୨୦୨୨ର ନୂତନ ଭାରତ ପାଇଁ ନକ୍ସା

ନୂଆଦିଲ୍ଲୀ: ୨୦୨୨ ସୁଦ୍ଧା ନୂତନ ଭାରତ ଗଠନର ପରିକଳ୍ପନା ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିତି ଆୟୋଗର ପରିଚାଳନା ପରିଷଦ ବୈଠକରେ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ନିତି ଆୟୋଗ ସିଇଓ ଅମିତାଭ କାନ୍ତ କହିଛନ୍ତି ଯେ ‘ନୂତନ ଭାରତ ୨୦୨୨’ ଯୋଜନା ପ୍ରସ୍ତୁତ ହୋଇଯାଇଛି। ଖୁବ୍‌ଶୀଘ୍ର ତାହା ରାଜ୍ୟମାନଙ୍କ ନିକଟକୁ ପଠାଯିବ। ସେମାନଙ୍କ ମତାମତ ମିଳିବା ପରେ ମାସେ କିମ୍ବା ଦେଢ଼ ମାସ ଭିତରେ ଚୂଡ଼ାନ୍ତ ଯୋଜନା ପ୍ରସ୍ତୁତ ହୋଇଯିବ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ଏହି ବୈଠକରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷି କ୍ଷେତ୍ରରେ କର୍ପୋରେଟ୍‌ ନିବେଶ ଅତ୍ୟନ୍ତ ନିମ୍ନ ସ୍ତରରେ ରହିଛି। ଶୀତଳଭଣ୍ଡାର, ପରିବହନ, ମୂଲ୍ୟ ଯୋଗାଣ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ କର୍ପୋରେଟ ନିବେଶ ବଢ଼ାଇବା ପାଇଁ ରାଜ୍ୟଗୁଡ଼ିକ ସ୍ୱତନ୍ତ୍ର ନୀତି ପ୍ରଣୟନ କରିବା ଦରକାର ବୋଲି ସେ କହିଛନ୍ତି। କଳ ସଂରକ୍ଷଣ, କୃଷି ଓ ମନରେଗା ଉପରେ ରାଜ୍ୟଗୁଡ଼ିକ ଯେଉଁ ପ୍ରସ୍ତାବ ଦେଇଥିଲେ ତାହାକୁ ସେ ପ୍ରଶଂସା କରିଛନ୍ତି।

ନିତି ଆୟୋଗ ବୈଠକ
• କୃଷିରେ କର୍ପୋରେଟ୍‌ ନିବେଶ ନଗଣ୍ୟ
• ୨୦% ଅଭିଳାଷୀ ବ୍ଲକ୍‌ ଚିହ୍ନଟ କର

ଜାତୀୟ ସ୍ତରର ୧୧୫ ଅଭିଳାଷୀ ଜିଲ୍ଲା ଭଳି ରାଜ୍ୟଗୁଡ଼ିକ ନିଜର ୨୦% ବ୍ଲକ୍‌କୁ ଅଭିଳାଷୀ ବ୍ଲକ୍‌ ଭାବେ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ରାଜ୍ୟଗୁଡ଼ିକ ପରାମର୍ଶ ଦେଇଛନ୍ତି। ପରିବେଶର ସୁରକ୍ଷା ପାଇଁ ସବୁ ସରକାରୀ କୋଠା, କାର୍ଯ୍ୟାଳୟ ଓ ଷ୍ଟ୍ରିଟ୍‌ ଲାଇଟ୍‌ରେ ଏଲ୍‌ଇଡି ବଲ୍‌ବ ଲଗାଇବାକୁ ସେ କହିଛନ୍ତି। ସୌଭାଗ୍ୟ ଯୋଜନାରେ ୪ କୋଟି ପରିବାରକୁ ବିଦ୍ୟୁତ ସଂଯୋଗ ପ୍ରଦାନ, ନିମ ପ୍ରଲେପିତ ୟୁରିଆ, ଉଜ୍ୱଳା ଯୋଜନା, ଜନଧନ, ରୁପେ ଡେବିଟ୍‌ କାର୍ଡ, ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ଯୋଗାଇ ଦେବା ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ଉପରେ ସରକାର କରୁଥିବା କାର୍ଯ୍ୟ ବିଷୟରେ ସେ ଆଲୋଚନା କରିଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନରେ ଚାରି ବର୍ଷରେ ୭ କୋଟି ୭୦ ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି ବୋଲି ସେ କହିଛନ୍ତି। ଦେଶର ଅର୍ଥନୀତି ବିଷୟରେ ସେ କହିଛନ୍ତି ଯେ, ଭାରତ ୫ ଟ୍ରିଲିଅନ୍‌ ଡଲାର ଅର୍ଥନୀତିର ଦେଶ ହେବାକୁ ଯାଉଛି ବୋଲି ସାରା ବିଶ୍ୱ ଆଶା ପ୍ରକଟ କରିଛି। ୨୦୧୭-୧୮ ଆର୍ଥିକ ବର୍ଷର ଶେଷ ତିନି ମାସରେ ଆମର ଅଭିବୃଦ୍ଧି ହାର ୭.୭% ହୋଇଛି। ଏହାକୁ କିଭଳି ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ପହଞ୍ଚାଇ ହେବ ତାହା ହେଉଛି ସବୁଠୁ ବଡ଼ ଆହ୍ଵାନ। ବ୍ୟାବସାୟିକ ସୁଗମତା ପାଇଁ ରାଜ୍ୟମାନଙ୍କୁ ଦେଇ ନିତି ଆୟୋଗ ବୈଠକ ଆୟୋଜନ କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥି ସହିତ ପଞ୍ଚଦଶ ଅର୍ଥ ଆୟୋଗଙ୍କୁ ନୂତନ ଚିନ୍ତାଧାରା ବିଷୟରେ ଅବଗତ କରିବାକୁ ସେ ରାଜ୍ୟମାନଙ୍କୁ କହିଛନ୍ତି। ପଞ୍ଚଦଶ ଅର୍ଥ ଆୟୋଗଙ୍କ ଟର୍ମ ଅଫ୍‌ ରେଫରେନ୍ସ (ଟିଓଆର୍‌)କୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ବିରୋଧ କରୁଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆୟୁଷ୍ମାନ ଭାରତ ଅଧୀନରେ ଦେଶରେ ୧.୫ ଲକ୍ଷ ସ୍ୱାସ୍ଥ୍ୟ ଓ ନିରାମୟ କେନ୍ଦ୍ର ଖୋଲାଯାଇଛି। ୧୦ କୋଟି ପରିବାରକୁ ୫ ଲକ୍ଷ ଟଙ୍କାର ବୀମା ସୁନିଶ୍ଚିତ କରାଯାଇଛି। ଜଳ ସଂରକ୍ଷଣ ଓ ଜଳ ପରିଚାଳନା ଦିଗରେ ଅଧିକ ପ୍ରୟାସ ହେବା ଦରକାର ବୋଲି ସେ କହିଛନ୍ତି। ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମଧ୍ୟ ସେ କହିଛନ୍ତି।

ସମ୍ବନ୍ଧିତ ଖବର