‘ରାତିରେ ନିଦ ହେଉନି’ : ରାସ୍ତାରେ ଜେଟ୍‌ର ୨୨ ହଜାର କର୍ମଚାରୀ

ମୁମ୍ବାଇ: ଜେଟ୍‌ରେ ତାଲା ପଡ଼ିବା ପରେ ଏହାର କର୍ମଚାରୀମାନେ ହତାଶ ହୋଇପଡ଼ିଛନ୍ତି। କଂପାନିରେ କାମ କରୁଥିବା ପାଖାପାଖି ୨୨ ହଜାର ଲୋକ ଏବେ ରାସ୍ତାରେ । ସେମାନଙ୍କ ଭବିଷ୍ୟତ ଅନିଶ୍ଚିତ ହୋଇପଡ଼ିଛି। କିଛି କର୍ମଚାରୀ କଂପାନି ଆରମ୍ଭ ହେବା ଦିନଠାରୁ କାମ କରୁଥିଲେ। ସେମାନେ କିଛି ମାସ ହେଲା ଦରମା ପାଇନଥିବାରୁ ବହୁ କଷ୍ଟରେ ଜୀବନଯାପନ କରୁଛନ୍ତି। ସ୍କୁଲରେ ପିଲାଙ୍କ ଫି’ ଦେଇପାରୁନାହାନ୍ତି। ଋଣ କିସ୍ତି ଶୁଝିପାରୁନାହାନ୍ତି। କିଛି କର୍ମଚାରୀ କହିଛନ୍ତି ଯେ ସେମାନଙ୍କୁ ଚାରି ମାସ ହେଲାଣି ଦରମା ମିଳିନାହିଁ। ସେମାନଙ୍କ ସିନେମା ଦେଖା ଓ ବାହାରେ ଖାଇବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫ୍ଲାଟ୍‌ର ସୋସାଇଟି ଫି’ ଦେଇନପାରିବାରୁ ଅନେକ କର୍ମଚାରୀ ମାନସିକ ଯନ୍ତ୍ରଣା ଦେଇ ଗତି କରୁଥିବା କହିଛନ୍ତି। ଜେଟ୍‌ ହଜାର ହଜାର କର୍ମଚାରୀ ନୂଆଦିଲ୍ଲୀ ଓ ମୁମ୍ବାଇରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ‘ଆମ ପରିବାରକୁ ବଞ୍ଚାଅ’ ଲେଖା ଥିବା ପ୍ଲାକାର୍ଡ ଧରି ‌ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜଣେ କର୍ମଚାରୀ କହିଛନ୍ତି ଯେ, ମୋତେ ରାତିରେ ନିଦ ହେଉନି। ଲାଗୁଛି ଯେଭଳି ମୋ ହାତ ବନ୍ଧା ହୋଇଛି। ଅନ୍ୟ ଜଣେ କର୍ମଚାରୀ କହିଛନ୍ତି ଯେ, ମୋ ବୟସ ୫୦ ବର୍ଷରୁ ଅଧିକ ହୋଇଗଲାଣି। ଏବେ ମୋତେ କିଏ ଚାକିରି ଦେବ? ନିଜର ପରିସ୍ଥିତି ବିଷୟରେ କହିବା ବେଳେ କିଛି କର୍ମଚାରୀ କାନ୍ଦି ପକାଇଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ, କଂପାନି କତୃର୍ପକ୍ଷ କର୍ମଚାରୀଙ୍କୁ ଅନ୍ଧାରରେ ରଖିଥିଲେ। କଂପାନିର ସ୍ଥିତି ବିଷୟରେ ଆମକୁ କେବେବି ସ୍ପଷ୍ଟ ଚିତ୍ର ପ୍ରଦାନ କରାଯାଇନଥିଲା ବୋଲି କର୍ମଚାରୀ ସଂଘର ନେତା ଚୈତନ୍ୟ ମୟଙ୍କର କହିଛନ୍ତି। ଜେଟ୍ ପାଇଁ ପାଖାପାଖି ୧୩୦୦ ପାଇଲଟ୍‌ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ ୪୦୦ ପାଇଲଟ୍‌ ଚାକିରି ଛାଡ଼ି ଅନ୍ୟ କଂପାନିରେ ଯୋଗ ଦେଇଛନ୍ତି। ସେହିପରି ୬୦ ଜଣ ଇଞ୍ଜିନିୟର ମଧ୍ୟ ଚାକିରି ଛାଡ଼ି ଚାଲିଯାଇଛନ୍ତି।

ପୁନରୁଦ୍ଧାର ଯୋଜନା ମାଗିବ ଡିଜିସିଏ
ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟ ଦେଇ ଚାରି ମାସ ଗତି କରିବା ପରେ ଜେଟ୍‌ ଏୟାରୱେଜ୍‌ ବନ୍ଦ ହୋଇଯାଇଛି। କଂପାନିର ପୁନରୁଦ୍ଧାର ପାଇଁ କ’ଣ ଯୋଜନା ପ୍ରସ୍ତୁତ କରାଯାଉଛି ତାହା ଜାଣିବାକୁ ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏ ଆଗ୍ରହ ପ୍ରକାଶ କରିଛି। ଖୁବ୍‌ଶୀଘ୍ର ଏହା ଜେଟ୍‌କୁ ପୁନରୁଦ୍ଧାର ଯୋଜନା ଉପସ୍ଥାପନ କରିବାକୁ କହିବ। ବ୍ୟାଙ୍କଗୁଡ଼ିକ ଠାରୁ ପାଣ୍ଠି ଆଣିବାରେ ବିଫଳ ହେବା ପରେ ଗତକାଲି ଠାରୁ ଜେଟ୍‌ରେ ତାଲା ପଡ଼ିଛି। କଂପାନିକୁ ପୁଣି ଥରେ କିଭଳି ଚାଲୁ କରାଯାଇପାରିବ ସେ ନେଇ ଏହାର କତୃର୍ପକ୍ଷ କ’ଣ ଯୋଜନା ପ୍ରସ୍ତୁତ କରୁଛନ୍ତି ତାହା ଡିଜିସିଏ ଜାଣିବାକୁ ଚାହୁଛନ୍ତି। ନିୟାମକ ବ୍ୟବସ୍ଥା ଭିତରେ ଯାହା ସମ୍ଭବ ହୋଇପାରିବ ସେସବୁ ସହାୟତା ପ୍ରଦାନ କରିବାକୁ ମଧ୍ୟ ଡିଜିସିଏ ପ୍ରସ୍ତୁତ ଅଛି। ଜେଟ୍‌ ଉପରେ ୮୦୦୦ କୋଟି ଟଙ୍କାର ଋଣ ବୋଝ ରହିଛି। ଏବେ ଏହାର ମାଲିକାନା ବ୍ୟାଙ୍କଗୁଡ଼ିକ ପାଖରେ ଥିବା ବେଳେ କଂପାନିର ୭୫% ଅଂଶଧନ ବିକ୍ରି କରିବା ପାଇଁ ଗ୍ରାହକଙ୍କ ଠାରୁ ଆବେଦନ ଆହ୍ବାନ କରାଯାଇଛି। ଏତିହାଦ୍, ଟିପିଜି କ୍ୟାପିଟାଲ୍ ଭଳି ସଂସ୍ଥା ଜେଟ୍‌ ଅଂଶଧନ କିଣିବାକୁ ବିଡ୍‌ ଦାଖଲ କରିଛନ୍ତି। ଜେଟ୍‌ରେ ତାଲା ପଡ଼ିବା ଯୋଗୁ କଂପାନିର ଅଂଶଧନ ବିକ୍ରି ପ୍ରକ୍ରିୟା ବିଶେଷ ପ୍ରଭାବିତ ହେବ ନାହିଁ। ଗ୍ରାହକଙ୍କ ଠାରୁ ଉଚିତ ମୂଲ୍ୟ ମିଳିବ ବୋଲି ବ୍ୟାଙ୍କଗୁଡ଼ିକ ଭାବୁଛନ୍ତି। ଏକ ସମୟରେ ଜେଟ୍ ପାଖରେ ୧୨୩ଟି ବିମାନ ଥିଲା ଏବଂ ଏହାର ବିମାନଗୁଡ଼ିକ ଦିନକୁ ୬୦୦ ଥର ଯାତାୟାତ କରୁଥିଲା। ଏବେ କଂପାନି ପାଖରେ ଆଉ ମାତ୍ର ୭ଟି ବିମାନ ରହିଛି। ଗତକାଲି ଠାରୁ କଂପାନି ଏହାର ସମସ୍ତ ଜାତୀୟ ଓ ଆନ୍ତର୍ଜାତିକ ବିମାନର ଉଡ଼ାଣ ବନ୍ଦ କରିଦେଇଛି। ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ କିଙ୍ଗଫିସର ଏୟାରଲାଇନ୍ସ ଭଳି ଦଶାରୁ ଜେଟ୍‌କୁ ମୁକୁଳାଇବା ପାଇଁ ଏହାର ଶ୍ରମିକ ସଂଘ ଆଜି ‌କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛି। ୨୦୧୨ ଅକ୍ଟୋବରରେ କିଙ୍ଗଫିସର ଏୟାରଲାଇନ୍ସ ସାମୟିକ ସମୟ କଂପାନିରେ ତାଲା ପକାଇଥିଲା। କିନ୍ତୁ ସେହି ତାଲା ଆଉ ଖୋଲିନଥିଲା। ଯେଉଁଭଳି ଭାବେ ଜେଟ୍‌କୁ ବନ୍ଦ କରିଦିଆଗଲା ତାହା ପଛରେ ଥିବା ଉଦ୍ଦେଶ୍ୟ ଜାଣିବା ପାଇଁ ସିବିଆଇ ତଦନ୍ତ କରିବାକୁ ଜେଟ୍ ଏୟାରୱେଜ୍ ଅଫିସର୍ସ ଆଣ୍ଡ୍‌ ଷ୍ଟାଫ୍ ଆସୋସିଏସନ୍‌ର ସଭାପତି କିରଣ ପାୱାସକର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର