୨୯୮ଟି ଅପହଞ୍ଚ ସ୍ଥାନରେ ପହଞ୍ଚିବ ଷ୍ଟେଟ୍‌ ବ୍ୟାଙ୍କ

ଭୁବନେଶ୍ୱର: ବ୍ୟାଙ୍କିଙ୍ଗ୍‌ ସୁବିଧା ନଥିବା ରାଜ୍ୟର ୨୯୮ ଅଞ୍ଚଳର ଲୋକମାନେ ଖୁବ୍‌ଶୀଘ୍ର ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ସେବା ପାଇବେ। ସେପ୍ଟେମ୍ବର ସୁଦ୍ଧା ଏହି ସବୁ ସ୍ଥାନରେ ଷ୍ଟେଟ୍‌ ବ୍ୟାଙ୍କର ସେବା ଉପଲବ୍ଧ ହେବ। ଓଡ଼ିଶା ଜୀବିକା ମିସନ୍‌ (ଓଏଲ୍‌ଏମ୍‌) ସହଯୋଗରେ ଏସବୁ ଅଞ୍ଚଳର ଲୋକମାନଙ୍କୁ ଷ୍ଟେଟ୍‌ ବ୍ୟାଙ୍କ ନିଜର ସେବା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
ଏ ବିଷୟରେ ଅଧିକ ସୂଚନା ଦେଇ ଷ୍ଟେଟ୍‌ ବ୍ୟାଙ୍କ ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟର ସିଜିଏମ୍‌ ପ୍ରବୀଣା କାଲା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଏବିଷୟରେ ବିସ୍ତତ ଆଲୋଚନା ହୋଇଛି। ବ୍ୟାଙ୍କ ନଥିବା ଅଞ୍ଚଳଗୁଡ଼ିକରେ ବ୍ୟାଙ୍କ ସେବା ଯୋଗାଇ ଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ୨୯୮ଟି ଅପହଞ୍ଚ ଅଞ୍ଚଳ ଓ ବର୍ଷ ଶେଷ ସୁଦ୍ଧା ୪୫୦ଟି ଅଞ୍ଚଳରେ ଅଞ୍ଚଳରେ ଷ୍ଟେଟ୍‌ ବ୍ୟାଙ୍କ ନିଜର ସେବା ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି। ଶ୍ରୀମତୀ କାଲା କହିଲେ, ବ୍ୟବସାୟୀମାନଙ୍କ ପାଇଁ ଷ୍ଟେଟ୍‌ ବ୍ୟାଙ୍କ ଆସନ୍ତା ସପ୍ତାହରେ ଏକ ଉନ୍ନତ ପଏଣ୍ଟ୍‌ ଅଫ୍‌ ସେଲ୍‌ (ପିଓଏସ୍‌) ମେସିନ୍‌ ଆଣିବ। ସେଥିରେ ଅନେକ ସୁବିଧା ଉପଲବ୍ଧ ହେବ। ଓଡ଼ିଶାରେ ଷ୍ଟେଟ୍‌ ବ୍ୟାଙ୍କର ୯୨୮ଟି ଶାଖା, ୨୮୫୮ ଏଟିଏମ୍‌ ଓ ୩୮୮୪ ସିଏସ୍‌ପି ରହିଛି। ଗତବର୍ଷ ବ୍ୟାଙ୍କ ରାଜ୍ୟରେ ମୋଟ ୧,୧୨,୦୦୦ କୋଟି ଟଙ୍କାର କାରବାର କରିଥିଲା। ସେଥିରେ ଜମା ପରିମାଣ ୯୪ ହଜାର କୋଟି ଟଙ୍କା ଓ ଅଗ୍ରିମ ୨୨ ହଜାର କୋଟି ଟଙ୍କା ଥିଲା। ଚଳିତ ଆର୍ଥିକ ବର୍ଷରେ ଷ୍ଟେଟ୍‌ ବ୍ୟାଙ୍କ ଜମାରେ ୯.୮୭% ଓ ଅଗ୍ରିମରେ ୧୩.୭୭% ବୃଦ୍ଧି ହାସଲ ଲକ୍ଷ୍ୟ ରଖିଛି। ୨୦୧୯ ମାର୍ଚ ଶେଷ ସୁଦ୍ଧା ବ୍ୟାଙ୍କର ଜମା ପରିମାଣ ୧,୦୦,୮୮୫ କୋଟି ଟଙ୍କା ଓ ଅଗ୍ରିମ ୨୭,୬୪୦ କୋଟି ଟଙ୍କା ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ବ୍ୟାଙ୍କର ମହାପ୍ରବନ୍ଧକ(ନେଟ୍‌ଓ୍ଵର୍କ-୧) ଡି ଏସ୍‌ ମିଶ୍ର, ମହାପ୍ରବନ୍ଧକ ଏସ୍‌ ଠାକୋରେ, ଏଜିଏମ୍‌ ବି କେ ନାୟକ ଓ ପି କେ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର