ନୂଆଦିଲ୍ଲୀ,: ଇଂରେଜ ଶାସନ ଅମଳରେ ୧୮୬୦ ମସିହାରେ ଭାରତର ପ୍ରଥମ ବଜେଟ୍ ପ୍ରସ୍ତୁତ ହୋଇଥିଲା। ଭାଇସ୍ରାଏ ଲର୍ଡ କ୍ୟାନିଙ୍ଗ୍ଙ୍କ ବିତ୍ତ ସଦସ୍ୟ ଭାବେ କାମ କରୁଥିବା ଜେମସ୍ ୱିଲ୍ସନ୍ ଏହାକୁ ପ୍ରସ୍ତୁତ କରିଥିଲେ। ସେ ହିଁ ଭାରତରେ ପ୍ରଥମେ ଆୟକର ବ୍ୟବସ୍ଥା ପ୍ରଚଳନ କରିଥିଲେ। ଏହି ଟିକସକୁ ସେତେବେଳେ ଲୋକମାନେ ପ୍ରବଳ ବିରୋଧ କରିଥିଲେ।
୧୮୫୭ର ସିପାହୀ ବିଦ୍ରୋହ ପରେ ଇଂରେଜ ଶାସକଙ୍କ ରାଜସ୍ବ ପରିମାଣ ବହୁତ କମିଯାଇଥିଲା। ଜମିରୁ ମିଳୁଥିବା ରାଜସ୍ବ ଆଶାନୁରୂପ ନଥିଲା। ସିପାହୀ ବିଦ୍ରୋହ ଯୋଗୁ ପ୍ରତିରକ୍ଷା ଖର୍ଚକୁ ମଧ୍ୟ ଇଂରେଜ ଶାସକ ବଢ଼ାଇଦେଇଥିଲେ। ଏଭଳି ଏକ ପରିସ୍ଥିତିରେ କିଭଳି ରାଜସ୍ବ ପରିମାଣ ବଢ଼ାଇ ହେବ ସେହି ଚିନ୍ତାରେ ଥିଲେ ବ୍ରିଟିସ୍ ସରକାର। ସେଭଳି ଏକ ସମୟରେ ୱିଲ୍ସନ୍ ଆୟକର ଲାଗୁ କରିବା ପ୍ରସ୍ତାବ ଦେଇଥିଲେ। ୧୮୫୯ରେ କୋଲକାତାରେ ପାଦ ଦେବା ପରେ ସେଠାକାର କାରବାର ପରିବେଶକୁ ନେଇ ସେ ପ୍ରଭାବିତ ହୋଇଥିଲେ। ରାସ୍ତା ପାର୍ଶ୍ବରେ ଥିବା ଦୋକାନୀମାନଙ୍କ ସେ କଥାବାର୍ତା ହୋଇ ସେମାନେ ବିକ୍ରି କରୁଥିବା ସାମଗ୍ରୀ ଓ ସେଗୁଡ଼ିକର ମୂଲ୍ୟର ତାଲିକା ପ୍ରସ୍ତୁତ କରିଥିଲେ। ଆୟକର ଲାଗୁ କରିବା ବେଳେ ୱିଲ୍ସନ୍ ଯୁକ୍ତି ବାଢ଼ିଥିଲେ ଯେ, କାରବାର କରିବା ପାଇଁ ଭାରତୀୟମାନଙ୍କୁ ଇଂରେଜମାନେ ଏକ ସୁରକ୍ଷିତ ଏବଂ ନିରାପଦ ପରିବେଶ ପ୍ରଦାନ କରିଛନ୍ତି। ତେଣୁ ଏହାର ପ୍ରତିବଦଳରେ ଭାରତୀୟଙ୍କୁ ଆୟକର ଦେବାକୁ ପଡ଼ିବ। ଏହି ଟିକସକୁ ବ୍ୟବସାୟୀ ଓ ଜମିଦାରମାନେ ପ୍ରବଳ ବିରୋଧ କରିଥିଲେ। ଅବଶ୍ୟ ପରବର୍ତି ସମୟରେ ଟିକସ କମ କରିବାକୁ ଇଂରେଜ ସରକାର ବାଧ୍ୟ ହୋଇଥିଲେ। ଆୟକରକୁ ନେଇ ସେହି ସମୟରେ କୋଲକାତାର ଜଣେ ସ୍କୁଲ ଛାତ୍ର ବିଜୟ ନାଥ ରାୟ ଏକ କବିତା ଲେଖିଥିଲେ। ଇଂରାଜି ଶିକ୍ଷା ଜରିଆରେ ଇଂରେଜମାନେ ଭାରତୀୟଙ୍କ ମନକୁ ନିୟନ୍ତ୍ରଣ କରିଥିବା କଥା ସେ ନିଜ କବିତାରେ ଲେଖିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବଜେଟ୍ ଛପା କାମ ଆରମ୍ଭ
ନୂଆଦିଲ୍ଲୀ: ପାରମ୍ପରିକ ହାଲ୍ୱା ପ୍ରସ୍ତୁତି ସହିତ ଆଜି ଠାରୁ ୨୦୧୯-୨୦ର ବଜେଟ୍ ଦସ୍ତାବିଜ ଛପା କାମ ଆରମ୍ଭ ହୋଇଛି। ଚିକିତ୍ସା ପାଇଁ ଆମେରିକାରେ ଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲିଙ୍କ ଅନୁପସ୍ଥିତିରେ ହାଲ୍ୱା କାର୍ଯ୍ୟକ୍ରମ ଶେଷ ହୋଇଛି। ଅବଶ୍ୟ, ଫେବ୍ରୁଆରି ୧ରେ ପୂର୍ବରୁ ଜେଟ୍ଲି ଭାରତ ଫେରିଆସିବେ ଓ ସେ ହିଁ ବଜେଟ୍ ଉପସ୍ଥାପନ କରିବେ ବୋଲି କୁହାଯାଉଛି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳା ଏବଂ ପି ରାଧାକ୍ରିଷ୍ଣନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହାଲ୍ୱା କାର୍ଯ୍ୟକ୍ରମରେ ଏକ ବଡ଼ କଡ଼େଇରେ ହାଲ୍ୱା ପ୍ରସ୍ତୁ୍ତ କରାଯାଏ। ସେହି ହାଲ୍ୱାକୁ ଅର୍ଥ ମନ୍ତ୍ରଣାଳୟରେ କାମ କରୁଥିବା ସବୁ କର୍ମଚାରୀଙ୍କ ମଧ୍ୟ ବଣ୍ଟାଯାଏ। ବଜେଟ୍ ଛପାଇବା କାମରେ ଯେଉଁ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି, ସେମାନେ ଆଜି ଠାରୁ ଅର୍ଥ ମନ୍ତ୍ରଣାଳୟ ବାହାରକୁ ଯାଇପାରିବେ ନାହିଁ। ବଜେଟ୍ ଉପସ୍ଥାପନ ନହେବା ପର୍ଯ୍ୟନ୍ତ ପରିବାରକୁ ଯୋଗାଯୋଗ କରିପାରିବେ ନାହିଁ। ନିଜ ଘର ଲୋକଙ୍କ ସହ ଫୋନ୍ରେ ମଧ୍ୟ କଥା ହୋଇପାରିବେନି। ଇ-ମେଲ୍ ପଠାଇପାରିବେନି। ଅର୍ଥ ମନ୍ତ୍ରଣାଳୟ ବରିଷ୍ଠ ଅଧିକାରୀମାନେ ଘରକୁ ଯାଇପାରିବେ।