ଷ୍ଟକ୍‌ ଏକ୍ସଚେଞ୍ଜ୍‌ରୁ ବାଦ୍‌ ପଡ଼ିବେ ୨୨୨:ଜାଲ୍‌ କମ୍ପାନି ଉପରେ ଚଡ଼କ

ନୂଆଦିଲ୍ଲୀ: ଜାଲ୍‌ କମ୍ପାନିଙ୍କ ଉପରେ ପୁଣି ଚଡ଼କ ପଡ଼ିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଥିବା ୨୨୨ଟି କମ୍ପାନିର ସେୟାର କାରବାରକୁ ବୁଧବାରଠାରୁ ବନ୍ଦ କରାଯିବ। ଷ୍ଟକ୍‌ ଏକ୍ସଚେଞ୍ଜ ତାଲିକାରୁ ଏହି କମ୍ପାନି ଗୁଡ଼ିକ ବାଦ୍‌ ପଡ଼ିବେ। ବେଆଇନ ଅର୍ଥ କାରବାରରେ ଏହି କମ୍ପାନି ଗୁଡ଼ିକୁ ଢାଲ କରାଯାଉଥିବାର ଅଭିଯୋଗ ରହିଥିଲା। ପୂର୍ବରୁ ଗତ ୬ ମାସରୁ ଊର୍ଧ୍ୱ ସମୟ ହେଲା ଏହି କମ୍ପାନି ଗୁଡ଼ିକର ସେୟାର କାରବାରକୁ ଷ୍ଟକ ଏକ୍ସଚେଞ୍ଜରେ ସ୍ଥଗିତ ରଖାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ସରକାର ଗତ କିଛି ବର୍ଷ ହେଲା ଉଭୟ ଷ୍ଟକ ମାର୍କେଟରେ ତାଲିକାଭୁକ୍ତ ହୋଇଥିବା ଏବଂ ହୋଇ ନଥିବା ଜାଲ୍‌ କମ୍ପାନି ଗୁଡ଼ିକ ବିରୋଧରେ କ୍ରମାଗତ ଭାବେ କାର୍ଯ୍ୟାନୁଷ୍ଠାନ ନେଇ ଆସୁଛନ୍ତି। ଏହି କ୍ରମରେ ପ୍ରାୟ ୨ ଲକ୍ଷ କମ୍ପାନିର ପଞ୍ଜୀକରଣକୁ ସରକାର ପୂର୍ବରୁ ରଦ୍ଦ କରିସାରିଛନ୍ତି। ଦୀର୍ଘଦିନ ଧରି ଯେଉଁ କମ୍ପାନି ଗୁଡ଼ିକ ସେମାନଙ୍କ ବ୍ୟବସାୟିକ କାରବାର କରୁ ନଥିଲେ ସେହି କମ୍ପାନି ଗୁଡ଼ିକ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ତେବେ ଗତବର୍ଷ ଅଗଷ୍ଟରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ୩୩୧ଟି ସନ୍ଦିଗ୍ଧ କମ୍ପାନିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଷ୍ଟକ ଏକ୍ସଚେଞ୍ଜ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ଏ ନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିରେ କୁହାଯାଇଛି, ଦୀର୍ଘ ୬ ମାସରୁ ଊର୍ଧ୍ୱ ସମୟ ହେଲା ଯେଉଁ କମ୍ପାନି ଗୁଡ଼ିକର କାରବାରକୁ ବନ୍ଦ ରଖାଯାଇଥିଲା ସେଗୁଡ଼ିକୁ ଜୁଲାଇ ୪ ତାରିଖରୁ ଏକ୍ସଚେଞ୍ଜର ତାଲିକାରୁ ବାଦ୍‌ ଦିଆଯିବ। ଏଥିସହିତ ପୂର୍ବରୁ ଯେଉଁ ୬ଟି କମ୍ପାନିକୁ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ତାଲିକାରୁ ବାଧ୍ୟତାମୂଳକ ବାଦ୍‌ ଦିଆଯାଇଛି ସେଗୁଡ଼ିକ ମଧ୍ୟ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ତାଲିକାରୁ ବାଦ୍‌ ପଡ଼ିବେ। ବାଧ୍ୟତାମୂଳକ ବାଦ୍‌ ପଡ଼ିଥିବା କମ୍ପାନି, ସେମାନଙ୍କ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ, ପ୍ରତିଷ୍ଠାତା ଏବଂ ଗ୍ରୁପ୍‌ କମ୍ପାନି ଗୁଡ଼ିକ ମଧ୍ୟ ୧୦ ବର୍ଷ ପାଇଁ ସେୟାର କାରବାର କରି ନପାରିବା ନେଇ ନିୟମ ରହିଛି। ଉପରୋକ୍ତ ୨୧୬ କମ୍ପାନି ବ୍ୟତୀତ ଆଉ ୬ କମ୍ପାନି ମଧ୍ୟ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ପ୍ଲାଟଫର୍ମରୁ ଆସନ୍ତାକାଲିଠାରୁ ବାଦ ପଡ଼ିବେ। ଏହି କମ୍ପାନି ଗୁଡ଼ିକର ସେୟାର କାରବାର ମଧ୍ୟ ଗତ ୬ ମାସ ହେଲା ସ୍ଥଗିତ ରହିଛି। ଏଥିସହିତ ଏହି ୬ଟି କମ୍ପାନି ବିକ୍ରି ପ୍ରକ୍ରିୟା ଚାଲିଛି। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଗତ ମେ ମାସରେ ୨୦୦ରୁ ଅଧିକ କମ୍ପାନିକୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଏହାର ତାଲିକାରୁ ବାଦ୍‌ ଦେଇଥିଲା।

ସମ୍ବନ୍ଧିତ ଖବର