ନୂଆଦିଲ୍ଲୀ: ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକୁ ଗ୍ରାହକମାନେ ପ୍ରଦାନ କରୁଥିବା ପରିଚୟପତ୍ରର ନକଲକୁ ଏଣିକି ମୂଳ (ଅରିଜିନାଲ୍) ପରିଚୟପତ୍ର ସହିତ ମିଳାଯିବ। ୫୦ ହଜାର ଟଙ୍କାରୁ ଅଧିକ ପରିମାଣର ଅର୍ଥ ଜମା କରୁଥିବା କିମ୍ବା ପ୍ରେରଣ କରୁଥିବା ଗ୍ରାହକଙ୍କ ପାଇଁ ଏହା ବାଧ୍ୟତାମୂଳକ ହେବ। ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ( ରେକର୍ଡ ରକ୍ଷଣାବେକ୍ଷଣ) ନିୟମରେ ଅଣାଯାଇଥିବା ସଂଶୋଧନ ଅନୁଯାୟୀ ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକ ଏହା କରିବେ। ନକଲି ପରିଚୟପତ୍ର ଆଦିକୁ ରୋକିବା ଲାଗି ଏହା କରାଯିବ। ଅର୍ଥ ମନ୍ତ୍ରାଳୟ ଅଧୀନ ରାଜସ୍ୱ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ନୂଆ ନିୟମ ଅନୁଯାୟୀ ଗ୍ରାହକମାନେ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଭଳି ସଂସ୍ଥା ଗୁଡ଼ିକୁ ପ୍ରଦାନ କରୁଥିବା ସରକାରୀଭାବେ ବୈଧ ପରିଚୟପତ୍ର ଦସ୍ତାବିଜର ନକଲକୁ ସେସବୁର ଅସଲି ଦସ୍ତାବିଜ ସହିତ ମିଳାଇବାକୁ ହେବ। କାରଣ ନିୟମ ଅନୁଯାୟୀ ଏସବୁ ସଂସ୍ଥାଗୁଡ଼ିକୁ ଗ୍ରାହକଙ୍କ ପରିଚୟପତ୍ର ଯାଞ୍ଚ, ସେମାନଙ୍କର ତଥ୍ୟ ରଖିବା ଏବଂ ଭାରତ ସରକାରଙ୍କ ଆର୍ଥିକ ଗୁଇନ୍ଦା ୟୁନିଟ୍କୁ ଏସବୁକୁ ପ୍ରଦାନ କରିବାକୁ ହେବ। ବ୍ୟାଙ୍କ ସମେତ ଷ୍ଟକ ବ୍ରୋକର, ଚିଟ୍ ଫଣ୍ଡ୍ କମ୍ପାନି, ସମବାୟ ବ୍ୟାଙ୍କ, ଗୃହଋଣ ପ୍ରଦାନ କରୁଥିବା ସଂସ୍ଥା ଏବଂ ଅଣବ୍ୟାଙ୍କିଂ ପ୍ରତିଷ୍ଠାନ ଗୁଡ଼ିକୁ ଏହି ନିୟମ ପାଳନ କରିବାକୁ ପଡ଼ିବ।
କୌଣସି ବ୍ୟକ୍ତି ୫୦ ହଜାର ଟଙ୍କା ବା ତଦୂର୍ଦ୍ଧ୍ୱ ପରିମାଣର ରାଶି ଅନ୍ୟତ୍ର ପ୍ରେରଣ କରିଲେ କିମ୍ବା ବ୍ୟାଙ୍କ ଆକାଉଣ୍ଟ ଖୋଲିଲେ ବାୟୋମେଟ୍ରିକ ପରିଚୟପତ୍ର ବା ଆଧାର ଓ ଅନ୍ୟ କେତେକ ସରକାରୀ ଦସ୍ତାବିଜର ଆବଶ୍ୟକତା ରହିଛି। ଏତଦ୍ବ୍ୟତୀତ ଅନ୍ୟାନ୍ୟ କେତେକ କ୍ଷେତ୍ରରେ ମଧ୍ୟ ଏସବୁର ଆବଶ୍ୟକତା ରହିଛି। ଗେଜେଟ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ସରକାରୀ ବୈଧ ଦସ୍ତାବିଜ୍ରେ ଯଦି ସଦ୍ୟତମ ଠିକଣା ରହି ନଥାଏ ତାହେଲେ ବିଦ୍ୟୁତ୍, ଟେଲିଫୋନ୍, ପୋଷ୍ଟପେଡ୍ ମୋବାଇଲ୍ ଫୋନ୍, ପାଇପ୍ ଗ୍ୟାସ୍ କିମ୍ବା ପାଣି ବିଲ୍ ଆଦିକୁ ଠିକଣାର ପ୍ରମାଣପତ୍ର ଭାବେ ଗ୍ରହଣ କରାଯିବ। କିନ୍ତୁ ଏହି ବିଲ୍ ଗୁଡ଼ିକ ଦୁଇମାସରୁ ଅଧିକ ପୁରୁଣା ହୋଇ ନଥିବା ଉଚିତ। ଏଥିସହିତ ସମ୍ପତ୍ତି ବା ମ୍ୟୁନିସପାଲ ଟିକସ ରସିଦ, ପେନ୍ସନ୍ ବା ପାରିବାରିକ ପେନସନ ପେମେଣ୍ଟ ଅର୍ଡର ମଧ୍ୟ ଏ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।