ଜିଏସ୍‌ଟି ନିୟମରେ ୪୬ଟି ସଂଶୋଧନ ହେବ

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ ( ଜିଏସ୍‌ଟି) ନିୟମରେ ୪୬ ପ୍ରକାର ସଂଶୋଧନ ଆଣିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ଏହି ସବୁ ସଂଶୋଧନ ଦ୍ୱାରା ଶ୍ରମିକ, ସିକ୍ୟୁରିଟି ଗାର୍ଡ ଓ ନର୍ସମାନେ ଲାଭବାନ ହେବେ।
ଚିଠା ପ୍ରସ୍ତାବ ଅନୁଯାୟୀ, କର୍ମଚାରୀମାନଙ୍କୁ ପ୍ରଦାନ କରୁଥିବା ଖାଦ୍ୟ ଓ ପାନୀୟ, ଆଉଟ୍‌ଡୋର୍‌ କ୍ୟାଟରିଂ, ସୌନ୍ଦର୍ଯ୍ୟ ଉପଚାର, ସ୍ୱାସ୍ଥ୍ୟ ସେବା, କସ୍‌ମେଟିକ୍‌, ପ୍ଲାଷ୍ଟିକ୍‌ ସର୍ଜରି, ଭଡ଼ାରେ ଗାଡ଼ି ପ୍ରଦାନ କରିବା, ବିମାନ ଯାତ୍ରା ସୁବିଧା, ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମା ଆଦି ସୁବିଧା ଉପରେ ନିଯୁକ୍ତିଦାତାମାନେ ଇନ୍‌ପୁଟ୍‌ କ୍ରେଡିଟ୍‌ ଦାବି କରିପାରିବେ। କୋଡ଼ିଏ ଲକ୍ଷ ଟଙ୍କାରୁ କମ୍‌ କାରବାର କରୁଥିବା ଇ-କମର୍ସ ସଂସ୍ଥାଗୁଡ଼ିକୁ ଜିଏସ୍‌ଟିରେ ନିଜକୁ ପଞ୍ଜୀକୃତ କରିବାକୁ ପଡ଼ିବ ନାହିଁ। ଏହି ସଂଶୋଧନ ପ୍ରସ୍ତାବ ଉପରେ ଜୁଲାଇ ୧୫ ସୁଦ୍ଧା ମତାମତ ପ୍ରଦାନ କରିବାକୁ ସରକାରଙ୍କ ପକ୍ଷରୁ ଅଂଶୀଦାରମାନଙ୍କୁ କୁହାଯାଉଛି। ସମସ୍ତ ପ୍ରସ୍ତାବ କାର୍ଯ୍ୟକାରୀ ହେବାକୁ ହେଲେ ତାହାକୁ ସଂସଦ ଓ ରାଜ୍ୟଗୁଡ଼ିକର ବିଧାନସଭାର ଅନୁମୋଦନ ଦରକାର। ରାଜସ୍ୱ ବିଭାଗ ପକ୍ଷରୁ ଚୂଡ଼ାନ୍ତ ସଂଶୋଧିତ ଚିଠା ପ୍ରସ୍ତୁତ ହୋଇଯିବା ପରେ ତାହାକୁ ଜିଏସ୍‌ଟି ପରିଷଦ ବୈଠକରେ ଉପସ୍ଥାପନ କରାଯିବ। ସେଠାରେ ଯେଉଁ ନିଷ୍ପତ୍ତି ହେବ ସେହି ଅନୁସାରେ ପ୍ରସ୍ତାବକୁ ପୁଣି ଥରେ ସଂଶୋଧନ କରି ତାହାକୁ ସଂସଦରେ ଉପସ୍ଥାପନ କରାଯିବ।

ସମ୍ବନ୍ଧିତ ଖବର