ପଞ୍ଚଦଶ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳ ବଢ଼ିଲା

କ୍ୟା‌ବିନେଟ୍ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପଞ୍ଚଦଶ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳକୁ ଆସନ୍ତା ନଭେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ବିଶେଷ କରି ପ୍ରତିରକ୍ଷା ଓ ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ସୁପାରିସକୁ ବ୍ୟାପକ କରିବା ପାଇଁ କମିସନଙ୍କୁ ସୁଯୋଗ ଦେବା ନିମନ୍ତେ ଏହି ମହଲତ ବୃଦ୍ଧି କରାଯାଇଛି। କମିସନଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ଆଜି କ୍ୟାବିନେଟ୍‌ କମିଟିରେ ଅନୁମୋଦନ ପ୍ରଦାନ କରାଯାଇଛି। ଏନ୍‌ କେ ସିଂହଙ୍କ ନେତୃତ୍ବରେ ୨୦୧୭ ନଭେମ୍ବର ୨୭ରେ ପଞ୍ଚଦଶ ଅର୍ଥ ଆୟୋଗ ଗଠନ କରାଯାଇଥିଲା। ୨୦୨୦ ଏପ୍ରିଲ୍ ୧ ପରଠାରୁ ପରବର୍ତ୍ତୀ ବର୍ଷ ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟ‌ରେ ପାଣ୍ଠି ଭାଗବଣ୍ଟାର ଫର୍ମୁଲା ପ୍ରସ୍ତୁତ କରିବା ଦାୟିତ୍ବ କମିସନଙ୍କୁ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଅକ୍ଟୋବରରେ କମିସନ ତାଙ୍କ ରିପୋର୍ଟ ପ୍ରଦାନ କରିପାରନ୍ତି। କମିସନଙ୍କ ଟର୍ମ ଅଫ୍ ରେଫରେନ୍ସରେ ହୋଇଥିବା ସଂଶୋଧନକୁ ମଧ୍ୟ ଆଜିର ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର