୪ଟି ସରକାରୀ ବ୍ୟାଙ୍କର ମିଶ୍ରଣ ହେବ

ନଜରରେ ବ୍ୟାଙ୍କ ଅଫ୍‌ ବରୋଦା, ଆଇଡିବିଆଇ ବ୍ୟାଙ୍କ, ଓରିଏଣ୍ଟାଲ୍‌ ବ୍ୟାଙ୍କ ଓ ସେଣ୍ଟ୍ରାଲ୍‌ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଭଳି ପୁଣି ଏକ ବଡ଼ ବ୍ୟାଙ୍କ ଗଠନ କରିବା ବିଷୟରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଚାରିଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣରେ ଏହି ବ୍ୟାଙ୍କ ସୃଷ୍ଟି କରାଯିବ। ବ୍ୟାଙ୍କ ଅଫ୍‌ ବରୋଦା, ଆଇଡିବିଆଇ ବ୍ୟାଙ୍କ, ଓରିଏଣ୍ଟାଲ୍‌ ବ୍ୟାଙ୍କ ଅଫ୍‌ କମର୍ସ ଓ ସେଣ୍ଟ୍ରାଲ୍‌ ବ୍ୟାଙ୍କକୁ ମିଶାଇ ଏହି ବଡ଼ ବ୍ୟାଙ୍କ ଗଠନ କରାଯିବ। ଏହି ଚାରି ବ୍ୟାଙ୍କ କ୍ଷତିରେ ଚାଲୁଛି। ସେମାନଙ୍କ ମୋଟ କ୍ଷତି ପରିମାଣ ୨୧, ୬୪୬ କୋଟି ଟଙ୍କାରେ ପହଞ୍ଚିଯାଇଛି। ଯଦି ଯୋଜନା ଅନୁସାରେ କାମ ଆଗକୁ ବଢ଼ିବ ତେବେ ଯେଉଁ ବଡ଼ ବ୍ୟାଙ୍କ ସୃଷ୍ଟି ହେବ ତାହାର ମୋଟ ସମ୍ପତ୍ତି ପରିମାଣ ୧୬ ଲକ୍ଷ ୫୮ ହଜାର କୋଟି ଟଙ୍କା ହେବ। ଷ୍ଟେଟ୍‌ ବ୍ୟାଙ୍କ ପଛକୁ ଏହା ହେବ ଦେଶର ଦ୍ୱିତୀୟ ବଡ଼ ବ୍ୟାଙ୍କ। କେନ୍ଦ୍ର ସରକାର ୪-୫ଟି ବଡ଼ ଧରଣର ବ୍ୟାଙ୍କ ସୃଷ୍ଟି କରିବାକୁ ଯୋଜନା ରଖିଛନ୍ତି। ସେହି ପ୍ରକ୍ରିୟା ପ୍ରଥମ ବଡ଼ ବ୍ୟାଙ୍କ ସୃଷ୍ଟି କରିବାକୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସହିତ ଏହାର ସହଯୋଗୀ ବ୍ୟାଙ୍କ ଓ ଭାରତୀୟ ମହିଳା ବ୍ୟାଙ୍କର ମିଶ୍ରଣ କରାଯାଇଥିଲା। ଏବେ ଷ୍ଟେଟ୍‌ ବ୍ୟାଙ୍କ ହେଉଛି ଦେଶର ସବୁଠୁ ବଡ଼ ବ୍ୟାଙ୍କ। ସେହି ଭଳି ପୁଣି ଏକ ବଡ଼ ବ୍ୟାଙ୍କ ସୃଷ୍ଟି କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର