ଅକ୍ଷୟ ତୃତୀୟା ସୁନା ବଜାର ସନ୍ଧ୍ୟାରେ ପ୍ରବଳ ଭିଡ଼

୧୦୦ରୁ ୧୫୦ କୋଟିର କାରବାର

ଭୁବନେଶ୍ୱର: ଆଜି ଅକ୍ଷୟ ତୃତୀୟାରେ ସୁନା କାରବାର ଆଶାନୁରୂପ ରହିଥିଲା। ପ୍ରବଳ ଖରା ଯୋଗୁଁ ଦିନ ବେଳା ସୋ’ରୁମ୍‌ରେ କମ୍‌ ସଂଖ୍ୟକ ଗାହକ ପ୍ରବେଶ କରିଥିଲେ। ମାତ୍ର ସନ୍ଧ୍ୟା ପରେ ଭିଡ଼ର ମାତ୍ରା ବଢ଼ିଥିଲା। ବଡ଼ ଗହଣା ସୋ’ରୁମ୍‌ଗୁଡ଼ିକରେ ଅଧିକ ଭିଡ଼ ଦେଖିବାକୁ ମିଳିଥିଲା। ଛୋଟ ଓ ମଧ୍ୟମ ଧରଣର ଦୋକାନଗୁଡ଼ିକରେ ଗ୍ରାହକ ଭିଡ଼ ସାଧାରଣ ରହିଥିଲା। ଟାଣ ଖରା ଏବଂ ଉଚ୍ଚ ତାପମାତ୍ରା ଯୋଗୁଁ ମଧ୍ୟାହ୍ନରେ ସୋ’ରୁମ୍‌ ଗୁଡ଼ିକରେ ଭିଡ଼ ଟିକେ କମ୍‌ ରହିଥିଲା। ଅପରାହ୍ନରେ ସ୍ଥାନୀୟ ଲୋକଙ୍କ ଭିଡ଼ ବୃଦ୍ଧି ପାଇଥିଲା। ସନ୍ଧ୍ୟାରୁ ଭିଡ଼ ବଢ଼ିବା ସହିତ ରାତି ୮ଟା ବେଳକୁ ଏହା ଶୀର୍ଷରେ ପହଞ୍ଚିଥିଲା। ସବୁ ବର୍ଗର ଏବଂ ବୟସର ଗ୍ରାହକଙ୍କୁ ସୁନା ଓ ଅନ୍ୟ ମୂଲ୍ୟବାନ ଧାତୁର ଗହଣା କିଣିବା ଦେଖିବାକୁ ମିଳିଥିଲା। ଗତବର୍ଷ ଅକ୍ଷୟ ତୃତୀୟା ତୁଳନାରେ ଚଳିତ ବର୍ଷ ସୁନା ମୂଲ୍ୟ ୩୦୦୦ ଟଙ୍କା ଅଧିକ ରହିଛି। ସେଥିପାଇଁ ଗ୍ରାହକମାନେ ଅନେକ ବିଷୟ ବିଚାରକୁ ନେଇ ସୁନା ଗହଣା ଖରିଦ କରିଛନ୍ତି। ଲୋକମାନେ ହାଲୁକା ଗହଣା ଅଧିକ ମାତ୍ରାରେ କିଣୁଛନ୍ତି ବୋଲି ଏକ ପ୍ରତିଷ୍ଠିତ ଗହଣା ସୋ’ରୁମ୍‌ ପକ୍ଷରୁ କୁହାଯାଇଛି। ବିବାହ ଋତୁ ଯୋଗୁଁ ସୁନା ବେପାର ବଢ଼ିଥିବା ସେ କହିଛନ୍ତି। ବିବାହ ଋତୁ ଥିବାରୁ ଆଜି ଗ୍ରାହକମାନେ ସୁନା ହାର, ଚୂଡ଼ି, ମଙ୍ଗଳ ସୂତ୍ର, ମୁଦି ଓ କାନଫୁଲ ଅଧିକ ମାତ୍ରାରେ କିଣିଛନ୍ତି।

ଅକ୍ଷୟ ତୃତୀୟା ପାଇଁ ବଜାରକୁ ୭ କ୍ୱିଣ୍ଟାଲ୍‌ ପାଖାପାଖି ସୁନା ଆସିଥିଲା। ସେଥି ମଧ୍ୟରୁ ଆଜି ସାଢ଼େ ଚାରିରୁ ୫ କ୍ୱିଣ୍ଟାଲ୍‌ ସୁନା ବିକ୍ରି ହୋଇଥିବ ବୋଲି ଅନୁମାନ କରାଯାଉଛି। ଗତବର୍ଷ ତୁଳନାରେ ବିକ୍ରି ପରିମାଣ ୧୦% ଅଧିକ ରହିଛି ବୋଲି ଜଣେ ଗହଣା ବ୍ୟବସାୟୀ ମତ ଦେଇଛନ୍ତି। ୨୦୧୭ ଅକ୍ଷୟ ତୃତୀୟାରେ ସାରା ରାଜ୍ୟରେ ୧୪୦ କୋଟି ଟଙ୍କା ଓ ଭୁବନେଶ୍ୱରରେ ୫୦ କୋଟି ଟଙ୍କାର କାରବାର ହୋଇଥିଲା। ଚଳିତ ବର୍ଷ ଯଦି ବିକ୍ରିରେ ୭-୧୦% ବୃଦ୍ଧି ହୋଇଥିବ ତେବେ ରାଜ୍ୟରେ ପାଖାପାଖି ୧୫୦ କୋଟି ଟଙ୍କା ଓ ଭୁବନେଶ୍ୱରରେ ୬୦ କୋଟି ଟଙ୍କାର କାରବାର ହୋଇଥିବ ବୋଲି କୁହାଯାଇପାରିବ। ବିଭିନ୍ନ ବ୍ୟବସାୟୀଙ୍କ ମତକୁ ବିଚାରକୁ ନେବା ପରେ ଯାହା ଜଣାପଡ଼ିଛି ସାରା ରାଜ୍ୟରେ ଆଜି ୧୦୦ କୋଟିରୁ ୧୫୦ କୋଟି ଟଙ୍କା ମଧ୍ୟରେ କାରବାର ହୋଇଛି। ଗତବର୍ଷ ଅକ୍ଷୟ ତୃତୀୟାରେ ସୁନାର ୧୦ ଗ୍ରାମ ପିଛା ଦର ୨୮୫୭୦ ଟଙ୍କା ଥିଲା। ଆଜି ଭୁବନେଶ୍ୱରରେ ସୁନାର ୧୦ ଗ୍ରାମ ପିଛା ଦର ୩୧,୦୭୦ ଟଙ୍କା ରହିଛି। ଏକ ଗହଣା ସୋ’ରୁମ୍‌ର ତତ୍ତ୍ୱାବଧାୟକ କହିଛନ୍ତି ଯେ, ଗତବର୍ଷ ତୁଳନାରେ ବେପାର ବହୁତ ଭଲ ରହିଛି। ଗ୍ରାହକଙ୍କ ସଂଖ୍ୟା ବଢ଼ିଛି। ଅନ୍ୟ ଜଣେ ବ୍ୟବସାୟୀ କିନ୍ତୁ ଭିନ୍ନ ମତ ଦେଇଛନ୍ତି। ସେ କହିଛନ୍ତି ଯେ ସୁନା ଦର ଅଧିକ ଥିବାରୁ ଅଧିକ ଗ୍ରାହକ ଆସିନାହାନ୍ତି। ଯେଉଁମାନେ ସୋ’ରୁମ୍‌କୁ ଆସୁଛନ୍ତି ସେମାନେ ହାଲୁକା ଗହଣା କିମ୍ବା ସୁନା କଏନ୍‌ ଭଳି ଛୋଟ ମୋଟ କିଣାକିଣି କରି ଫେରିଯାଉଛନ୍ତି। ଯଦି ବିବାହ ଋତୁ ନଥାନ୍ତା ତେବେ ସୁନା କାରବାର ସମ୍ପୂର୍ଣ୍ଣ ମାନ୍ଦା ରହିଥାନ୍ତା ବୋଲି ସେ କହିଛନ୍ତି। ରାଜ୍ୟରେ ସୁନା କାରବାର ଆଜି ୧୦୦ କୋଟି ଟଙ୍କା ପାଖାପାଖି ରହିଥିବ ବୋଲି ସେ କହିଛନ୍ତି। କେବଳ ଭୁବନେଶ୍ୱରରେ ୧୫୦ରୁ ଅଧିକ ସୁନା ଗହଣା ଦୋକାନ ରହିଛି। ସାରା ଓଡ଼ିଶାରେ ଏହି ସଂଖ୍ୟା ୫୦୦ରୁ ଅଧିକ।

ସମ୍ବନ୍ଧିତ ଖବର