ପ୍ରଥମ ୩ ଦିନରେ ୧୭ ଲକ୍ଷ ଇ-ୱେ ବିଲ୍‌ କଟାଯାଇଛି

ନୂଆଦିଲ୍ଲୀ: ଏପ୍ରିଲ ପହିଲାରୁ ରାଜ୍ୟ ରାଜ୍ୟ ମଧ୍ୟରେ ଇ-ୱେ ବିଲ୍‌ ବ୍ୟବସ୍ଥା ଆରମ୍ଭ ହୋଇଛି । ଆରମ୍ଭରୁ ହିଁ ଏହି ବ୍ୟବସ୍ଥାକୁ ସାରା ଦେଶରେ ସଫଳତା ମିଳିବା ଭଳି ଲାଗୁଛି । ପ୍ରଥମ ୩ ଦିନରେ ପ୍ରାୟ ୧୭ ଲକ୍ଷ ଇ-ୱେ ବିଲ୍‌ କଟାଯାଇଥିବା ସରକାରୀ ସୁତ୍ରରୁ ଜଣାପଡିଛି । ପ୍ରଥମ ଦିନ ଅର୍ଥାତ୍‌ ଏପ୍ରିଲ ୧ରେ ମାତ୍ର ୨.୫୯ ଲକ୍ଷ ଇ-େଓ୍ଵବିଲ୍‌ କଟାଯାଇଥିବାବେଳେ ୨ ତାରିଖରେ ୬.୫ ଲକ୍ଷ ଓ ୩ ତାରିଖରେ ୮.୧୫ ଲକ୍ଷ ବିଲ୍‌ କଟାଯାଇଛି । ଏହି ଟ୍ରେଣ୍ଡକୁ ଦେଖିଲେ ଜଣାପଡୁଛି ଯେ ଆଜି ଅର୍ଥାତ ୪ ତାରିଖରେ ଏହି ସଂଖ୍ୟା ୯ ଲକ୍ଷରେ ପହଞ୍ଚିବ । ଗୁଜୁରାଟରେ ସର୍ବାଧିକ ୩.୬ ଲକ୍ଷ ବିଲ୍‌ କଟାଯାଇଥିବାବେଳେ କର୍ଣ୍ଣାଟକରେ ୨.୬୫ ଲକ୍ଷ ବିଲ୍‌ କଟାଯାଇଛି । କର୍ଣ୍ଣାଟକରେ ମଧ୍ୟ ରାଜ୍ୟମଧ୍ୟରେ ଇ-ୱେ ବିଲ ବ୍ୟବସ୍ଥା ଲାଗୁ କରାଯାଇଛି । ସୂଚନାଯୋଗ୍ୟ ଯେ ଜିଏସଟି ଆଇନ ଅନୁସାରେ ସଡ଼କ ପଥରେ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ମାଲ୍‌ ପରିବହନ କଲେ ଇଲେକଟ୍ରୋନିକ୍‌ େଓ୍ଵ ବିଲ୍‌ ବା ଇ-ୱେ ବିଲ୍‌ ଆବଶ୍ୟକ ପଡିଥାଏ । ତେବେ ଯଦି ମାଲ୍‌ ପରିବହନ ୧୦ କିଲୋମିଟରରୁ କମ ଦୂରତାରେ ହୋଇଥାଏ, ଇ-ୱେ ବିଲ ଆବଶ୍ୟକ ପଡିବ ନାହିଁ । ଜିଏସଟି ନେଟଓ୍ଵାର୍କ ପୋର୍ଟାଲରେ ଆବଶ୍ୟକ ବ୍ୟବସାୟିକ ତଥ୍ୟ ( ମାଲ କ୍ରୟ ଓ ପରିବହନ ବାବଦରେ)ଦାଖଲ କରି ଇ-େଓ୍ଵ ବିଲ୍‌ ବାହାର କରିହେବ । ଏହା ଦ୍ୱାରା ଜିଏସଟି ଠକେଇ ରୋକି ହେବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର