୩୫ ହଜାର କର୍ମଚାରୀଙ୍କୁ ଭିଆର୍‌ଏସ୍‌ ଦେବ

ବିଏସ୍‌ଏନ୍‌ଏଲ୍‌ର ଖର୍ଚ କାଟ ଯୋଜନା

ନୂଆଦିଲ୍ଲୀ: ସରକାରୀ ଦୂରସଂଚାର କଂପାନି ଭାରତ ସଂଚାର ନିଗମ ଲିମିଟେଡ୍‌ (ବିଏସଏନ୍‌ଏଲ୍‌) ଖର୍ଚ କାଟ କରିବା ପାଇଁ କେତେକ କଠୋର ପଦକ୍ଷେପ ଗ୍ରହଣ କରିଛି। କର୍ମଚାରୀମାନଙ୍କୁ ପ୍ରଦାନ କରାଯାଉଥିବା ସୁବିଧା ସୁଯୋଗ କମାଇବା ଆରମ୍ଭ କରିଛି। ଏହା ବ୍ୟତୀତ ୩୫ ହଜାର କର୍ମଚାରୀଙ୍କୁ ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ପ୍ରଦାନ କରିବା ଉପରେ ମଧ୍ୟ ଯୋଜନା ପ୍ରସ୍ତୁତ କରିଛି। ଏଥିପାଇଁ କଂପାନିକୁ ୧୩ ହଜାର କୋଟି ଟଙ୍କା ଖର୍ଚ କରିବାକୁ ପଡ଼ିବ। ବିଏସ୍‌ଏନ୍‌ଏଲ୍‌ରେ ୧ ଲକ୍ଷ ୮୦ ହଜାର କର୍ମଚାରୀ କାମ କରୁଛନ୍ତି। ଘରୋଇ ‌ଟେଲିକମ୍ କଂପାନି ତୁଳନାରେ ବିଏସ୍‌ଏନ୍‌ଏଲ୍‌ରେ ଛଅ ଗୁଣା ଅଧିକ କର୍ମଚାରୀ ଅଛନ୍ତି। କଂପାନିର ସିଏମ୍‌ଡି ଅନୁପମ ଶ୍ରୀବାସ୍ତବ କହିଛନ୍ତି ଯେ ଖର୍ଚ କାଟ କରିବାକୁ ଆମେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛୁ। ବିଦ୍ୟୁତ, ପ୍ରଶାସନିକ ଖର୍ଚ ଏବଂ କର୍ମଚାରୀଙ୍କୁ ପ୍ରଦାନ କରାଯାଉଥିବା ସୁବିଧାସୁଯୋଗ‌ରେ ଖର୍ଚ କାଟ କରାଯାଉଛି। କର୍ମଚାରୀଙ୍କୁ ଦିଆଯାଉଥିବା ଏଲ୍‌ଟିସି ବନ୍ଦ କରିଦିଆଯାଇଛି। ମେଡିକାଲ୍ ଖର୍ଚକୁ ନିୟନ୍ତ୍ରଣ କରାଯାଇଛି।
ଉଲ୍ଲେଖଯୋଗ୍ୟ, ବିଏସ୍‌ଏନ୍‌ଏଲ୍‌କୁ ନେଇ ଆଇଆଇଏମ୍-ଅହମ୍ମଦାବାଦ ତରଫରୁ ଏକ ରିପୋର୍ଟ ଉପସ୍ଥାପନ କରାଯାଇଛି। ଖର୍ଚ କାଟ ପାଇଁ ଏଥିରେ ଦିଆଯାଇଥିବା ବିଭିନ୍ନ ପ୍ରସ୍ତାବ ମଧ୍ୟରୁ ଭିଆର୍‌ଏସ୍‌ ହେଉଛି ଅନ୍ୟତମ। ଟେଲିକମ୍ କାରବାରରେ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ ପ୍ରବେଶ କରିବା ପରେ ଅନ୍ୟ ଘରୋଇ କଂପାନିଗୁଡ଼ିକ ଭଳି ବିଏସଏନ୍‌ଏଲ୍‌ର କାରବାର ମଧ୍ୟ ପ୍ରଭାବିତ ହୋଇଛି। ମାସିକ ରାଜସ୍ବ ହ୍ରାସ ପ‌ାଇଥିବାରୁ ଆର୍ଥିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର