୧୪୬୩ ଖାତାରେ ୧୦୦ କୋଟିରୁ ଅଧିକ ବକେୟା: ଏନ୍‌ପିଏ ବୋଝ

 

ନୂଆଦିଲ୍ଲୀ: ଦେଶରେ ଥିବା ୨୧ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପାଇଁ ଅନାଦାୟ ଋଣ (ଏନ୍‌ପିଏ) ସଙ୍କଟ କେତେ ଗମ୍ଭୀର ସ୍ଥିତିରେ ରହିଛି ତାହା ଅର୍ଥ ମନ୍ତ୍ରଣାଳୟର ଏକ ତଥ୍ୟରୁ ଜଣାପଡ଼ିଛି।
ଦେଶରେ ଏଭଳି ୧୪୬୩ଟି ଆକାଉଣ୍ଟ୍‌ ରହିଛି ଯେଉଁଥିରେ ୧୦୦ କୋଟିରୁ ଅଧିକ ଲେଖାଏଁ ଋଣ ଅନାଦାୟ ରହିଛି। କେବଳ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପାଖରେ ଏଭଳି ୨୬୫ଟି ଖାତା ରହିଛି। ଏହି ଖାତା ଗୁଡ଼ିକରେ ୭୭୫.୩୮ କୋଟି ଟଙ୍କାର ପରିଶୋଧ ହୋଇ ନଥିବା ରାଶି ରହିଛି। ୧୦୦ କୋଟି ଟଙ୍କାରୁ ଅଧିକ ବକେୟା ଥିବା ଖାତା ସଂଖ୍ୟା ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି)ରେ ୧୪୩ଟି ରହିଛି। ପିଏନ୍‌ବିରେ ଏହି ସବୁ ଖାତାରେ ୪୫୯ କୋଟି ୭୩ ଲକ୍ଷ ଟଙ୍କାର ବକେୟା ଋଣ ରାଶି ରହିଛି। ପିଏନ୍‌ବି ପଛକୁ କାନାରା ବ୍ୟାଙ୍କରେ ଅଧିକ ବଡ଼ ଧରଣ ବକେୟା ଥିବା ଋଣ ଖାତା (ଲୋନ୍‌ ଆକାଉଣ୍ଟ୍‌) ରହିଛି। ଏଭଳି ଖାତା ସଂଖ୍ୟା ୟୁନିଅନ୍‌ ବ୍ୟାଙ୍କରେ ୭୯ ଥିବା ବେଳେ ଓରିଏଣ୍ଟାଲ୍‌ ବ୍ୟାଙ୍କ ଅଫ୍‌ କମର୍ସରେ ୬୮ ଏବଂ ୟୁକୋ ବ୍ୟାଙ୍କରେ ୬୨ ରହିଛି। ୨୦୧୭ ସେପ୍ଟେମ୍ବର ସୁଦ୍ଧା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ମୋଟ ଏନ୍‌ପିଏ ପରିମାଣ ୭ ଲକ୍ଷ ୩୪ ହଜାର କୋଟି ଟଙ୍କାରେ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ, ପାଞ୍ଚ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ବକେୟା ଥିବା ୧୨ଟି ଖାତା ବିରୋଧରେ ଇନ୍‌ସଲ୍‌ଭେନ୍‌ସି (ଦେବାଳିଆପଣ) ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦେଶ ଦେଇଛି। ଏନ୍‌ପିଏ ସଙ୍କଟ ଏତେ ଜଟିଳ ହୋଇପଡ଼ିଛି ଯେ ତାହା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଋଣ ପ୍ରଦାନ କରିବା କ୍ଷମତା ହ୍ରାସ କରିଛି। ବ୍ୟାଙ୍କଗୁଡ଼ିକ ଋଣ ଦେବାକୁ ଚାହୁଁଥିଲେ ମଧ୍ୟ ତାଙ୍କ ପାଖରେ ପାଣ୍ଠି ନାହିଁ। ଏନ୍‌ପିଏ ସମସ୍ୟାକୁ ଦୂର କରି ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସରକାର ପ୍ରୟାସ କରୁଛନ୍ତି। ବ୍ୟାଙ୍କଗୁଡ଼ିକୁ ୨ ଲକ୍ଷ ୧୧ ହଜାର କୋଟି ଟଙ୍କାର ପାଣ୍ଠି ସହାୟତା ପ୍ରଦାନ କରିବାକୁ ସରକାର ଗତବର୍ଷ ଘୋଷଣା କରିଛନ୍ତି । ସେଥି ମଧ୍ୟରୁ ୮୦ ହଜାର କୋଟି ଟଙ୍କା ମାର୍ଚ ସୁଦ୍ଧା ବ୍ୟାଙ୍କଗୁଡ଼ିକୁ ପ୍ରଦାନ କରିବା ପାଇଁ ସରକାର ସଂସଦର ଅନୁମତି ହାସଲ କରିଛନ୍ତି।

ବ୍ୟାଙ୍କ ପାଇଁ ପରୀକ୍ଷାର ସମୟ: ଜେଟ୍‌ଲି
ନୂଆଦିଲ୍ଲୀ: ବ୍ୟାଙ୍କଗୁଡ଼ିକ ପାଇଁ ଏବେ ପରୀକ୍ଷାର ବେଳ। ବ୍ୟାଙ୍କଗୁଡ଼ିକୁ ସେମାନଙ୍କର ବିଶ୍ୱସନୀୟତାର ପ୍ରମାଣ ଦେବାକୁ ହେବ। ସେମାନଙ୍କୁ ବଞ୍ଚାଇ ରଖିବା ପାଇଁ ଟିକସଦାତାଙ୍କ ଟଙ୍କା ଦେବାକୁ ପଡୁଛି। ତେଣୁ ବ୍ୟାଙ୍କଗୁଡ଼ିକ ସମାଜକୁ ସେବା ପ୍ରଦାନ କରିବା ଦରକାର। ୟୁକୋ ବ୍ୟାଙ୍କର ପ୍ଲାଟିନମ୍‌ ଜୟନ୍ତୀ ସମାରୋହରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ଏବେ ଭାରତୀୟ ବ୍ୟାଙ୍କ ଶିଳ୍ପ ଅନେକ ଆହ୍ଵାନ ଦେଇ ଗତି କରୁଛି। ସେମାନଙ୍କ ପାଇଁ ଏହା ପରୀକ୍ଷାର ବେଳ। ସରକାର ନିଜ ଆଡୁ ଯାହା ସମ୍ଭବ ତାହା କରୁଛନ୍ତି। ସଂସଦ ମଧ୍ୟ ସରକାରଙ୍କୁ ଏ ଦିଗରେ ସହାୟତା ଦେଉଛି। ବ୍ୟାଙ୍କ ପ୍ରତି ବିଶ୍ୱାସ ଫେରାଇବା ଆଣିବା ପାଇଁ ଉଭୟ ବ୍ୟାଙ୍କ କର୍ତୃପକ୍ଷ ଏବଂ କର୍ମଚାରୀମାନେ କାମ କରିବା ଦରକାର ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର