ତିନି ଓଡ଼ିଆ ହେଲେ ସରକାରୀ ବ୍ୟାଙ୍କ ସିଇଓ

ନୂଆଦିଲ୍ଲୀ: ତିନି ଜଣ ଓଡ଼ିଆଙ୍କୁ ତିନିଟି ସରକାରୀ ବ୍ୟାଙ୍କର ସିଇଓ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ସେମାନେ ହେଉଛନ୍ତି ପଲ୍ଲବ ମହାପାତ୍ର, ମୃତ୍ୟୁଞ୍ଜୟ ମହାପାତ୍ର ଓ ଅଶୋକ କୁମାର ପ୍ରଧାନ। ଷ୍ଟେଟ୍‌ ବ୍ୟାଙ୍କର ଡେପୁଟି ଏମ୍‌ଡି ଭାବେ କାମ କରୁଥିବା ପଲ୍ଲବଙ୍କୁ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏମ୍‌ଡି ଓ ସିଇଓ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ସେହିପରି ମୃତ୍ୟୁଞ୍ଜୟଙ୍କୁ ସିଣ୍ଡିକେଟ୍‌ ବ୍ୟାଙ୍କ ଓ ଅଶୋକଙ୍କୁ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏମ୍‌ଡି ଓ ସିଇଓ ଭାବେ ନିଯୁକ୍ତି ଦିଆଯାଇଛି। ମୃତ୍ୟୁଞ୍ଜୟ ମଧ୍ୟ ଷ୍ଟେଟ୍‌ ବ୍ୟାଙ୍କର ଡେପୁଟି ଏମ୍‌ଡି ଭାବେ କାମ କରୁଥିଲେ। ଅଶୋକ ୟୁନାଇଟେଡ୍‌ ବ୍ୟାଙ୍କର ଇଡି ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ। ମୃତ୍ୟୁଞ୍ଜୟଙ୍କୁ ୨୦୧୦ ମାର୍ଚ ୩୧ ପର୍ଯ୍ୟନ୍ତ, ପଲ୍ଲବଙ୍କୁ ୨୦୨୧ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ନିଯୁକ୍ତି ପ୍ରଦାନ କରାଯାଇଛି। ମୋଟ ୧୦ଟି ସରକାରୀ ବ୍ୟାଙ୍କରେ ଏମ୍‌ଡି ଓ ସିଇଓ ପଦ ପୂରଣ କରାଯାଇଛି। ସେଥି ମଧ୍ୟରୁ ତିନିଟି ବ୍ୟାଙ୍କରେ ଓଡ଼ିଆଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍‌ କମିଟି ବୈଠକରେ ବ୍ୟାଙ୍କଗୁଡ଼ିକର ଏମ୍‌ଡି ଓ ସିଇଓ ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ଇଣ୍ଡିଆନ୍‌ ବ୍ୟାଙ୍କରେ ପଦ୍ମଜା ଚୁନ୍ଦ୍ରୁ, ଆନ୍ଧ୍ର ବ୍ୟାଙ୍କରେ ଜେ ପାକିରିସାମି, ଦେନା ବ୍ୟାଙ୍କରେ କର୍ଣ୍ଣାମ୍‌ ଶେଖର, ଆହ୍ଲାବାଦ ବ୍ୟାଙ୍କରେ ଏସ୍‌ ଏମ୍‌ ମଲ୍ଲିକାର୍ଜୁନ ରାଓ, ଏ ଏସ୍‌ ରାଜୀବଙ୍କୁ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରରେ, ୟୁକୋ ବ୍ୟାଙ୍କରେ ଅତୁଲ କୁମାର ଗୋଏଲ୍‌ ଓ ପଞ୍ଜାବ ଆଣ୍ଡ୍‌ ସିନ୍ଧ ବ୍ୟାଙ୍କରେ ଏସ୍‌ ହରିଶଙ୍କରଙ୍କୁ ଏମ୍‌ଡି ଓ ସିଇଓ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ସିଇଓ ଭାବେ ନିଯୁକ୍ତି ଦିଆଯାଇଥିବା ୧୦ ଜଣ ଅଧିକାରୀଙ୍କ ମଧ୍ୟରୁ ପାଞ୍ଚ ଜଣ ଷ୍ଟେଟ୍‌ ବ୍ୟାଙ୍କରେ କାମ କରୁଥିଲେ।

ସମ୍ବନ୍ଧିତ ଖବର