ଦୀପାବଳିରେ ୩୦ ହଜାର କୋଟିର ବେପାର

ନୂଆଦିଲ୍ଲୀ: ବ୍ୟବସାୟୀଙ୍କ ପାଇଁ ଚଳିତ ବର୍ଷର ଦୀପାବଳି ଅନେକ ଖୁସି ଆଣିଦେଇଛି। ସେମାନେ ବିପୁଳ ପରିମାଣର କାରବାର କରିଛନ୍ତି। ଦୀପାବଳି ଅବସରରେ ବ୍ୟବସାୟୀମା‌ନେ ସାରା ଦେଶରେ ୩୦ ହଜାର କୋଟି ଟଙ୍କାର କାରବାର କରିଛନ୍ତି। ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ସିଏଆଇଟି କହିଛି ଯେ ୨୦୧୭ ତୁଳନାରେ ଚଳିତ ବର୍ଷ ବିକ୍ରି ୨୦% ବୃଦ୍ଧି ହୋଇଛି। ଗତବର୍ଷ ମୋଟ ବିକ୍ରି ୨୫ ହଜାର କୋଟି ଟଙ୍କା ଥିଲା। ଚଳିତ ବର୍ଷ ୩୦ ହଜାର କୋଟି ଟଙ୍କାର ବିକ୍ରି ହୋଇଛି ବୋଲି ସିଏଆଇଟିର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି। ସେ କହିଛନ୍ତି ଯେ, ବିଗତ ଚାରି ବର୍ଷ ହେଲାଣି ଦୀପାବଳି ଅବସରରେ ବିକ୍ରି କମ୍ ରହୁଥିଲା। କିନ୍ତୁ ଚଳିତ ବର୍ଷ ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। କେବଳ ଦିଲ୍ଲୀରେ ଦୀପାବଳି ଅବସରରେ ୫୦୦୦ କୋଟି ଟଙ୍କାର ବେପାର ହୋଇଛି ବୋଲି ସେ କହିଛନ୍ତି। ଦୀପାବଳିରେ ଇଲେକ୍ଟ୍ରିକ୍ ଓ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ, ଡେକୋରେଟିଭ୍ ଓ ଉପହାର ସାମଗ୍ରୀ, ଡ୍ରାଏ ଫୁଡ୍‌, ବିସ୍କୁଟ, ମିଠା ଓ ନମ୍‌କିନ୍, ରେଡିମେଡ୍ ଗାର୍ମେଣ୍ଟସ୍‌, ଚକୋଲେଟ୍‌ ବେପାରରେ ଜବରଦସ୍ତ ବୃଦ୍ଧି ହୋଇଛି। ସେହି ସମୟରେ କମ୍ପ୍ୟୁଟର ପେରିଫେରାଲସ୍‌, କମ୍ପ୍ୟୁଟର, ପେଣ୍ଟସ୍‌, ହାର୍ଡଓୟାର ଓ କିଚେନ୍ ଆପ୍ଲାଏନ୍‌ସେସ୍‌ ବିକ୍ରିରେ ମଧ୍ୟ ବୃଦ୍ଧି ଘଟିଛି। ଅନଲାଇନ୍ ସପିଙ୍ଗ୍‌ ଚାହିଦା ବଢ଼ିବା ପରେ ବ୍ୟବସାୟୀମାନଙ୍କ କାରବାର ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଖୁଚୁରା ଷ୍ଟୋର୍‌ଗୁଡ଼ିକରେ ବ୍ୟବସାୟ କମିଯାଇଥିଲା। ଏବେ କିନ୍ତୁ ସେହି ସ୍ଥିତିରେ ସୁଧାର ଦେଖିବାକୁ ମିଳିଛି। ଏବର୍ଷ ଭଲ କାରବାର ହୋଇଥିଲେ ମଧ୍ୟ ବ୍ୟବସାୟୀଙ୍କ ଇ-କମର୍ସ ଭୟ ଦୂର ହୋଇନାହିଁ। ଇ-କମର୍ସ ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣରେ ରଖିବା ପାଇଁ ଏକ ସ୍ବତନ୍ତ୍ର ନିୟାମକ ସଂସ୍ଥାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଇ-କମର୍ସ କାରବାର ପାଇଁ ଖୁବ୍‌ଶୀଘ୍ର ସ୍ବତନ୍ତ୍ର ନୀତି ଆସିବା ଦରକାର ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର