ଏପର୍ଯ୍ୟନ୍ତ ୪୦ ହଜାର ବିଏସଏନଏଲ କର୍ମଚାରୀ ଭିଆରଏସ ଆବେଦନ କରିଛିନ୍ତି : ବିଏସଏନଏଲ ଅଧ୍ୟକ୍ଷ

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନି ବିଏସଏନଏଲ ପକ୍ଷରୁ ସ୍ୱେଚ୍ଛାକୃତ ଅବସର ଯୋଜନା(ଭିଆରଏସ) ଘୋଷଣା ହେବାର ୩ ଦିନ ମଧ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୪୦ ହଜାର କର୍ମଚାରୀ ଏଥିଲାଗି ଆବେଦନ କରିସାରିଲେଣି ବୋଲି ବିଏସଏନଏଲ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପି.କେ. ପୁରଓ୍ଵାର କହିଛନ୍ତି ।
ସେ କହିଛନ୍ତି ଯେ ଭିଆରଏସ ଆବେଦନ କରିଥିବା ୪୦ ହଜାର କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୨୬ ହଜାର ଗ୍ରୁପ ସି କର୍ମଚାରୀ । ତେବେ ଅନ୍ୟ ଶ୍ରେଣୀର କର୍ମଚାରୀମାନେ ମଧ୍ୟ ଏଥିପାଇଁ ଆଗ୍ରହ ଦେଖାଇଛନ୍ତି । ଭିଆରଏସ ଯୋଜନା ମାଧ୍ୟମରେ ୭୦ରୁ ୮୦ ହଜାର କର୍ମଚାରୀଙ୍କୁ ଭିଆରଏସ ଦେଇ ବିଏସଏନଏଲ ପ୍ରାୟ ୭ ହଜାର କୋଟି ଟଙ୍କା ସଂଚୟ କରିବାକୁ ଲକ୍ଷ୍ୟ ରଖିଛି ।

ଗତ ଅକ୍ଟୋବର ୨୩ ତାରିଖରେ ସରକାର ବିଏସଏନଏଲର ପୁନରୁଦ୍ଧାର ଯୋଜନାକୁ ମଂଜୁରୀ ଦେଇଥିଲେ । ଏହା ସହିତ ବିଏସଏନଏଲ-ଏମଟିଏନଏଲ ମିଶ୍ରଣକୁ ମଂଜୁରୀ ଦେଇଥିଲେ । ଏହା ସହିତ ସରକାର ଏହି କମ୍ପାନିରେ ପ୍ରାୟ ୨୯,୯୩୭ କୋଟି ଟଙ୍କାର ପୁଞ୍ଜି ଭର୍ତ୍ତି କରିବେ ବୋଲି ଘୋଷଣା କରିଥିଲେ । ଏଥିପାଇଁ ସୋଭେରିନ ବଣ୍ଡ ଜାରି କରି ବଜାରରୁ ୧୫ ହଜାର କୋଟି ଟଙ୍କା ସଂଗ୍ରହ କରାଯିବ । ଏହାଛଡା ଆସନ୍ତା ୪ ବର୍ଷରେ ୩୮ ହଜାର କୋଟି ଟଙ୍କାର ସଂପତ୍ତିକୁ ବିକ୍ରି କରାଯିବ ବୋଲି ସରକାର ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର