୫.୪୨ କୋଟି ଆୟକର ରିଟର୍ଣ୍ଣ ଦାଖଲ

ବଢ଼ିଲା ୭୧ ପ୍ରତିଶତ, ଏଣିକି ଦେବାକୁ ହେବ ଜରିମାନା

ନୂଆଦିଲ୍ଲୀ: ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ତାରିଖ ଅଗଷ୍ଟ ୩୧ରେ ଶେଷ ହୋଇଛି। ଶେଷ ତାରିଖ ସୁଦ୍ଧା ଦେଶରେ ୫ କୋଟି ୪୨ ଲକ୍ଷ ଲୋକ ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି। ପୂର୍ବ ବର୍ଷ ଅଗଷ୍ଟ ୩୧ ତାରିଖ ସୁଦ୍ଧା ହୋଇଥିବା ଆୟକର ରିଟର୍ଣ୍ଣ ଦାଖଲ ତୁଳନାରେ ଚଳିତବର୍ଷ ଉପରୋକ୍ତ ସମୟ ମଧ୍ୟରେ ରିଟର୍ଣ୍ଣ ଦାଖଲରେ ୭୧ ପ୍ରତିଶତ ବୃଦ୍ଧି ଘଟିଛି। ବିଳମ୍ବିତ ରିଟର୍ଣ୍ଣ ଦାଖଲ ପାଇଁ ଚଳିତ ବର୍ଷଠାରୁ ନୂଆ ଜରିମାନା ପ୍ରଦାନ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ବ୍ୟବସ୍ଥା ଅନୁଯାୟୀ ଡିସେମ୍ବର ୩୧ ତାରିଖ ମଧ୍ୟରେ ଯେଉଁମାନେ ରିଟର୍ଣ୍ଣ ଦାଖଲ କରିବେ ସେମାନଙ୍କୁ ୫ ହଜାର ଟଙ୍କା ଏବଂ ଡିସେମ୍ବର ୩୧ ତାରିଖ ପରେ ଯେଉଁମାନେ ରିଟର୍ଣ୍ଣ ଦାଖଲ କରିବେ ସେମାନଙ୍କୁ ଜରିମାନା ବାବଦରେ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ। ଏଥିସହିତ ଯେଉଁମାନେ ଏବେ ରିଟର୍ଣ୍ଣ ଦାଖଲ କରିବେ ସେମାନଙ୍କୁ ରିଟର୍ଣ୍ଣରେ ସଂଶୋଧନ ସୁଯୋଗ ମଧ୍ୟ ମିଳିବ ନାହିଁ। ବେତନଭୋଗୀଙ୍କଠାରୁ ଆରମ୍ଭ କରି ବ୍ୟକ୍ତିବିଶେଷ ଯେଉଁମାନଙ୍କର ଆକାଉଣ୍ଟ ଅଡିଟ୍‌ ହେବାର ନଥାଏ ସେମାନଙ୍କୁ ପ୍ରଥମେ ଚଳିତବର୍ଷ ଜୁଲାଇ ୩୧ ତାରିଖ ସୁଦ୍ଧା ରିଟର୍ଣ୍ଣ ଦାଖଲ କରିବାର ସୁଯୋଗ ଯୋଗାଇ ଦିଆଯାଇଥିଲା। କିନ୍ତୁ ପରେ ସରକାର ଏହାକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ତେବେ ଯେଉଁ ବ୍ୟକ୍ତି ଓ କମ୍ପାନିଙ୍କ ଖାତା ଅଡିଟ୍‌ ହେବ ସେମାନଙ୍କ ପାଇଁ ରିଟର୍ଣ୍ଣ ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୩୦ ରଖାଯାଇଛି। ଏଥିପାଇଁ ସମୟସୀମାରେ କୌଣସି ବୃଦ୍ଧି ଘୋଷଣା କରାଯାଇ ନାହିଁ। ଦେଶରେ ୨୦୧୭ ଅଗଷ୍ଟ ୩୧ ସୁଦ୍ଧା ୩ କୋଟି ୧୭ ଲକ୍ଷ ଲୋକ ଆୟକର ରିଟର୍ଣ୍ଣର ଇ-ଫାଇଲ୍‌ କରିଥିବା ବେଳେ ଚଳିତବର୍ଷ ଅଗଷ୍ଟ ୩୧ ସୁଦ୍ଧା ଏହି ସଂଖ୍ୟା ୫ କୋଟି ୪୨ ଲକ୍ଷକୁ ବୃଦ୍ଧି ପାଇଛି। ଅର୍ଥାତ୍‌ ଏହି ସଂଖ୍ୟାରେ ୭୦.୮୬ ପ୍ରତିଶତ ବୃଦ୍ଧି ଘଟିଛି। ଶେଷ ଦିନରେ ୩୪ ଲକ୍ଷ ୯୫ ହଜାର ରିଟର୍ଣ୍ଣ ଦାଖଲ ହୋଇଛି। ଉପରୋକ୍ତ ସମୟ ମଧ୍ୟରେ ୩ କୋଟି ୩୭ ଲକ୍ଷ ବେତନଭୋଗୀ ଇ-ରିଟର୍ଣ୍ଣ ଦାଖଲ କରିଛନ୍ତି। ୨୦୧୭ ଅଗଷ୍ଟ ୩୧ ସୁଦ୍ଧା ଏମାନଙ୍କ ସଂଖ୍ୟା ୨.୧୯ କୋଟି ରହିଥିବାରୁ ଏଥିରେ ପ୍ରାୟ ୫୪ ପ୍ରତିଶତ ବୃଦ୍ଧି ଘଟିଛି। ବିମୁଦ୍ରୀକରଣଠାରୁ ଆରମ୍ଭ କରି ଜରିମାନା ଲାଗୁ କରିବା ସମେତ ଅନ୍ୟାନ୍ୟ କାରଣ ଯୋଗୁ ଦେଶରେ ଆୟକର ରିଟର୍ଣ୍ଣ ଦାଖଲ ବୃଦ୍ଧି ଘଟିଛି ବୋଲି ଆୟକର ବିଭାଗ କହିଛି।

ସମ୍ବନ୍ଧିତ ଖବର