରଭାବିତ କରିବାର ଆଶଙ୍କା ରହିଛି। ୨୦୧୫ରେ ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର ଏସ୍‌ଡିଜିକୁ ଗ୍ରହଣ କରିଥିଲେ। ପରିବେଶ, ସ୍ବାସ୍ଥ୍ୟ ସେବା, ଲିଙ୍ଗଗତ ସମାନତା, ଶିକ୍ଷା ଏବଂ ନିରନ୍ତର ଜୀବନଜୀବିକା ଭଳି କ୍ଷେତ୍ରରେ ଏକ ନିର୍ଦିଷ୍ଟ ଲକ୍ଷ୍ୟ ହାସଲ କରିବାକୁ ସମସ୍ତ ରାଷ୍ଟ୍ର ସଂକଳ୍ପ କରିଛନ୍ତି। ସେହିପରି ୨୦୧୬ରେ ପାଣିପାଗ ପରିବର୍ତ୍ତନ ପ୍ରଭାବକୁ ରୋକିବା ଲାଗି ପ୍ୟାରିସ୍‌ ବୁଝାମଣା ସ୍ବାକ୍ଷରିତ ହୋଇଥିଲା। କରୋନା ସଙ୍କଟ ଯୋଗୁଁ ସ୍ବଳ୍ପମିଆଦୀ ଭିତ୍ତିରେ ପରିବେଶକୁ ଲାଭ ମିଳିବ। କାରଣ ଅର୍ଥନୈତିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବାରୁ ଅଙ୍ଗାରକାମ୍ଳ ଗ୍ୟାସ୍‌ ନିର୍ଗମନ ହ୍ରାସ ପାଇବ। ମାତ୍ର ଏହି ସଙ୍କଟ ହଟିଯିବା ପରେ ଦେଶଗୁଡ଼ିକରେ ଅର୍ଥନୈତିକ କାର୍ଯ୍ୟକଳାପ ଦ୍ରୁତ ଗତିରେ ଆଗକୁ ବଢ଼ିବ। ଦେଶଗୁଡ଼ିକ ନିଜ ପାଖରେ ଥିବା ସମ୍ବଳକୁ ଅନ୍ୟତ୍ର ବ୍ୟବହାର କରିବେ। ଫଳରେ ଏସଡିଜିରୁ ସେମାନଙ୍କ ଧ୍ୟାନ ହଟିଯିବ ବୋଲି ଜାତିସଂଘ ଆଶଙ୍କା ପ୍ରକଟ କରିଛି। ୨୦୦୦ ମସିହାରେ ଜାତିସଂଘ ତରଫରୁ ଶହଶ୍ରାବ୍ଦୀ ବିକାଶ ଲକ୍ଷ୍ୟ (ଏମ୍‌ଡିଜି) ଲାଗୁ କରାଯାଇଥିଲା। ବିଭିନ୍ନ କ୍ଷେତ୍ରର ଲକ୍ଷ୍ୟକୁ ୨୦୧୫ ସୁଦ୍ଧା ହାସଲ କରିବାକୁ ଦେଶଗୁଡ଼ିକ ସଂକଳ୍ପ କରିଥିଲେ। ଯଦି ସ୍ବାସ୍ଥ୍ୟ ସେବାକୁ ନେଇ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟକୁ ଦେଶଗୁଡ଼ିକ ହାସଲ କରିପାରିଥାନ୍ତେ ତେବେ ସେମାନେ କୋଭିଡ୍‌-୧୯ ସଙ୍କଟକୁ ସହଜରେ ମୁକାବିଲା କରିପାରିଥାନ୍ତେ ବୋଲି ଜାତିସଂଘ ଏହାର ରିପୋର୍ଟରେ ଜଣାଇଛି।

କରୋନାକୁ ନେଇ ସୃଷ୍ଟି ହୋଇଥିବା ସ୍ଥିତିର ମୁକାବିଲା ଲାଗି ଜାତିସଂଘ କେତେକ ପରାମର୍ଶ ଦେଇଛି। ସମସ୍ତ ପ୍ରକାର ବାଣିଜ୍ୟ କଟକଣାକୁ ହଟାଇବା, ଶୁଳ୍କ ଉଚ୍ଛେଦ କରିବା, ରପ୍ତାନି ଉପରେ ଲଗାଯାଇଥିବା କଟକଣାକୁ ପ୍ରତ୍ୟାହାର କରିବା, ମେଡିକାଲ୍ ଉପକରଣ ଆମଦାନିରେ ରହିଥିବା ଆମଦାନି ଶୁଳ୍କ ଓ କଟକଣାକୁ ପ୍ରତ୍ୟାହାର କରିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ କାରବାର ‌ଉପେର ଯେତେ ସବୁ କଟକଣା ଲଗାଯାଇଛି ତାହାକୁ ଦେଶଗୁଡ଼ିକ ଉଚ୍ଛେଦ କରିବା ଦରକାର ବୋଲି ଜାତିସଂଘ ଏହାର ରିପୋର୍ଟରେ କହିଛି। ଅନ୍ୟ ପକ୍ଷରେ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ବ୍ୟାପାର ବିଭାଗ (ଦେସା) ପକ୍ଷରୁ ଆକଳନ କରାଯାଇଛି ଯେ କରୋନା ଭୂତାଣୁ ପ୍ରଭାବରେ ୨୦୨୦ରେ ବିଶ୍ବର ଅର୍ଥନୀତିର ଅଭିବୃଦ୍ଧି ହାର ପ୍ରାୟ ୧ ପ୍ରତିଶତ ହ୍ରାସ ପାଇ ୨.୫%ରେ ପହଞ୍ଚିବ।

ସମ୍ବନ୍ଧିତ ଖବର