ନାଲ୍‌କୋ ସ୍ଥାପନ କରିବ ଆଲୟ ଓୟାର୍‌ ରଡ୍‌ ୟୁନିଟ୍‌

୧୩୧ କୋଟି ଟଙ୍କାର ପୁଞ୍ଜିନିବେଶ ୨୦୧୯ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ

ଭୁବନେଶ୍ୱର: ନବରତ୍ନ ଆଲୁମିନିୟମ୍‌ କଂପାନି ନାଲ୍‌କୋ ପକ୍ଷରୁ ଅନୁଗୁଳ ସ୍ମେଲଟର୍‌୍‌ ପରିସରରେ ଏକ ଆଲୟ ଓୟାର ରଡ୍‌ ୟୁନିଟ୍‌ ସ୍ଥାପନ କରାଯିବ। ଏହି ପ୍ରକଳ୍ପରେ ୧୩୧ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଆଜି ନାଲ୍‌କୋର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଭିଡିଓ କନ୍‌ଫରେନ୍ସିଂ ଜାରିଆରେ କେନ୍ଦ୍ର ଖଣି ସଚିବ ଅନିଲ ମୁକିମ୍‌ ଓ ନାଲ୍‌କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି ପ୍ରକଳ୍ପ ୨୦୧୯ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଶକ୍ତି ବିତରଣରେ ବ୍ୟବହାର ହେଉଥିବା ଓୟାର୍‌ ରଡ୍‌କୁ ଏହି ୟୁନିଟ୍‌ରେ ନିର୍ମାଣ କରାଯିବ। ଏହି ୟୁନିଟ୍‌ର ଉତ୍ପାଦନ କ୍ଷମତା ଆଲ୍‌ୟ ଗ୍ରେଡ୍‌ ପାଇଁ ବାର୍ଷିକ ୪୦,୦୦୦ ଟନ୍‌ ଓ ଇସି ଗ୍ରେଡ୍‌ ପାଇଁ ବାର୍ଷିକ ୬୦ ହଜାର ଟନ୍‌ ରହିବ। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୬୮୭ କୋଟି ଟଙ୍କାର ଲାଭ ହାସଲ କରିଥିବା ନାଲ୍‌କୋକୁ ଶ୍ରୀ ମୁକିମ୍‌ ବହୁତ ପ୍ରଶଂସା କରିଛନ୍ତି। ଅଣ ଲୌହ କ୍ଷେତ୍ର ପାଇଁ ନାଲ୍‌କୋ ଦେଶର ଗର୍ବ ଓ ଏହାର ପରିଚାଳନା କର୍ତୃପକ୍ଷ ଖର୍ଚ ଉପରେ ସଠିକ୍‌ ନିୟନ୍ତ୍ରଣ ରଖୁଥିବାରୁ ସମଗ୍ର ବିଶ୍ୱରେ ନାଲ୍‌କୋ ସବୁଠୁ କମ୍‌ ମୂଲ୍ୟରେ ଆଲୁମିନା ଉତ୍ପାଦନ କରିବାର ମାନ୍ୟତା ହାସଲ କରିଛି ବୋଲି ସେ କହିଛନ୍ତି।

ଏହି ଅବସରରେ ସ୍ୱାଗତ ଭାଷଣ ପ୍ରଦାନ କରି ନାଲ୍‌କୋର ଅଧ୍ୟକ୍ଷ ଶ୍ରୀ ଚାନ୍ଦ କହିଛନ୍ତି ଯେ, ଭାରତରେ ମୁଣ୍ଡପିଛା ଆଲୁମିନିୟମ୍‌ ବ୍ୟବହାର ୨.୨ କେଜି ରହିଛି ଯାହା ବିଶ୍ୱ ସ୍ତରର ୭ କେଜି ହାର ତୁଳନାରେ ବହୁତ କମ୍‌। ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢ଼ୁଥିବାରୁ ଆଗାମୀ ଦୁଇ ତିନି ବର୍ଷରେ ଆଲୁମିନିୟମ୍‌ ବ୍ୟବହାରରେ ବଡ଼ ଧରଣର ବୃଦ୍ଧି ହେବ ବୋଲି ସେ କହିଛନ୍ତି।
କର୍ତ୍ତବ୍ୟ ପାଳନରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ନାଲ୍‌କୋର ୨୦ ଜଣ କର୍ମଚାରୀଙ୍କୁ ଆଜି ସମ୍ମାନିତ କରାଯାଇଛି। ଏହି ଅବସରରେ କଂପାନିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର