ଇଡ୍‌କୋ ଟାୱାରକୁ ୧୪୦ କୋଟିରେ କିଣିବ ଓଏସ୍‌ଡିଏ

ଭୁବନେଶ୍ବର,: ମଞ୍ଚେଶ୍ବରଠାରେ ଥିବା ଇଡକୋର ୧୮ ମହଲା ବିଶିଷ୍ଟ କୋଠାକୁ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ(ଓଏସଡିଏ) କିଣିବ। ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮ରେ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ସେମିନାର ଅବସରରେ ଏହି ସୂଚନା ମିଳିଛି। ଆଜି ସ୍କିଲଡ ଇନ୍ ଓଡ଼ିଶା-ସ୍କିଲଡ ଫର୍ ଫ୍ୟୁଚର ଶୀର୍ଷକ ଅଧିବେଶନରେ କୁହାଯାଇଥିଲା ଯେ, ଉଦ୍ୟୋଗପତିଙ୍କ ଉପସ୍ଥିତିରେ ଗତକାଲି ଓଏସଡିଏ ଓ ଆଇଟିଇଇଏସ, ସିଙ୍ଗାପୁର ମଧ୍ୟରେ ଏକ ଐତିହାସିକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ରାଜ୍ୟ ସରକାର ଆଇଟିଇଇଏସ ସିଙ୍ଗାପୁରଙ୍କ ବୈଷୟିକ ସହାୟତାରେ ବିଶ୍ବ ପ୍ରତିଷ୍ଠା କେନ୍ଦ୍ର ସ୍ଥାପନ କରିବାକୁ ଯାଉଛନ୍ତି। ଏହି ପ୍ରତିଷ୍ଠାନ ଆମର ଯୁବକଯୁବତୀମାନଙ୍କୁ ବିଶ୍ବସ୍ତରର ବୈଷୟିକ ଓ ଧନ୍ଦାମୂଳକ ତାଲିମ ପ୍ରଦାନ କରିବ। ଏହି କେନ୍ଦ୍ରରେ ଅତ୍ୟାଧୁନିକ ଓ ଭବିଷ୍ୟତରେ ଆବଶ୍ୟକ ଥିବା ଟ୍ରେଡ ଯଥା ମେ‌କାଟ୍ରୋନିକ୍ସ, ଭର୍ଟିକାଲ ମୋବିଲିଟି, ରୋବୋଟିକ୍ସ, ଆର୍ଟିଫିସିଆଲ ଇ‌ଣ୍ଟଲିଜେନ୍ସ ଆଦି ବିଭାଗରେ ତାଲିମ ଦିଆଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ବିଭାଗୀୟ ଶାସନ ସଚିବ ସଂଜୟ କୁମାର ସିଂହ ଓ ଆଇଟିଇଇଏସ, ସିଙ୍ଗାପୁର ତରଫରୁ ବ୍ରୁଶପୋ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ। ସେହିଭଳି ଆଜି ରାଜ୍ୟର ଯୁବକଯୁବତୀମାନଙ୍କ ଦକ୍ଷତା ବିକାଶ ପାଇଁ ୫ଟି ସଂସ୍ଥା ସହ ବୈଷୟିକ ଶିକ୍ଷା ବିଭାଗ ଓ ଓଏସଡିଏ ପକ୍ଷରୁ ଏମଓୟୁ ସ୍ବାକ୍ଷର କରାଯାଇଛି।
ଏହି ପରିପ୍ରେକ୍ଷୀରେ ଦୁଇଟି ଅଧିବେଶନ ହୋଇଥିଲା। ପ୍ରଥମ ଅଧିବେଶନକୁ ଫିକି ସାଧାରଣ ସମ୍ପାଦକ ଶୋଭା ମିଶ୍ର ଘୋଷ ସଂଚାଳନା କରିଥିଲେ। ଆଲୋଚନାରେ ଆଇଟିଇଇଏସ ସିଙ୍ଗାପୁରର ନି‌ର୍ଦ୍ଦେଶକ ଲିମ୍ ବୁନ୍ ଟିୟଙ୍ଗ, ମାରୁତି ସୁଜୁକି ଟ୍ରେନିଂ ଏକାଡେମିର ଉପସଭାପତି ରାହୁଲ ଶ୍ରୀବାସ୍ତବ, ସୁଜୁକି ମୋଟର୍ସର ହେଡ ଟ୍ୟାଲେଣ୍ଟ ରିମଝିମ୍ ନାଭ୍, ଜିନ୍ଦଲ ଷ୍ଟିଲର ମାନବ ସମ୍ବଳ ନିର୍ଦ୍ଦେଶକ ରାଜୀବ ଭାଦୁରିଆ ଓ ଅନ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସେହିଭଳି ଦ୍ବିତୀୟ ଅଧିବେଶନକୁ ପଞ୍ଚାୟତିରାଜ ବିଭାଗ ସଚିବ ଡି କେ ସିଂହ ସଂଚାଳନା କରିଥିବାବେଳେ ଆଲୋଚନାରେ ଏସୀୟ ବିକାଶ ବ୍ୟାଙ୍କର କଣ୍ଟ୍ରି‌ ହେଡ୍ କେନିଚି ‌ୟୋକୋୟାମା, ସେଫଜୁକେଟ ସିଇଓ ଦିବ୍ୟା ଜୈନ, ସେକ୍ଟର ସ୍କିଲ କାଉନସିଲ୍ ସିଇଓ କ୍ୟାପଟେନ ଟି. ଏସ. ରାମାନୁଜନ, ଲାୱନେ ‌ଏକାଡେମି ଫର ବେକେରି ଆଣ୍ଡ ପାଷ୍ଟ୍ରି ସାଇନ୍ସର ପ୍ରତିଷ୍ଠାତା ତଥା ସହ ନିର୍ଦ୍ଦେଶକ ଡ ‌ସେଫ୍ ଆଭିନ୍ ଥାଲିଆଥ୍, ଭିଭୋ ହେଲଥକେୟାରର ଚିଫ୍ ମାର୍କେଟିଂ ଅଫିସର ବିକାଶ କୋହଲି, ଆପୋଲୋ ସ୍କିଲ୍ସର ସିଇଓ ଶ୍ରୀନିବାସ ରାଓ ପୁଲିଜାଲା ଅଂଶଗ୍ରହଣ କରି‌ଥିଲେ। ଡିଟିଇ ଆଣ୍ଡ ଟି, କଟକର ବଲୱନ୍ତ ସିଂହ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର