ଏଟିଏମ୍‌ରେ ମିଳିବ ୨୦୦ ଟଙ୍କିଆ

ନିର୍ଦେଶ ଦେଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ବହୁ ଦିନ ହେଲା ନୂଆ ୨୦୦ ଟଙ୍କିଆ ନୋଟ୍‌ ଛାପିଥିଲେ ପର୍ଯ୍ୟାପ୍ତ ସଂଖ୍ୟାରେ ଏହି ନୋଟ୍‌ ଲୋକଙ୍କ ନିକଟରେ ପହଞ୍ଚି ପାରିନାହିଁ। ଲୋକଙ୍କ ନିକଟରେ ଏହି ନୋଟ୍‌କୁ ପହଞ୍ଚାଇବା ଲାଗି ଏଟିଏମ୍‌ଗୁଡ଼ିକରେ ଏହି ନୋଟ୍‌କୁ ପର୍ଯ୍ୟାପ୍ତ ମାତ୍ରାରେ ଭର୍ତି କରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଛୋଟ ମୂଲ୍ୟର ନୋଟ୍‌ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ରିଜର୍ଭ ବ୍ୟାଙ୍କ ୨୦୦ ଟଙ୍କିଆ ନୋଟ୍‌ ଛାପିଥିଲା। କିନ୍ତୁ ଏହି ଉଦ୍ଦେଶ୍ୟ ସାଧିତ ହୋଇପାରି ନାହିଁ। ତେଣୁ ଏଟିଏମ୍‌ଗୁଡ଼ିକୁ ରିକାଲିବ୍ରେଟ୍‌ କରି ୨୦୦ ଟଙ୍କିଆ ଉପଲବ୍ଧ କରାଇବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ନିର୍ଦେଶ ଦେଇଛି।

ଏହି ବିଷୟ ସମ୍ପର୍କରେ ଅଗବତ ଥିବା ବ୍ୟାଙ୍କିଂ କ୍ଷେତ୍ରର ଦୁଇ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ରିଜର୍ଭ ବ୍ୟାଙ୍କର ନିର୍ଦେଶ ପାଳନ କରିବାକୁ ହେଲେ ବ୍ୟାଙ୍କ ଗୁଡ଼ିକୁ ଏଟିଏମ୍‌ ରିକାଲିବ୍ରେସନ ବାବଦରେ ୧୧୦ କୋଟିରୁ ଅଧିକ ଅର୍ଥ ବ୍ୟୟ କରିବାକୁ ହେବ। ଛୋଟ ମୂଲ୍ୟର ନୋଟ୍‌ ଛାପିବା ପାଇଁ ରିଜର୍ଭ ବ୍ୟାଙ୍କ ଗତବର୍ଷ ଜୁଲାଇରୁ ୨୦୦୦ ଟଙ୍କିଆ ନୋଟ୍‌ ଛାପିବା ବନ୍ଦ କରିଦେଇଛି। ଗତବର୍ଷ ସେପ୍ଟେମ୍ବରରୁ ବ୍ୟାଙ୍କ ଶାଖା ଗୁଡ଼ିକରେ ୨୦୦ ଟଙ୍କିଆ ନୋଟ୍‌ ଉପଲବ୍ଧ ହେଉଥିଲେ ମଧ୍ୟ ଏଟିଏମ୍‌ରେ ଏପର୍ଯ୍ୟନ୍ତ ଏହା ମିଳିନାହିଁ। ଏଟିଏମ୍‌ର ଟ୍ରେ ଗୁଡ଼ିକୁ ୨୦୦ ଟଙ୍କିଆ ନୋଟ୍‌ର ଆକାର ଅନୁଯାୟୀ ଠିକ୍‌ କରାଯାଇ ନଥିବାରୁ ଏହି ସମସ୍ୟା ଦେଖାଦେଇଛି।

ଏଟିଏମ୍‌ ଗୁଡ଼ିକରୁ ଯେଭଳି ଯଥା ଶୀଘ୍ର ୨୦୦ ଟଙ୍କିଆ ନୋଟ୍‌ ମିଳିବ ସେ ଦିଗରେ କାର୍ଯ୍ୟ କରିବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ଏବଂ ଏଟିଏମ୍‌ ନିର୍ମାତାଙ୍କୁ ନିର୍ଦେଶ ଦିଆଯାଇଛି। ନିଜ ନାମ ଗୋପନ ରଖି ବ୍ୟାଙ୍କର ଜଣେ ବରିଷ୍ଠ ବ୍ୟାଙ୍କ ଅଧିକାରୀ କହିଛନ୍ତି, ୨୦୦୦ ଟଙ୍କିଆ ନୋଟ୍‌ ପରିବର୍ତେ ଆମେ ଛୋଟ ମୂଲ୍ୟର ନୋଟ୍‌ ଅଧିକ ଆବଶ୍ୟକ କରୁଛୁ। ସେ ଦୃଷ୍ଟିରୁ ଏହା ଏକ ଭଲ ନିର୍ଦେଶ। ତେବେ ଏହି ନିର୍ଦେଶକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ପାଇଁ ୫-୬ ମାସ ସମୟ ଲାଗିଯିବ ବୋଲି ଅଧିକାରୀ ଜଣକ କହିଛନ୍ତି। ତେବେ ଏହି ବିଷୟ ଉପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। କଳଟଙ୍କାକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ନଭେମ୍ବର ୮ ତାରିଖରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିଥିଲେ। କିନ୍ତୁ ଏହା ସ୍ଥାନରେ ୨୦୦୦ ଟଙ୍କିଆ ନୋଟ୍‌ ଆଣିବା ଯୋଗୁଁ କଳାଟଙ୍କାକୁ ରୋକିବାର ମୂଳ ଉଦ୍ଦେଶ୍ୟ ସାଧିତ ହୋଇ ପାରି ନାହିଁ ବୋଲି କୁହାଯାଉଛି। ଏ ନେଇ ବିଭିନ୍ନ ମହଲରୁ ସରକାରଙ୍କୁ ସମାଲୋଚନା କରାଯାଉଛି।

୬ ମାସ ଲାଗିବ, ୧୧୦ କୋଟି ବ୍ୟୟ ହେବ
ଦେଶରେ ଏବେ ପ୍ରାୟ ୨.୨ ଲକ୍ଷ ଏଟିଏମ୍‌ ରହିଛି। ଏଟିଏମ୍‌ରେ ୨୦୦ ଟଙ୍କିଆ ନୋଟ୍‌ ଉପଲବ୍ଧ କରାଇବା ପାଇଁ ହେଲେ ସେଗୁଡ଼ିକୁ ରିକାଲିବ୍ରେଟ୍‌ କରିବାକୁ ହେବ। ଏଟିଏମ୍‌ ପିଛା ପ୍ରାୟ ୫ ହଜାର ଟଙ୍କା ଖର୍ଚ କରିବାକୁ ପଡ଼ିବ। ଫଳରେ ଏ ବାବଦରେ ବ୍ୟାଙ୍କ ଗୁଡ଼ିକୁ ମୋଟ ୧୧୦ କୋଟି ଟଙ୍କା ଖର୍ଚ ହେବ ବୋଲି ଆକଳନ କରାଯାଉଛି।

ଏଟିଏମ୍‌ରୁ ଟଙ୍କା ଉଠାଣ ପରିମାଣ କମିବ
ଏଟିଏମ୍‌ରେ ୨୦୦ ଟଙ୍କିଆ ନୋଟ୍‌ ଉପଲବ୍ଧ କରାଯିବା ପରେ ଏଟିଏମ୍‌ରୁ ଟଙ୍କା ଉଠାଣ ପରିମାଣ ହ୍ରାସ ଘଟିବ। ରିଜର୍ଭ ବ୍ୟାଙ୍କର ଏହା ଅନ୍ୟତମ ଉଦ୍ଦେଶ୍ୟ ହୋଇଥାଇ ପାରେ ବୋଲି କୁହାଯାଇ ପାରିବ। ଏଟିଏମ୍‌ରେ ୨୦୦୦ ଟଙ୍କିଆ ନୋଟ୍‌ ମିଳିବା ଯୋଗୁଁ ହାରାହାରି ଟଙ୍କା ଉଠାଣ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ବିମୁଦ୍ରାକରଣ ପୂର୍ବରୁ ଅର୍ଥାତ ୨୦୧୬ ସେପ୍ଟେମ୍ବରରେ ଏଟିଏମ୍‌ରୁ ହାରାହାରି ୨.୨୨ ଲକ୍ଷ କୋଟି ଟଙ୍କା ଉଠାଯାଉଥିବାବେଳେ ୨୦୧୭ ସେପ୍ଟେମ୍ବରରେ ଏହି ରାଶି ୨.୪୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ଘଟିଛି।

ସମ୍ବନ୍ଧିତ ଖବର