ବିଦେଶରେ ୩୪ ଲକ୍ଷ କୋଟିର କଳାଧନ, ସାର୍ବଜନୀନ ହେଲା ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟମାନେ ୧୯୮୦ରୁ ୨୦୧୦ ମଧ୍ୟରେ ପ୍ରାୟ ୩୪ ଲକ୍ଷ କୋଟି ଟଙ୍କାର କଳାଧନ ବିଦେଶକୁ ପଠାଇଛନ୍ତି। ଅତୀତରେ କଳାଧନ ଉପରେ ତିନିଟି ସଂସ୍ଥା ପକ୍ଷରୁ କରାଯାଇଥିବା ଆକଳନରୁ ଏହା ଜଣାପଡ଼ିଛି। ଏହି ତିନି ସଂସ୍ଥାର ଆକଳନ ରିପୋର୍ଟକୁ ଆଜି ସଂସଦରେ ଉପସ୍ଥାପନ କରାଯାଇଛି। ନ୍ୟାସନାଲ୍ କାଉନ୍‌ସିଲ୍‌ ଫର୍‌ ଆପ୍ଲାଏଡ୍‌ ଇକୋନମିକ୍ ଆଣ୍ଡ୍‌ ରିସର୍ଚ (ଏନ୍‌ସିଏଇଆର୍‌), ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍ ଅଫ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ୍‌ (ଏନ୍‌ଆଇଏଫ୍‌ଏମ୍) ଓ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍‌ ଅଫ୍ ପବ୍ଲିକ୍ ଫାଇନାନ୍ସ ଆଣ୍ଡ୍‌ ପଲିସି (ଏନ୍‌ଆଇପିଏଫ୍‌ପି) ପକ୍ଷରୁ କଳାଧନକୁ ନେଇ ଆକଳନ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଏହି ତିନି ସଂସ୍ଥା ଜଣାଇଛନ୍ତି ଯେ ୧୯୮୦ରୁ ୨୦୧୦ର ୩୦ ବର୍ଷ ଭିତରେ ଭାରତୀୟମାନେ ୧୭ ଲକ୍ଷ ୨୫ ହଜାର ୩୦୦ କୋଟି ଟଙ୍କାରୁ ୩୪ ଲକ୍ଷ ୩୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ କଳାଧନ ବିଦେଶକୁ ପଠାଇଛନ୍ତି।

ଆଜି ଲୋକସଭାରେ ଉପସ୍ଥାପନ କରାଯାଇଥିବା ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଅନୁଯାୟୀ, ଏହି ତିନି ସଂସ୍ଥା ଜଣାଇଛନ୍ତି ଯେ ରିଅଲ ଇଷ୍ଟେଟ୍‌, ଖଣି, ଫାର୍ମା, ପାନ ମସଲା, ଗୁଟ୍‌ଖା, ତମାଖୁ, ମୂଲ୍ୟବାନ ଧାତୁ, କମୋଡିଟି, ସିନେମା ଓ ଶିକ୍ଷା କ୍ଷେତ୍ରରେ ଅଧିକ କଳାଧନ ରହିଛି। କମିଟି ପକ୍ଷରୁ ‘ଷ୍ଟାଟସ୍‌ ଅଫ୍ ଅନଆକାଉଣ୍ଟେଡ୍‌ ଇନ୍‌କମ୍/ୱେଲ୍‌ଥ ବୋଥ୍‌ ଇନ୍‌ସାଇଡ୍ ଆଣ୍ଡ୍‌ ଆଉଟ୍‌ସାଇଡ୍‌ ଦି କଣ୍ଟ୍ରି-ଏ କ୍ରିଟିକାଲ୍ ଆନାଲିସିସ୍‌’ ରିପୋର୍ଟରେ କୁହାଯାଇଛି ଯେ, କଳାଧନକୁ ନେଇ କୌଣସି ବିଶ୍ବସନୀୟ ଆକଳନ କରାଯାଇପାରିନାହିଁ। ଏହାକୁ ଜାଣିବା ପାଇଁ କୌଣସି ସର୍ବସମ୍ମତ ପଦ୍ଧତି ମଧ୍ୟ ନାହିଁ। କଳାଧନକୁ ନେଇ ଆଜି ପର୍ଯ୍ୟନ୍ତ ସେତେ ସବୁ ଆକଳନ କରାଯାଇଛି ତାହାର ଫଳାଫଳ ଭିନ୍ନ ରହିଛି। କୌଣସି କ୍ଷେତ୍ରରେ ସମାନତା ଦେଖିବାକୁ ମିଳିନାହିଁ। ୨୦୧୧ରେ କଳାଧନକୁ ନେଇ ଜୋରଦାର ଚର୍ଚା ଚାଲିଥିବା ବେଳେ ସେହି ସମୟରେ କଂଗ୍ରେସ ନେତୃତ୍ବାଧୀନ ଉପା ସରକାରଙ୍କ ତରଫରୁ ଦେଶ ଭିତରେ ଓ ବିଦେଶରେ ଥିବା କଳାଧନର ଆକଳନ କରିବାକୁ ତିନିଟି ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିଲା। ତିନି ସଂସ୍ଥାର ରିପୋର୍ଟରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ସଂସ୍ଥାଗୁଡ଼ିକର ଆକଳନ ଭିତରେ କୌଣସି ସମାନତା ନାହିଁ। କଳାଧନର ବିଶ୍ବସନୀୟ ଆକଳନ ଏକ କଷ୍ଟକର ବ୍ୟାପାର। କଂଗ୍ରେସ ନେତା ଏମ୍ ବିରପ୍ପା ମୋଇଲିଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ସ୍ଥାୟୀ କମିଟି ଗତ ମାର୍ଚ ୨୮ରେ ନିଜର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲେ। ଏହା ପରେ ସାଧାରଣ ନିର୍ବାଚନ ହୋଇଥିଲା। ତେଣୁ ରିପୋର୍ଟକୁ ସାର୍ବଜନୀନ କରାଯାଇପାରିନଥିଲା।

ତିନି ସଂସ୍ଥାର ଭିନ୍ନ ଆକଳନ
ତିନିଟି ସଂସ୍ଥା କଳାଧନର ଆକଳନ କରିଥିଲେ। ସେମାନେ ଭିନ୍ନ ଭିନ୍ନ ରିପୋର୍ଟ ଦେଇଛନ୍ତି। ସେମାନଙ୍କ ରିପୋର୍ଟରେ କୌଣସି ସମାନତା ନାହିଁ। ଏନ୍‌ସିଏଇଆର୍‌ ପକ୍ଷରୁ କୁହାଯାଇଛି ଯେ ୧୯୯୦ରୁ ୨୦୧୦ ଭିତରେ ୨୬,୮୮,୦୦୦ କୋଟି ଟଙ୍କାରୁ ୩୪,୩୦,୦୦୦ କୋଟି ଟଙ୍କା ମଧ୍ୟରେ କଳାଧନ ଭାରତୀୟମାନେ ବିଦେଶକୁ ପଠାଇଛନ୍ତି। ସେହିପରି, ଏନ୍‌ଆଇଏଫ୍‌ଏମ୍ ଆକଳନ କରିଛି ଯେ, ୧୯୯୦ରୁ ୨୦୦୮ ମଧ୍ୟରେ ବିଦେଶକୁ ୧୫ ଲକ୍ଷ ୧୫ ହଜାର ୩୦୦ କୋଟି ଟଙ୍କାର କଳାଧନ ପଠାଯାଇଛି। ଏନ୍‌ଆଇପିଏଫ୍‌ପି ଆକଳନ କରିଛି ଯେ, ୧୯୯୭ରୁ ୨୦୦୯ ମଧ୍ୟରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୦.୨%ରୁ ୭.୪% ପର୍ଯ୍ୟନ୍ତ କଳାଧନ ବିଦେଶକୁ ପଠାଯାଇଛି।

ସମ୍ବନ୍ଧିତ ଖବର