୩୬ ଦାମୀ କାର୍ ବିକିବ ଆଇଏଲ୍ ଆଣ୍ଡ୍ ଏଫ୍‌ଏସ୍‌

ନୂଆଦିଲ୍ଲୀ: ୯୧ ହଜାର କୋଟି ଟଙ୍କାର ଋଣରେ ବୁଡ଼ି ରହିଥିବା ଆଇଏଲ୍ ଆଣ୍ଡ୍ ଏଫ୍‌ଏସ୍‌ କମ୍ପାନି ୩୬ଟି ଦାମୀ କାର ବିକିବ। ଏଥିପାଇଁ କମ୍ପାନି ନିଲାମ ଡାକିଛି। ଆସନ୍ତା ୧୮ ତାରିଖ ମଧ୍ୟରେ ଏଥିପାଇଁ ନିଲାମ ଡାକିବା ସୁଯୋଗ ପ୍ରଦାନ କରାଯାଇଛି। କମ୍ପାନି ଏ ବାବଦରେ ପ୍ରାୟ ୯ କୋଟି ଟଙ୍କା ସଂଗ୍ରହ କରିବା ଆଶା ରଖିଛି। କମ୍ପାନି ନିକଟରେ ୭୨ଟି ବିଳାସପୂର୍ଣ୍ଣ କାର୍ ରହିଛି। ଅବଶିଷ୍ଟ କାର୍‌ ଗୁଡ଼ିକର ନିଲାମ କମ୍ପାନି ପରେ କରିବାକୁ ଯୋଜନା ରଖିଛି। କମ୍ପାନି ନିକଟରେ ଥିବା ଦାମୀ କାର୍ ଗୁଡ଼ିକ ମଧ୍ୟରେ ୮ଟି ଅଡି, ୬ଟି ବିଏମ୍‌ଡବ୍ଲ୍ୟୁ, ୨ଟି ଜାଗୁଆର ଏବଂ ଗୋଟିଏ ଲେକ୍ସସ୍ କାର ମଧ୍ୟ ରହିଛି। ଏତଦବ୍ୟତୀତ ୨ଟି ମର୍ସିଡିଜ୍ ବେଞ୍ଜ୍ ଜିଏଲ୍ଏସ୍‌ ୩୫୦ଡି କାର୍‌ ବି ରହିଛି। ମର୍ସିଡିଜ୍ ବେଞ୍ଜ୍ କାର୍‌ର ମୂଲ୍ୟ ୫୪ ଲକ୍ଷ ଏବଂ ୫୧ ଲକ୍ଷ ଟଙ୍କା ହୋଇଥିବାବେଳେ ଅନ୍ୟ କାର୍‌ ଗୁଡ଼ିକର ହାରାହାରି ମୂଲ୍ୟ ପ୍ରାୟ ୨୪ ଲକ୍ଷ ଟଙ୍କା ରହିଛି। ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ଏତେ ସଂଖ୍ୟାରେ ଦାମୀ କାର୍‌ କାହିଁକି କିଣିଥିଲା ତାହା ଜଣା ପଡ଼ିନାହିଁ। ଏହି ଗାଡ଼ିଗୁଡ଼ିକ ମଧ୍ୟରୁ ଅଧିକାଂଶ ଗତ ୩ ବର୍ଷ ମଧ୍ୟରେ କିଣାଯାଇଛି। ଗତବର୍ଷ ସର୍ବାଧିକ ଗାଡ଼ି କିଣାଯାଇଛି। ଯେଉଁ ୩୬ଟି ଦାମୀ କାର୍ ନିଲାମ କରାଯିବ ସେଥିରୁ ୧୨ଟି କାର୍ ମୂଳ କମ୍ପାନି ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ନିକଟରେ ଥିବାବେଳେ ଅନ୍ୟ ଗାଡ଼ି ଗୁଡ଼ିକ ସହାୟକ କମ୍ପାନି ଗୁଡ଼ିକ ନିକଟରେ ରହିଛି। ଗ୍ରୁପ୍ କମ୍ପାନି ଗୁଡ଼ିକ ମଧ୍ୟରୁ ଆଇଏଲ୍ ଆଣ୍ଡ୍‌ ଏଫ୍‌ଏସ୍‌ ଟ୍ରାନ୍ସପୋର୍ଟେସନ ନେଟୱାର୍କସର ୭ଟି, ଆଇଏଲ୍ ଆଣ୍ଡ୍ ଏଫ୍‌ଏସ୍‌ ଫାଇନାନ୍ସିଆଲ୍ ସର୍ଭିସେସ୍‌ର ୬ଟି, ଆଇଏଲ୍ ଆଣ୍ଡ ଏଫ୍‌ଏସ୍‌ ରେଲ୍‌ର ୩ଟି ଏବଂ ଆଇଏଲ୍ ଆଣ୍ଡ ଏଫ୍‌ଏସ୍‌ ଏନର୍ଜିର ୩ଟି କାର୍ ରହିଛି।

ଫର୍ଣ୍ଣିଚର ବି ବିକ୍ରିହେବ
ଦାମୀ ଗାଡ଼ି ବ୍ୟତୀତ କମ୍ପାନିର ଫର୍ଣ୍ଣିଚର ମଧ୍ୟ ବିକ୍ରି ହେବ। ଏହି ଗ୍ରୁପର କୋଲକାତା ଓ ମୁମ୍ବାଇ ସ୍ଥିତ ଗେଷ୍ଟ୍ ହାଉସ୍‌ରେ ଥିବା ଫର୍ଣ୍ଣିଚର ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ଯୋଜନା ରହିଛି। ଉଲ୍ଲେଖଯୋଗ୍ୟ ଯେ, ଏହି କମ୍ପାନିର ପରିଚାଳନା ଗତ ଅକ୍ଟୋବରରେ ସରକାର ନିଜ ହାତକୁ ନେବା ସହିତ ନୂଆ ପରିଚାଳନା ମଣ୍ଡଳୀ ଗଠନ କରିଛନ୍ତି।

ସମ୍ବନ୍ଧିତ ଖବର